କରୋନା ପାଇଁ ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ବର : ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ଧାର୍ଯ୍ୟ ପାଇଁ ଗତ ମାସରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ରେ ଶୁଣାଣି ହୋଇଥିଲା। ତେବେ ଚଳିତ ମାସରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ନେଇ ନିଷ୍ପତ୍ତି ଘୋଷଣା କରାଯାଇଥାନ୍ତା। ହେଲେ ସାରା ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ଆପଦକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବିଦ୍ୟୁତ୍‌ ଶୁଳ୍କ ନେଇ ଓଇଆର୍‌ସିଙ୍କ ନିଷ୍ପତ୍ତି ମଧ୍ୟ ପରବର୍ତ୍ତୀ ନିର୍ଦେଶନାମା ଘୋଷଣା ନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ଜଣାପଡିଛି। ତେଣୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ଏପ୍ରିଲ୍‌ ୧ରୁ ଲାଗୁ ବିଦ୍ୟୁତ୍ ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି ଓଇଆର୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।
ସୁପ୍ରିମକୋର୍ଟଙ୍କର ରହିଥିବା ଏକ ନିର୍ଦେଶନାମା ବଳରେ ଓଇଆର୍‌ସି ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସେହିପରି ଆବଣ୍ଟନକାରୀ ସଂସ୍ଥା ସେସୁକୁ ଟାଟା ପାୱାର ଅଧିଗ୍ରହଣ କରିବା ଲାଗି ଏକ ପ୍ରକାର ଚୂଡାନ୍ତ ହୋଇଥିବା ନିଷ୍ପତ୍ତି ମଧ୍ୟ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଜଣାପଡିଛି।

Comments are closed.