କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ମାସର ଦରମା ଦେଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର/ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ-୧୯ଫଣ୍ଡ)କୁ ତିନିମାସର ଦରମା ପ୍ରଦାନ କରି ଏଥିପାଇଁ ସହାୟତାର ହାତ ବଢ଼ାଇବାକୁ ଅନ୍ୟମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ର ନିଜର ତିନିମାସର ଦରମା ଏହି ପାଣ୍ଠିକୁ ପ୍ରଦାନ କରିଛନ୍ତି।
ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନିମାସର ଦରମା ଦେବା ସହ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକରେ ଏହାର ମୁକାବିଲା ପାଇଁ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ, ସୁଶାନ୍ତ କୁମାର ରାଉତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଧ୍ରୁବ ଚରଣ ସାହୁ, ଭାଗୀରଥି ସେଠୀ, ଶଶିଭୂଷଣ ବେହେରା, ପ୍ରଶାନ୍ତ କୁମାର ମୁଦୁଲି, ଲତିକା ପ୍ରଧାନ, ସାବିତ୍ରୀ ଅଗ୍ରୱାଲ ପ୍ରମୁଖ ତିନିମାସର ଦରମା ପ୍ରଦାନ କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସେମାନଙ୍କର ମାସକର ଦରମା ଏହି ପାଣ୍ଠିକୁ ଦାନ କରିଛନ୍ତି।
ରାଜ୍ୟସଭାକୁ ନବ ନିର୍ବାଚିତ ସଦସ୍ୟ ସୁବାସ ଚନ୍ଦ୍ର ସିଂହ ଏହି ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦେବା ସହ ତାଙ୍କ ହାତରେ ପତ୍ନୀ ନିବେଦିତା ଦାସ ଦେଇଥିବା ୧୦ହଜାର ଟଙ୍କା ଏବଂ କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ସନ୍ତାଷ କୁମାର ଲେଙ୍କା ଦେଇଥିବା ୧୫ହଜାର ଟଙ୍କା ପ୍ରଦାନ କରିଛନ୍ତି।

Comments are closed.