ହରଭଙ୍ଗା ବ୍ଲକରେ ଗ୍ରାମୀଣ ଆବାସ ଦୁର୍ନୀତି : ବିନା ଘର ନିର୍ମାଣରେ ହିତାଧିକାରୀଙ୍କ ୯୦ହଜାର ଟଙ୍କା ଆତ୍ମସାତ

ବିଡିଓଙ୍କ ନିଲମ୍ବନ ପରେ ମଧ୍ୟ ଚେତିଲାନି ବ୍ଲକ ପ୍ରଶାସନ

ହରଭଙ୍ଗା : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଭଳି ଜନକଲ୍ୟାଣକାରୀ ଯୋଜନାରେ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କିଛି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବେନିୟମ କାର୍ଯ୍ୟ ଯୋଗୁଁ ଗ୍ରାମୀଣ ଆବାସ ନିର୍ମାଣ ଭଳି ଜନହିତକର ଯୋଜନାରେ ବାରମ୍ବାର ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ଭଳି ଅଭିଯୋଗ ପଦାକୁ ଆସୁଛି। ଅଭିଯୋଗ ପରେ ମଧ୍ୟ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ସେଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବାରମ୍ବାର ଏଭଳି କାର୍ଯ୍ୟ କରିବାକୁ ସେମାନେ ସାହସ ଜୁଟାଉଥିବା ଦେଖିବାକୁ ମିଳୁଛି।
ଏଭଳି ଏକ ଅଭିଯୋଗ ବ୍ଲକର ଆଦିବାସୀ ବହୁଳ ମହାଲ୍ଲିକପଡା ପଞ୍ଚାୟତର ଦୁର୍ଗମ ସାତଖଣ୍ଡ ଗ୍ରାମର ରାଧିକା ବେହେରାଙ୍କ ପକ୍ଷରୁ ହରଭଙ୍ଗା ବିଡିଓଙ୍କ ନିକଟରେ ପହଞ୍ଚିଛି। ରାଧିକାଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କ ପିତା ବିଶ୍ୱନାଥ ବେହେରାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ମଞ୍ଜୁର ହୋଇଥିଲା। ପିତାଙ୍କ ମତ୍ୟୁ ହୋଇଯାଇଥିବାରୁ ତାଙ୍କ ମାଆ ଜେମା ବେହେରାଙ୍କ ନାମରେ ଘର ଯୋଗାଇ ଦେବାପାଇଁ ସେ ସ୍ଥାନୀୟ ପିଇଓଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରିଥିଲେ। ମାତ୍ର ଜେମା ବେହେରାଙ୍କୁ ଘର ମିଳିବା ପରିବର୍ତ୍ତେ ବିନା ଘର ନିର୍ମାଣରେ ମୃତ ବାପା ବିଶ୍ୱନାଥଙ୍କ ନାମରେ ଘର ନିର୍ମାଣ ବାବଦ ୯୦ହଜାର ଟଙ୍କା ଉଠିସାରିଥିବା କଥା ଫଟୋ ଉଠାଇବାକୁ ଆସିଥିବା ଟେକ୍ନିକାଲ କନସଲଟାଂଟ(ଟି.ସି)ଙ୍କଠାରୁ ଜାଣିବାକୁ ପାଇଥିଲେ। ବିନା ଘର ନିର୍ମାଣରେ ମୃତ ବିଶ୍ୱନାଥଙ୍କ ନାମରେ ଘର ଟଙ୍କା କିପରି ଉଠିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ସରକାର ଗ୍ରାମୀଣ ଆବାସ ଭଳି ଗରିବ କଲ୍ୟାଣ ଯୋଜନାରେ ଗରିବ ହିତାଧିକାରୀଙ୍କ ଘର ନିର୍ମାଣ ପୂର୍ବରୁ ପୁରୁଣା ଘରର ଜିଓ ଟ୍ୟାଗ ଫଟୋ ସହିତ ଆଧାରକାର୍ଡ, ବ୍ୟାଙ୍କ ଜମାଖାତା, ଜବକାର୍ଡ ଏବଂ ଜମିପଟ୍ଟା ଭଳି ଆବଶ୍ୟକୀୟ କାଗଜପତ୍ର କଂପ୍ୟୁଟରୀକରଣ କରିବା ପରେ ହିତାଧିକାରୀଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପ୍ରଦାନ କରାଯାଉଛି। ହିତାଧିକାରୀ ଘର ନିର୍ମାଣ ପୂର୍ବରୁ ଘର ନିର୍ମାଣ ଶେଷ ପର୍ଯ୍ୟନ୍ତ ୪ ଥର ଜିଓଟ୍ୟାଗ ଫଟୋ ଉଠାଣ ପରେ ୪କିସ୍ତିରେ ୧ଲକ୍ଷ ୨୦ହଜାର ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ଜଣେ ମୃତ ହିତାଧିକାରୀଙ୍କର ବିନା ଘର ନିର୍ମାଣରେ ୩ କିସ୍ତିରେ ୯୦ହଜାର ଟଙ୍କା ପ୍ରଦାନ କରିବା ଭଳି ଏକ ବଡଧରଣର ଚଞ୍ଚକତା ଏବଂ ଦୁର୍ନୀତି ଉପରେ ତଦନ୍ତ କରାଯାଇ ଗରିବ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି ହୋଇଛିି। ଏଥିପ୍ରତି ଗ୍ରାମ୍ୟ ଉନ୍ନୟ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ବିଧବା ଜେମା ଦେଈଙ୍କୁ ଘର ଯୋଗାଇଦେବାକୁ ପରିବାର ସଦସ୍ୟ ଦାବି କରିଛନ୍ତି। ଏ ସଂର୍ପକରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ ଏ ସଂର୍ପକୀତ ଏକ ଅଭିଯୋଗ ପାଇଛନ୍ତି। ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଥିଲେ।
ସୂଚନା ଥାଉ କି ଗ୍ରାମୀଣ ଆବାସ ଅନିୟମିତତା ଘଟଣାରେ ତତ୍କାଳୀନ ଜନୈକ ବଡିଓ ଗତ ନଭେମ୍ବର ମାସରେ ଚାକୀରିରୁ ନିଲମ୍ବିତ ହୋଇଥିଲେ। ଏହା ସତ୍ୱେ ବ୍ଲକରେ ଗ୍ରାମୀଣ ଆବାସରେ ବ୍ୟାପକ ଅନିୟମିତତା ବାରମ୍ବାର ନଜରକୁ ଆସୁଥିବାରୁ ଏଥିପ୍ରତି ସରକାରଙ୍କ ୫-ଟି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି।

Comments are closed.