ଭାରତକୁ ଡେଇଁଲା ‘କରୋନା’

ଚୀନ୍‌ରୁ ଆସିଥିବା ୧୧ ଭାରତୀୟ ହସ୍‌ପିଟାଲରେ ଭର୍ତ୍ତି

ମୁମ୍ବଇ/କୋଚି/ଉହାନ୍‌:  ଚୀନ୍‌ରେ ଆତଙ୍କ ସୃଷ୍ଟି କରି ୨୬ ଜଣଙ୍କ ପ୍ରାଣହାନି ଘଟାଇବା ପରେ ଏବେ ଭାରତକୁ ଡେଇଁଲାଣି ମାରାତ୍ମକ ’କରୋନା’ ଭୂତାଣୁ। ଚୀନ୍‌ରୁ ଫେରୁଥିବା ୩ ଭାରତୀୟଙ୍କୁ ମୁମ୍ବଇ ବିମାନ ବନ୍ଦରରେ ପରୀକ୍ଷା କରାଯିବା ପରେ ସେମାନଙ୍କଠାରେ କରୋନା ଭୂତାଣୁ ରହିଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି। ବିମାନବନ୍ଦରରେ ରଖାଯାଇଥିବା ସ୍ବତନ୍ତ୍ର ଯାଞ୍ଚ ଯନ୍ତ୍ରରେ ଏହି ୩ ଜଣଙ୍କଠାରେ କରୋନା ଭୂତାଣୁ ରହିଥିବାର ସୂଚନା ମିଳିବା ପରେ ସେମାନଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ଲାଗି ବୃହତ୍‌ମୁମ୍ବଇର କସ୍ତୁରବା ହସ୍ପିଟାଲର ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି। ସନ୍ଦିଗ୍ଧ କରୋନା ଭୂତାଣୁ ସଂକ୍ରମିତଙ୍କ ପାଇଁ ଏହି ପ୍ରକୋଷ୍ଠ ଖୋଲାଯାଇଛି।

ସେହିପରି ଅଳ୍ପ ଦିନ ପୂର୍ବେ ଚୀନ୍‌ରୁ ଫେରିଥିବା ଦୁଇ ଡାକ୍ତରୀ ଛାତ୍ରୀଙ୍କୁ କେରଳର ଏର୍ଣ୍ଣାକୁଲମ୍‌ ମେଡିକାଲ କଲେଜର ସ୍ବତନ୍ତ୍ର ପ୍ରକୋଷ୍ଠରେ ପରୀକ୍ଷାନିରୀକ୍ଷା ପାଇଁ ରଖାଯାଇଛି। ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର ବିଶେଷ ଲକ୍ଷଣ ଦେଖାଯାଉ ନ ଥି​‌ଲେ ମଧ୍ୟ ସନ୍ଦେହରେ ଡାକ୍ତରୀ ନିରୀକ୍ଷଣ କରାଯାଉଥିବା ପ୍ରକାଶ। ଏହି ଦୁଇ ଛାତ୍ରୀ ଚୀନ୍‌ରୁ ଫେରିବା ପରେ ଥଣ୍ଡା ଓ ଜ୍ବରରେ ଆକ୍ରାନ୍ତ ହୋଇଥିବା​‌ ପ୍ରକାଶ। ସେମାନଙ୍କ ରକ୍ତ ଓ ଅନ୍ୟାନ୍ୟ ନମୁନାକୁ ପୁଣେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲଜିକୁ ପରୀକ୍ଷା ପାଇଁ ପଠାଯାଇଛି। କୋଚି ଆନ୍ତର୍ଜାତିକ ବିମାନବନ୍ଦରରେ ଚୀନ୍‌ ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ମିଶାଇ କେରଳରେ ମୋଟ ୭ଜଣଙ୍କୁ ଡାକ୍ତରୀ ତଦାରଖରେ ରଖାଯାଇଥିବା ଜଣାପଡ଼ିଛି। ଏହି ରାଜ୍ୟରେ ଚୀନ୍‌ରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ ୭୩ଜଣଙ୍କ ଉପରେ ନଜର ରଖାଯାଇଥିବା ରାଜ୍ୟ ସରକାର କହିଛନ୍ତି। ସେହିପରି ହାଇଦରାବାଦରେ ଜଣଙ୍କୁ ଡାକ୍ତରଙ୍କ ତତ୍ତ୍ବାଧାନରେ ରଖାଯାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି।

ଚଳିତ ସପ୍ତାହରେ ଚୀନ୍‌ରୁ ମୋଟ ୨୧ହଜାର ଭାରତୀୟ ପ୍ରତ୍ୟାବର୍ତ୍ତନ କଲେଣି। ପୂର୍ବରୁ ୭ଟି ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା କରାଯାଇଥିବାବେଳେ ଶୁକ୍ରବାର ଏହି ସଂଖ୍ୟା ୧୨କୁ ବୃଦ୍ଧି କରାଯାଇଛି। ଦିଲ୍ଲୀଠାରୁ ଆରମ୍ଭକରି ବିଭିନ୍ନ ରାଜ୍ୟର ପ୍ରମୂୁଖ ଡାକ୍ତରଖାନାରେ ସନ୍ଦିଗ୍ଧ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି। କେରଳରେ ସତର୍କତା ଅଭିଯାନ ସାର୍ବଜନିନ କରାଯାଇଛି।
ଇତିମଧ୍ୟରେ ଚୀନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୮୪୦ ଅତିକ୍ରମ କରିଛି ଓ ମୃତ୍ୟୁସଂଖ୍ୟା ୨୬ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଚୀନ୍‌ ସରକାର ଦେଶର ୧୩ଟି ସହରକୁ ବନ୍ଦ କରିଦେଇଛନ୍ତି। ଏଥିମଧ୍ୟରେ ଝିନ୍‌ଜିଆଙ୍ଗ, ଏନ୍‌ସି, ସିଆଓଗାନ୍‌, ସିଆନିଂ ଆଦି ସହର ରହିଛି। ଏହି ସହରକୁ ବାହାର ଯାନବାହନ ଯା’ଆସ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଶେଷକରି ହୁବେଇ ପ୍ରଦେଶର ରାଜଧାନୀ ଉହାନ ସମେତ ସମସ୍ତ ସହର ବନ୍ଦ ରହିଛି। ଜୀବଜନ୍ତୁଙ୍କ ବଜାର (ମାଂସ ବଜାର)ଗୁଡ଼ିକ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏମିତିକି ପ୍ରସିଦ୍ଧ ବୃହତ୍‌ ପ୍ରାଚୀରର କିଛି ଅଂଶ, ଇନ୍‌ସାନ୍‌ ପାଗୋଡ଼ା, ମିଙ୍ଗ୍‌ ଟମ୍ବ୍‌ ସହିତ ପ୍ରସିଦ୍ଧ ବାର୍ଡସ୍‌ ନେଷ୍ଟ ଷ୍ଟାଡିୟମକୁ ମଧ୍ୟ ସରକାର ବନ୍ଦ କରିଛନ୍ତି। ହୁବେଇ ସଂଲଗ୍ନ ବିଭିନ୍ନ ପ୍ରଦେଶରେ ସର୍ବସାଧାରଣ ପରିବହନ ଓ ଭ୍ରମଣ କଟକଣା ଜାରି କରାଯାଇଛି। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ମନୋରଞ୍ଜନ କ୍ଷେତ୍ର ମଧ୍ୟ ବନ୍ଦ ରଖାଯାଇଛି। ଏହି ବନ୍ଦ କାରଣରୁ ଉହାନ୍‌ରେ ୩୯ ଭାରତୀୟ ଅଟକି ରହିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ କେରଳର ୨୦ ଛାତ୍ରଛାତ୍ରୀ ରହିଛନ୍ତି। ବେଜିଂସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ସାହାଯ୍ୟ ବ୍ୟବସ୍ଥା କରାଯାଉଛି। ସେଠାରେ ପାଳନ ହେବାକୁ ଥିବା ଜନରାଜ୍ୟ ଦିବସ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ୨୦୦୨-୦୩ରେ ଏହି ଭଳି ଭୂତାଣୁ (ଏକ ପ୍ରକାର ନିମୋନିଆ) ସଂକ୍ରମଣରେ ଚୀନ୍‌ ଓ ହଂକଂରେ ୬୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

Comments are closed.