ଅଗଷ୍ଟ ୨ରୁ ଉଚ୍ଚନ୍ୟାୟାଳୟରେ ଉଭୟ ବ୍ୟବସ୍ଥାରେ ମାମଲା ଶୁଣାଣି

କଟକ: ଅଗଷ୍ଟ ୨ ତାରିଖରୁ ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍‌ରେ ମାମଲା ଶୁଣାଣି ହେବ। ଉଭୟ ଭର୍ଚୁଆଲ୍ (ଆଭାସି) ଓ ବ୍ୟକ୍ତିଗତ ଉପସ୍ଥିତି ରହି (ଫିଜିକାଲ) ବ୍ୟବସ୍ଥାରେ ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ଉଚ୍ଚନ୍ୟାୟାଳୟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧, ଫେବୃଆରୀ ୧୧ରେ ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର (ଏସ୍ଓପି) ପାଳନ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହି ଏସଓପି ଅନୁସାରେ ଆଇନଜୀବୀ ଓ ପକ୍ଷମାନେ ବ୍ୟକ୍ତିଗତ ଭାବେ ବା ଭିଡିଓକନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ ସେ ନେଇ ସେମାନଙ୍କ ନିକଟରେ ବିକଳ୍ପ ବ୍ୟବସ୍ଥା ରହିବ। ପକ୍ଷ ଓ ଆଇନଜୀବୀ ଦେଇଥିବା ବିକଳ୍ପ ଉପରେ କେଉଁ ବ୍ୟବସ୍ଥାରେ ମାମଲା ଶୁଣାଣି ହେବ ତାହା ନିର୍ଦ୍ଧାରଣ କରାଯିବ। ଯଦି କିଛି ବିକଳ୍ପ ଦିଆଯାଇ ନଥିବ ତେବେ ଆଇନଜୀବୀ/ପକ୍ଷ ଭର୍ଚୁଆଲ ମୋଡରେ ଶୁଣାଣି ସମୟରେ ଉପସ୍ଥିତ ରହିବେ ବୋଲି ଧରାଯିବ।

ଅଗଷ୍ଟ ୨ରୁ କମ୍ପୁ୍ୟଟର ଦାଖଲ ବିଭାଗ (କମ୍ପ୍ୟୁଟର ଫାଇଲିଂ ସେକ୍ସନ)ର ଦାଖଲ କାଉଣ୍ଟର ଖୋଲା ରହିବ। ଦିନ ୧୦ଟରୁ ୪ଟା ୩୦ ମଧ୍ୟରେ ଡକୁମେଣ୍ଟ ଓ ଆବେଦନ କାଉଣ୍ଟରରେ ଦାଖଲ କରାଯିବ। ଏଥି ସହିତ ଆବେଦନ ଓ ଡକୁମେଣ୍ଟ ଦାଖଲ ପାଇଁ ଇ-ମେଲ ବା ଇ-ଫାଇଲିଂ ପୋର୍ଟାଲ ମଧ୍ୟ ରହିବ। ମେନସନ୍ ମେମୋ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ବ୍ୟକ୍ତିଗତ ଭାବେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଦାଖଲ କରି ହେବ। ଇ-ମେଲ ମାଧ୍ୟମରେ ସକାଳ ୯ଟାରୁ ୧୦ ମଧ୍ୟରେ ମେନସନ୍ ମେମୋ ମଧ୍ୟ ଦାଖଲ କରିହେବ। ପ୍ରମାଣିତ ପ୍ରତିଲିପି (ସାର୍ଟିଫାଏଡ କପି) ଦରଖାସ୍ତ ଗ୍ରହଣ ଓ ପ୍ରଦାନ କାର୍ଯ୍ୟ ନିୟମିତ ବ୍ୟବସ୍ଥାରେ ଚାଲିବ। ଅଦାଲତ ୱେବସାଇଟରେ ସାପ୍ତାହିକ ଓ ଅତିରିକ୍ତ ତାଲିକା (ୱିକ୍‌ଲି ଓ ସପ୍ଲିମେଣ୍ଟାରି ଲିଷ୍ଟ) ପ୍ରକାଶ ପାଇବ। ମୁଖ୍ୟ ବିଚାରପତିଙ୍କ ଅଦାଲତର ସୀମିତ ସଂଖ୍ୟକ ମାମଲାର ଶୁଣାଣି ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କିଛି ଘଣ୍ଟା ପାଇଁ ପରୀକ୍ଷାମୂଳକ ଭାବେ କରାଯିବ। ଅଗଷ୍ଟ ୨ରୁ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ଆରମ୍ଭ ହେବ। ଅଦାଲତଙ୍କ ସରକାରୀ ୟୁଟ୍ୟୁବ୍ ଚାନେଲ ଜରିଆରେ ସିଧା ପ୍ରସାରଣ ବ୍ୟବସ୍ଥା ସହିତ ସଂଯୋଗ କରି ହେବ। ଏଥି ପାଇଁ ୱେବସାଇଟ ଓ କଜ୍ ଲିଷ୍ଟ ନୋଟିସରେ ଲିଙ୍କ୍ ଦିଆଯିବ ବୋଲି ଉଚ୍ଚନ୍ୟାୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Comments are closed.