ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଅର୍ଥ ଦେବାକୁ ଜନସାଧାରଣଙ୍କୁ ଧାୱନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ସରକାରଙ୍କୁ ବ୍ୟାପକ ଅର୍ଥ ବ୍ୟୟ କରିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନାଗରିକ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ଦେବାକୁ ଆହ୍ବାନ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଓପନର୍‌ ଶିଖର ଧାୱନ୍‌।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିକିଆ ତାଲାବନ୍ଦୀ ଘୋଷଣା କରିଥିବାରୁ ପରିବାର ସହ ଘରେ ସମୟ ଅତିବାହିତ କରିବାକୁ ଧାୱନ୍‌ ଦେଶବାସୀଙ୍କୁ ଆହ୍ବାନ ଦେବା ସହ ନିଜ ତରଫରୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଅର୍ଥ ପ୍ରଦାନ କରିବାକୁ କହିଛନ୍ତି। ଦେଶ ଏକ କଷ୍ଟକର ସମୟ ଦେଇ ଗତି କରୁଥିବାରୁ ସମସ୍ତେ ମିଳିମିଶି ସରକାରଙ୍କୁ ସହାୟତା କରିବାକୁ ଆଗେଇ ଆସିବାକୁ ଧାୱନ୍‌ ମତ ଦେବା ସହ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ ଅର୍ଥ ଦ୍ବାରା ଅଭାବୀ ଲୋକେ ଉପକୃତ ହୋଇପାରିବେ ବୋଲି ଦର୍ଶାଇଛନ୍ତି।
ସୂଚନାଥାଉକି, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍‌ ପୱନ୍‌ କଲ୍ୟାଣ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିବା ବେ​ଳେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫାଣ୍ଠିକୁ ଏକକୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ତାରକା ମଲ୍ଲଯୋଦ୍ଧା ତଥା ରେଳବାଇରେ ଚାକିରି କରୁଥିବା ବଜରଙ୍ଗ ପୁନିଆ ଛଅମାସର ଦରମା ହରିୟାଣା ସରକାରଙ୍କ କରୋନା ଭାଇରସ୍‌ ରିଲିଫ୍‌ ପାଣ୍ଠିିକୁ ପ୍ରଦାନ କରିଥିବା ବେଳେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏମ୍‌ପି ଲ୍ୟାଡ୍‌ ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାକୁ ପ୍ରଦାନ କରିଛନ୍ତି। ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଅଭାବୀ ଓ ଖଟିଖିଆଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ପଦାର୍ଥ ଯୋଗାଇ ଦେବାକୁ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌ ତରଫରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଆପାତକାଳୀନ ରିଲିଫ୍‌ ଫାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହାର ସଭାପତି ଅଭିଷେକ ଡାଲମିଆଁ ବ୍ୟକ୍ତିଗତ ଭାବେ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି।

Comments are closed.