ଇପିଏଫ୍ ଦେୟ ସରକାର ଦେବେ

ନୂଆଦିଲ୍ଲୀ : ସମ୍ପ୍ରତି କରୋନା ଭୁତାଣୁ ସଂକ୍ରମଣଜନିତ ଲକ୍ଡାଉନ ପରିସ୍ଥିତିରେ ପ୍ରାୟ ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବା ସହିତ ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ଏଭଳି ପରିସ୍ଥିତିରେ ବ୍ୟବସାୟିକ ସଂସ୍ଥା ଏବଂ ଉଦ୍ୟୋଗଗୁଡିକର ବୋଝ ହାଲୁକା କରିବାକୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ରିଲିଫ ଘୋଷଣା କରିଛନ୍ତି। ତଦନୁଯାୟୀ ୧୦୦ ଜଣ ପର୍ଯ୍ୟନ୍ତ କର୍ମଚାରୀ ରହିଥିବା ଏବଂ ସେମାନଙ୍କ ମଧ୍ୟରୁ ୯୦% ୧୫ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପାଉଥିବା ଶ୍ରମିକ, କର୍ମଚାରୀ ରହିଥିଲେ ସେ କ୍ଷେତ୍ରରେ କେନ୍ଦ୍ର ସରକାର ଆଗାମୀ ତିନିମାସ ପର୍ଯ୍ୟନ୍ତ କର୍ମଚାରୀମାନଙ୍କର ଭବିଷ୍ୟନିଧି ଦେୟ ଅଂଶ ଏବଂ ନିଯୁକ୍ତିଦାତାଙ୍କର ଏ ବାବଦ ଅଂଶ ଉଭୟ ପୈଠ କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଏହି ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ନିକଟରେ ପ୍ରକାଶକରି ଅର୍ଥମନ୍ତ୍ରୀ କହିଛନ୍ତି ଯେ କର୍ମଚାରୀଙ୍କର ୧୨% ଏବଂ ନିଯୁକ୍ତିଦାତାଙ୍କର ୧୨% ଭବିଷ୍ୟନିଧି ଦେୟ କେନ୍ଦ୍ର ସରକାର ପୈଠ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ତିନିମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏଥିସହିତ ସେ କହିଛନ୍ତି ଯେ କରୋନା ଭୁତାଣୁ ସଂକ୍ରମଣ ପରିସ୍ଥିତିରେ ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତଦନୁଯାୟୀ ଭବିଷ୍ୟନିଧି ପାଣ୍ଠିର ହିତାଧିକାରୀମାନେ ଅଣଫେରସ୍ତଯୋଗ୍ୟ ଅଗ୍ରୀମର ୭୫% ଅଥବା ତିନିମାସର ବେତନ ମଧ୍ୟରୁ ଯେଉଁଟି କମ୍ ହେବ ତାହା ସେମାନଙ୍କ ଭବିଷ୍ୟନିଧି ଆକାଉଣ୍ଟରୁ ଉଠାଇ ପାରିବେ। ଏହାଦ୍ୱାରା ଇପିଏଫ୍ରେ ପଞ୍ଜିକୃତ ୪.୮ କୋଟି ଶ୍ରମିକ, କର୍ମଚାରୀ ଉପକୃତ ହୋଇପାରିବେ। ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା କରିବାକୁ ଏହି ଅର୍ଥ ସେମାନଙ୍କ ନିମନ୍ତେ ଉପଯୋଗୀ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।