କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ : କରୋନା ଗୁଜବ ରୋକ

ନୂଆଦିଲ୍ଲୀ : କରୋନା ଅପେକ୍ଷା ଏତଦ୍‌ଜନିତ ଆତଙ୍କ ଅଧିକ ପ୍ରାଣଘାତୀ ହେବ। କରୋନାକୁ ନେଇ ବହୁ ମିଥ୍ୟା ଖବର ପ୍ରସାରଣ ହେଉଛି। ସ୍ବତନ୍ତ୍ର ସରକାରୀ ଚାନେଲ ଓ ପୋର୍ଟାଲ ମାଧ୍ୟମରେ କରୋନା ସଂକ୍ରାନ୍ତ ଖବର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ପାଖରେ ପହଞ୍ଚାଯିବା ଉଚିତ। ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର କେନ୍ଦ୍ର ଖୋଲାଯାଉ; ଯେଉଁଠି ବିଶେଷଜ୍ଞଙ୍କ ସହ ‘ଏମ୍ସ’ର ବରିଷ୍ଠ ଡାକ୍ତର ଉପସ୍ଥିତ ରହି ଲୋକଙ୍କ ବିଭ୍ରାନ୍ତି ଦୂର କରିବେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ପଦକ୍ଷେପ ନିଆଯିବା ଆବଶ୍ୟକ। ମିଥ୍ୟା ଖବର ପ୍ରସାରଣକାରୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏଥିସହିତ ନିଜ ଗାଁକୁ ଯିବା ପାଇଁ ଉଦ୍‌ବିଗ୍ନ ଦେଶାନ୍ତରୀ ଶ୍ରମିକଙ୍କୁ ବୁଝାଇସୁଝାଇ ସେମାନଙ୍କ ମନରୁ ଭୟ ଦୂର କରିବା ଉଚିତ। ଘରମୁହାଁ ଶ୍ରମିକଙ୍କୁ ଅଟକାଯିବା ସହ ସେମାନଙ୍କ ପାଇଁ ଆଶ୍ରୟ କେନ୍ଦ୍ର, ଖାଦ୍ୟ ଓ ପାନୀୟ ଯୋଗାଣ ଏବଂ ଚିକିତ୍ସା ବ୍ୟବସ୍ଥା କରାଯିବା ଉଚିତ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଓ ବିଚାରପତି ଏଲ୍‌. ନାଗେଶ୍ବର ରାଓଙ୍କୁ ନେଇ ଗଠିତ ପୀଠ ମଙ୍ଗଳବାର ଏଭଳି ଭାବେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବା ଉଚିତ ବୋଲି ପୀଠ ପରାମର୍ଶ ଦେଇଛନ୍ତି। ସରକାର ଚାହିଁଲେ ଭଜନ-କୀର୍ତ୍ତନ ବା ନମାଜ ମାଧ୍ୟମରେ ଲୋକଙ୍କ ମନୋବଳ ଦୃଢ଼ କରିପାରନ୍ତି। ସଚେତନତା ପାଇଁ ବିଭିନ୍ନ ଗୋଷ୍ଠୀର ନେତାଙ୍କୁ ଉପଯୋଗ କରିପାରନ୍ତି; ନଚେତ୍‌ ଭୟରେ ଅଧିକ ଲୋକ ପ୍ରାଣ ହରାଇବାର ଆଶଙ୍କା ରହିଛି ବୋଲି ପ୍ରଧାନ ବିଚାରପତି ସରକାରଙ୍କୁ ଚେତାଇ ଦେଇଛନ୍ତି।
ଦେଶାନ୍ତରୀ ଶ୍ରମିକଙ୍କ ପ୍ରସଙ୍ଗରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଚାରପତିଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଶ୍ରମିକଙ୍କ ପାଇଁ ଆଶ୍ରୟ କେନ୍ଦ୍ର ଖୋଲିବା ଓ ସେମାନଙ୍କ ହାନିଲାଭ ବୁଝିବା ପାଇଁ ପୁଲିସ ନୁହେଁ; ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବାକୁ ପୀଠ ନିର୍ଦେଶ ଦେବା ପରେ ସଲିସିଟର ଜେନେରାଲ ତୁଷାର ମେହତା ପୀଠକୁ ଜଣାଇଛନ୍ତି ଯେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲୋକଙ୍କୁ; ବିଶେଷକରି ଘରମୁହାଁ ଶ୍ରମିକଙ୍କୁ ବୁଝାଇବା ସହ ଥଇଥାନ କରିବା ପାଇଁ ଧାର୍ମିକ ନେତା ଓ ସାମାଜିକ କର୍ମୀଙ୍କୁ ଆବଶ୍ୟକ ତାଲିମ ସହିତ ନିୟୋଜିତ କରାଯିବ। ପୀଠଙ୍କ ପରାମର୍ଶକ୍ରମେ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମେହତା ପ୍ରତିଶ୍ରୁତି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରିବା ପାଇଁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟର ହାଇକୋର୍ଟଗୁଡ଼ିକ ଚାହିଁଲେ ଶ୍ରମିକଙ୍କ ସମସ୍ୟା ସମାଧାନ ପ୍ରକ୍ରିୟା ପରିଚାଳନା କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ନିର୍ଦେଶ ସମ୍ପର୍କରେ ହାଇକୋର୍ଟଗୁଡ଼ିକୁ ଅବଗତ କରିବା ପାଇଁ ସଲିସିଟର ଜେନେରାଲଙ୍କୁ ପ୍ରଧାନ ବିଚାରପତି ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଉତ୍ତରପ୍ରଦେଶର ବରେଲିଠାରେ ସୋମବାର ଶ୍ରମିକଙ୍କୁ କ୍ଳୋରିନ ପାଣିରେ ଗାଧୋଇ ଦିଆଯିବା ନେଇ ପୀଠ ଅସନ୍ତୋଷ ବ୍ୟକ୍ତ କରିବାରେ ସଲିସିଟର ଜେନେରାଲ କହିଥିଲେ ଯେ ଏଭଳି କାର୍ଯ୍ୟ ବିଜ୍ଞାନସମ୍ମତ ନୁହେଁ। ଏହା ଉଚିତ ହୋଇ ନାହିଁ। ଉତ୍ତରପ୍ରଦେଶ ସରକାର ଏ ନେଇ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।

Comments are closed.