କୋବିଡ୍‍ ଆରୋଗ୍ୟ ହାର ୯୫.୭୮ ପ୍ରତିଶତ : ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାର ୩୦ ଗୁଣରୁ ଅଧିକ

ନୂଆଦିଲ୍ଲୀ  :  ଦେଶରେ କୋବିଡ୍‍ ଆରୋଗ୍ୟ ହାର ୯୫.୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୦୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୭ ଲକ୍ଷ ୪୦ ହଜାରକୁ ଟପିଯାଇଛି। ଗତ ମେ ମାସରେ ଆରୋଗ୍ୟଙ୍କ ସଂଖ୍ୟା ୫୦ ହଜାର ଥିବାବେଳେ ଚଳିତ ମାସରେ ଏହା ୯୭ ଲକ୍ଷକୁ ଅତିକ୍ରମ କରିଯାଇଛି। ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାର ୩୦ ଗୁଣରୁ ଅଧିକ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ବର୍ତ୍ତମାନ ପ୍ରାୟ ୨ ଲକ୍ଷ ୮୧ ହଜାର ୬୬୭ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ମନ୍ତ୍ରଣାଳୟ କହିଛି, ଦେଶରେ ଅଧିକ ନମୁନା ପରୀକ୍ଷା, ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ସେମାନଙ୍କର ତୁରନ୍ତ ଚିକିତ୍ସା କରିବା ଯୋଗୁଁ ଏହି ସଫଳତା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୦୦ ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମଣ ୧ କୋଟି ୧ ଲକ୍ଷ ୬୯ ହଜାରକୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୨୫୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ଏଥିସହିତ କୋବିଡ୍‍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର
୩୪୩ ରେ ପହଞ୍ଚିଛି। ଆଇସିଏମ୍‍ଆର୍‍ ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୫୩ ହଜାର ୫୨୭ଟି ନମୁନା ପରୀକ୍ଷା
କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ମୋଟ୍‍ ୧୬ କୋଟି ୭୧ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Comments are closed.