ଦୁର୍ନୀତି ରୋକିବାକୁ ସୁପ୍ରିମକୋର୍ଟରେ ମାମଲା

ଡାକ୍ତରଙ୍କୁ ଔଷଧ କମ୍ପାନୀର ମାଗଣା ଉପହାର

କୋଭିଡ୍‌ ମହାମାରୀ ବେଳେ ଡୋଲୋ-୬୫୦ ନିର୍ମାତା ବାଣ୍ଟିଛନ୍ତି ହଜାରେ କୋଟିର ଉପହାର

ନୂଆଦିଲ୍ଲୀ : ଦେଶର ଫାର୍ମାସ୍ୟୁଟିକାଲ ମାର୍କେଟିଂ କ୍ଷେତ୍ରରେ ଦୁର୍ନୀତି ବଢିବଢି ଚାଲିଛି । ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଡାକ୍ତରମାନଙ୍କୁ ବିପୁଳ ପରିମାଣର ମାଗଣା ଉପହାର ଦେଇ ଅନୈତିକ ଭାବେ ନିଜର ଔଷଧ ବିକ୍ରି ବଢାଇ ଚାଲିଛନ୍ତି। ଫଳରେ ରୋଗୀମାନେ ଅନାବଶ୍ୟକ ଔଷଧ କିଣି ଖର୍ଚ୍ଚାନ୍ତ ହେଉଛନ୍ତି। କାରଣ ମାଗଣା ଉପହାର ପ୍ରତିବଦଳରେ ଡାକ୍ତରମାନେ ରୋଗୀଙ୍କୁ ଅନାବଶ୍ୟକ ଔଷଧ ସେବନର ପରାମର୍ଶ ଦେଉଛନ୍ତି। ଆଉ ଡାକ୍ତରଙ୍କ ପରାମର୍ଶକୁ ବୁଝି ପାରୁ ନଥିବା ସାଧାରଣ ରୋଗୀ ଅଯଥାରେ ଔଷଧ ସେବନ କରୁଛନ୍ତି। ଫାର୍ମାସ୍ୟୁଟିକାଲ ମାର୍କେଟିଂରେ ଚାଲିଥିବା ଏହି ଦୁର୍ନୀତି ଏବେ ସୁପ୍ରିମକୋର୍ଟଙ୍କ ବିଚାରକୁ ଆସିଛି। ଏହି ପ୍ରସଙ୍ଗରେ ଫେଡେରେସନ ଅଫ ମେଡିକାଲ ଆଣ୍ଡ ସେଲସ୍ ରିପ୍ରେଜେଣ୍ଟଟେଟିଭ୍ ଆସୋସିଏସନ୍‌ ଅଫ ଇଣ୍ଡିଆ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାୟର କରିଛି। ପିଆଇଏଲ୍‌ ଅନୁଯାୟୀ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ମାଇକ୍ରୋ ଲ୍ୟାବ୍‌ ଏହାର ଉତ୍ପାଦ ‘ଡୋଲୋ-୬୫୦’ ବିକ୍ରି ନିମନ୍ତେ କରୋନା ମହାମାରୀ ସମୟରେ ଡାକ୍ତରମାନଙ୍କୁ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପହାର ବଣ୍ଟନ କରିଛି। ସିବିଡିଟିର କହିବାନୁଯାୟୀ ଉକ୍ତ କମ୍ପାନୀ ବିକ୍ରି ବଢ଼ାଇବା ପାଇଁ ଏହି ଉପହାର ବଣ୍ଟନ କରିଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସଞ୍ଜୟ ପାରିଖ କହିଛନ୍ତି ଯେ ମାଗଣା ଉପହାର ବଦଳରେ ଡାକ୍ତରମାନେ ଅସଙ୍ଗତି ସମନ୍ବୟର ଔଷଧ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମିତଙ୍କୁ ଡୋଲୋ ୬୫୦ଏମଜି ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ବିଚାରପତି ଏଏସ୍ ବୋପାନ୍ନାଙ୍କ ପୀଠ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କଠାରୁ ଏହି ପ୍ରସଙ୍ଗରେ ଜବାବ ଲୋଡିଛନ୍ତି। ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି ଯେ ‘ତୁମେ (ଓକିଲ ସଞ୍ଜୟ ପାରିଖ) ଯାହା କହୁଛ ଭୁଲ୍ ନୁହେଁ। ମୁଁ କରୋନା ସଂକ୍ରମିତ ହେବା ବେଳେ ଏହି ଔଷଧ ସେବନ କରିଥିଲି।’ ତେଣୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। କେନ୍ଦ୍ର ସରକାର ଏହା ଉପରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପରେ ୧୦ଦିନ ମଧ୍ୟରେ ଏହାର ଶୁଣାଣି କରାଯିବ। ପିଟିସନରେ କୁହାଯାଇଛି ଯେ ପାର୍ମାସ୍ୟୁଟିକାଲ ମାର୍କେଟିଂ କ୍ଷେତ୍ରରେ ଦୁର୍ନୀତି ହେଉଛି। ଭାରତରେ ଫାର୍ମାସ୍ୟୁଟିକାଲ ମାର୍କେଟିଂକୁ ନିୟନ୍ତ୍ରଣ ଲାଗି କୌଣସି ନିୟାମକ ସ୍ଥାପନ କରାଯାଇ ନାହିଁ। ତେଣୁ ଏହି ମାର୍କେଟିଂ ଦୁର୍ନୀତି ରୋକିବାକୁ ୟୁନିଫର୍ମ କୋଡ ଅଫ ଫାର୍ମାସ୍ୟୁଟିକାଲ ମାର୍କେଟିଂ ପ୍ରାକ୍ଟିସ୍ (ୟୁସିପିଏମପି) ଗଠନ କରିବା ଲାଗି କେନ୍ଦ୍ରକୁ ଆବଶ୍ୟକ ନିର୍ଦେଶ ଦେବାକୁ ପିଆଇଏଲ୍‌ରେ ନିବେଦନ କରାଯାଇଛି।

Comments are closed.