ଗରମପାଣିରେ ମରିବ କରୋନା ଭୂତାଣୁ: ରୁଷ ବୈଜ୍ଞାନିକଙ୍କ ଦାବି

କରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ସାରା ବିଶ୍ଵର ବୈଜ୍ଞାନିକମାନେ ଉପାୟ ଖୋଜୁଛନ୍ତି । ନିୟମିତ ପରିଷ୍କାର ପରିଚ୍ଛନ୍ନ ରହିବା, ସାମାଜିକ ଦୂରତ୍ଵ ଅବଲମ୍ବନ କରିବା, ବାରମ୍ବାର ହାତ ଧୋଇବା ଆଦି ନିମନ୍ତେ ପରାମର୍ଶ ଦିଆଯାଉଛି । ଏହି ଅବସରରେ ରୁଷର ବୈଜ୍ଞାନିକମାନେ କରୋନା ଭୂତାଣୁ ମାରିବା ନିମନ୍ତେ ଗରମ ପାଣି ହିଁ ଯଥେଷ୍ଟ ବୋଲି କହିଛନ୍ତି । ରୁଷର ରିସର୍ଚ ସେଣ୍ଟର ଅଫ୍ ଭାଇରୋଲୋଜି ଏଣ୍ଡ ବାୟୋଟେକ୍ନୋଲୋଜି ଭେକ୍ଟର ଦ୍ବାରା ଏହି ଦାବି କରାଯାଇଛି ।

ଫୁଟନ୍ତା ପାଣିରେ ମରିବ କରୋନା ଭୂତାଣୁ

ଅଧ୍ୟୟନରୁ ମିଳିଥିବା ସୂଚନା ଅନୁସାରେ ପାଣି କରୋନା ଭୂତାଣୁକୁ ୭୨ ଘଣ୍ଟା ମଧ୍ୟରେ ପୁରା ନଷ୍ଟ କରିବାକୁ ସମର୍ଥ। ୯୦% ଭୂତାଣୁ ପାଣିରେ ୨୪ ଘଣ୍ଟା ମଧ୍ୟରେ ମରି ଯାଆନ୍ତି ଓ ୯୯.୯% ଭୂତାଣୁ ଘର ଭିତରେ ସାଧାରଣ ତାପମାତ୍ରାରେ ଥିବା ପାଣିରେ ତିଷ୍ଠି ରହିପାରନ୍ତି ନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଫୁଟନ୍ତା ପାଣିର ତାପମାତ୍ରାରେ ଭୂତାଣୁ ମଧ୍ୟ ନଷ୍ଟ ହୋଇ ଯାଆନ୍ତି । କିଛି ପରିସ୍ଥିତିରେ ଭୂତାଣୁ ପାଣିରେ ଜୀଇପାରନ୍ତି ସତ, ମାତ୍ର ସମୁଦ୍ର ବା ତାଜା ପାଣିରେ ଏମାନଙ୍କର ବୃଦ୍ଧି ଘଟିପାରେ ନାହିଁ । ତେବେ ଫୁଟନ୍ତା ପାଣିରେ ଭୂତାଣୁ ପୁରା ନଷ୍ଟ ହୋଇଯାଇଥାଏ ।

ଭୂତାଣୁ ଗୋଟିଏ ସ୍ଥାନରେ ବେଶୀ ସମୟ ବଞ୍ଚି ପାରେ ନାହିଁ

ବୈଜ୍ଞାନିକମାନ​‌ଙ୍କ ଦାବି ଅନୁସାରେ କରୋନା ଭୂତାଣୁ ଷ୍ଟିଲ, ଲିନୋଲିୟମ, କାଚ, ପ୍ଲାଷ୍ଟିକ, ସେରାମିକ ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ । ତେବେ ଏହାକୁ ଘରେ ବ୍ୟବହାର କରାଯାଉଥିବା କୀଟନାଶକ ଦ୍ବାରା ମଧ୍ୟ ନିଷ୍କ୍ରିୟ କରାଯାଇପାରେ। ଅର୍ଥାତ୍ ଘରୋଇ ବ୍ୟବହାର ନିମନ୍ତେ ଅଣାଯାଉଥିବା କୀଟନାଶକ କରୋନା ଉପରେ ପ୍ରଭାବଶାଳୀ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

୩୦ ସେକେଣ୍ଡରେ କରୋନା ଭୂତାଣୁ ନିଷ୍କ୍ରିୟ 

ଗବେଷକମାନଙ୍କ ତଥ୍ୟ ଅନୁସାରେ ୩୦% କନସନଟ୍ରେଡ଼୍ ଏଥିଲ ଓ ଆଇସୋପ୍ରୋପାଇଲ ଆରଲକୋହଲରେ ଅଧା ମିନିଟ୍ ମଧ୍ୟରେ ପ୍ରାୟ ୧ ଲକ୍ଷ ଭୂତାଣୁକୁ ନିଷ୍କ୍ରିୟ କରାଯାଇ ପାରିବ । ୬୦%ରୁ ଅଧିକ ଆଲକୋହଲ ଥିବା ସାନିଟାଇଜରରେ ଭୂତାଣୁ ମରିବେ ବୋଲି ଯାହା କୁହାଯାଉଛି ତାହା ଅତିରଞ୍ଜିତ ଏବଂ ଏଥିପାଇଁ ଏତେ ପରିମାଣରେ ଆଲକୋହଲର ଆବଶ୍ୟକତା ନାହି। କୀଟାଣୁ ମାରିବା ପାଇଁ କ୍ଲୋରିନ ମଧ୍ୟ ଅନେକ ପରିମାଣରେ ସକ୍ଷମ ଏବଂ କ୍ଲୋରିନ ପାଣି ଛିଞ୍ଚାଯାଇ କୋବିଦ ଭୂତାଣୁକୁ ୩୦ ସେକେଣ୍ଡ ମଧ୍ୟରେ ନଷ୍ଟ କରାଯାଇ ପାରିବ ବୋଲି ଏହି ବୈଜ୍ଞାନିକମାନେ କହିଛନ୍ତି ।

Comments are closed.