କରୋନାରେ ଡାକ୍ତର ଲି’ଙ୍କ ମୃତ୍ୟୁ ନେଇ ତୀବ୍ର ପ୍ରତିକ୍ରିୟା, ଚୀନ୍‌ରେ ସ୍ବାଧୀନତାର ସ୍ବର

ବେଜିଂ : କରୋନା ଭୂତାଣୁ ସମ୍ପର୍କରେ ପ୍ରଥମ ସୂଚନାଦାତା ଆଖି ଡାକ୍ତର ଲି ୱେନ୍‌ଲିଆଙ୍ଗ ନିଜେ ଏହାର ଶିକାର ହେବା ପରେ ଚୀନ୍‌ରେ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି। ଲି’ଙ୍କୁ ତାଙ୍କ ସୂଚନା ପାଇଁ ସରକାର ଜେଲ୍‌ରେ ରଖିବା ସହ କରୋନା ଭୂତାଣୁ ବ୍ୟାପିବା ଘଟଣାକୁ ଚପାଇବା ଉଦ୍ୟମ କରିଥିଲେ ଓ ଏହାର ମୁକାବିଲାରେ ଆରମ୍ଭରୁ ଉଦାସୀନତା ଅବଲମ୍ବନ କରିଥିଲେ ବୋଲି ଅଭିଯୋଗ କରି ଲୋକେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷୁବ୍ଧ ଜନତା ଅଧିକ ସ୍ବାଧୀନତା ଦାବି କରିଛନ୍ତି। ଦୀର୍ଘ ଦିନ ଧରି କରୋନାର ନାଭିକେନ୍ଦ୍ର ହୁବେଇ ପ୍ରଦେଶର ରାଜଧାନୀ ଉହାନ ସମେତ ୧୨ରୁ ଅଧିକ ସହରକୁ ବନ୍ଦ କରି ରଖିବା ଦ୍ବାରା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବସ୍ତୁତଃ କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ ଦେଶରେ ସାମାଜିକ ସଂକଟ କରିଥିବା ଲକ୍ଷ୍ୟ କରାଯାଇଛି। ଏହାକୁ ନେଇ ଚୀନ୍‌ରେ ସ୍ବାଧୀନତାର ସ୍ବର ଉତ୍ତୋଳିତ ହୋଇଛି।

ସାଧାରଣ ଜନତା ଲି’ଙ୍କୁ ‘ହୀରୋ’ ଦର୍ଶାଇ ସାମାଜିକ ଗଣମାଧ୍ୟମରେ ସମବେଦନାର ସୂଅ ଛୁଟାଇଛନ୍ତି। ଲି’ଙ୍କ ସହିତ ବନ୍ଦୀ ହୋଇଥିବା ୮ ସହଯୋଗୀଙ୍କୁ ମଧ୍ୟ ଲୋକେ ନାୟକର ମାନ୍ୟତା ଦେଇଛନ୍ତି। ‘ବାକ୍‌ ସ୍ବାଧୀନତା ଦରକାର’, ‘ଆମେ ଅଭିବ୍ୟକ୍ତିର ସ୍ବାଧୀନତା ଚାହୁଁ’ ଇତ୍ୟାଦି ଦାବି ସାମାଜିକ ଗଣମାଧ୍ୟମରେ ଛାଇଯାଇଛି। ‘କମ୍ୟୁନିଷ୍ଟ ପାର୍ଟି ଓ ଦେଶର ସରକାର ଦେଇଥିବା ସ୍ବାଧୀନତା ଆବଶ୍ୟକ ନାହିଁ; ଆମେ ଆମର ଖାଉନ୍ଦ ହେଲା ଭଳି ଆଇନ ଚାହୁଁ’ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି। ‘ଦୁଃଖ ଓ ଶୋକ ବ୍ୟତୀତ ବିଶ୍ବର ସବୁ ବିଷୟକୁ ଚାପି ଦେଇହେବ’ ବୋଲି ବୋଲି ବହୁ ଲୋକ ମତ ଦେଇଛନ୍ତି। ଇଣ୍ଟରନେଟ୍‌ରେ ଲି’ଙ୍କ ମୃତ୍ୟୁ ସମ୍ପର୍କିତ ଖବରକୁ ପ୍ରଥମ କେଇ ଘଣ୍ଟା ମଧ୍ୟରେ ୧୨ନିୟୁତରୁ ଅଧିକ ଲୋକ ସନ୍ଧାନ କରିଛନ୍ତି। ଟ୍ବିଟର ଭଳି ଲୋକପ୍ରିୟ ୱିବୋ ଏହି ପ୍ରଚାରର ପ୍ରମୁଖ ସ୍ରୋତ ପାଲଟିଛି। ୧୯୧୧ରେ ଦେଶରେ ହୋଇଥିବା ବିଦ୍ରୋହର କେନ୍ଦ୍ର ଥିଲା ଉହାନ୍‌; ଏବେ ଏହାର ପୁନରାବୃତ୍ତି ହେବାକୁ ଯାଉଛି; ସେତେବେଳେ ରାଜ ପରିବାର ଶାସନର ଅନ୍ତ ଘଟିଥିଲା; ଏବେ କମ୍ୟୁନିଷ୍ଟ ପାର୍ଟିର ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିବ ବୋଲି କେହିକେହି ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହୁବେଇ ଓ ଉହାନର ପ୍ରଶାସନିକ ଅଧିକାରୀମାନେ ଜନତାଙ୍କ ତୀବ୍ର ପ୍ରତିବାଦ ଓ ସମାଲୋଚନାର ଶିକାର ହେବା ଆରମ୍ଭ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନା ମୁକାବିଲା ନେଇ ଚୀନ୍‌କୁ ପ୍ରଶଂସା କରିଥିଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ୁ ନାହିଁ। ସରକାର ଗୁଜବ ପ୍ରଚାର ଦମନ ଆଳରେ ଯେଉଁ କଟକଣା ଜାରି କରିଛନ୍ତି ତାହା ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।

ଲି’ଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ

ଚୀନ୍‌ ସରକାରଙ୍କ ନିର୍ଦେଶକ୍ରମେ କରୋନା ଭୂତାଣୁ ସଂକ୍ରମଣରେ ଡାକ୍ତର ଲି’ଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ହୋଇଛି। ଲି’ଙ୍କ ସୂଚନାକୁ ଯଦି ସରକାର ଆରମ୍ଭରୁ ଗୁରୁତ୍ବ ଦେଇଥାଆନ୍ତେ; ତେବେ ବର୍ତ୍ତମାନର ପରିସ୍ଥିତି ଉପୁଜି ନ ଥାନ୍ତା। ସରକାରଙ୍କ ଅବହେଳା ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇଛି ବୋଲି କ୍ରୋଧିତ ଜନତା ମତପ୍ରକାଶ କରିବା ପରେ ଦେଶର‘ଶୃଙ୍ଖଳା ତଦାରଖକାରୀ କମିସନ୍‌’ ତୁରନ୍ତ ଅଭିଯୋଗ ଉରେ ତଦନ୍ତ ଆରମ୍ଭ କରିଛନ୍ତି। କମିସନ୍‌ ସଦସ୍ୟମାନେ ଉହାନ ଯାଇ ଲି’ଙ୍କ ସୂଚନା ଓ ତତ୍‌ସମ୍ପର୍କିତ ଘଟଣାପ୍ରବାହ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ଅପରପକ୍ଷରେ ଚୀନ୍‌ ସୁପ୍ରିମକୋର୍ଟ ଉହାନ ପୁଲିସକୁ ତୀବ୍ର ସମାଲୋଚନା କରିଛନ୍ତି। ଲି’ ଓ ତାଙ୍କ ସହଯୋଗୀଙ୍କ ସୂଚନାକୁ ଗୁରୁତ୍ବ ନ ଦେଇ ପୁଲିସ ଏହାକୁ ଗୁଜବ ବୋଲି ଭାବିବା ଓ ସେମାନଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ଦ୍ବାରା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି।

Comments are closed.