କରୋନା ଦୁର୍ଜୟ ନୁହେଁ

ଏକ ନୂଆ ଭୂତାଣୁ କୋଭିଡ-୧୯ରେ ସମଗ୍ର ବିଶ୍ୱ ଆକ୍ରାନ୍ତ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ଭୂତାଣୁ ଯୋଗୁଁ ବିଶ୍ୱବ୍ରହ୍ମାଣ୍ଡ ଅଚଳ ଅବସ୍ଥାକୁ ଆସିଯାଇଛି। ଭୂତାଣୁ ଭୟରେ ଅଧାରୁ ଅଧିକ ବିଶ୍ୱବାସୀ ଗୃହବନ୍ଦୀ । ଅର୍ଥନୈତିକ କାରବାର ସ୍ଥାଣୁ। ଅନେକ ରାଷ୍ଟ୍ରରେ ତାଲାବନ୍ଦ ଘୋଷଣା କରାଯାଇଛି, ଅର୍ଥାତ ସମସ୍ତ ପ୍ରକାର ବ୍ୟବସାୟିକ ଓ ନିତ୍ୟ ନୈମିତ୍ତିକ କାରବାର ବନ୍ଦ ରଖାଯାଇଛି । କଳକାରଖାନା ବନ୍ଦ । ବିମାନ ଚଳାଚଳ ସ୍ଥଗିତ । ରେଳ ସେବା ବାତିଲ। ସର୍ବସାଧାରଣ ଚଳପ୍ରଚଳ ନିଷିଦ୍ଧ। ଅଦ୍ୟାବଧି ବିଶ୍ୱର ୨୦୦ଟି ରାଷ୍ଟ୍ରରେ ଏହି ଭୂତାଣୁ ସଂକ୍ରମଣ ଦେଖାଦେଇଛି। ଏଥିଯୋଗୁଁ ୩୨ ହଜାରକୁ ଅଧିକ ବ୍ୟକ୍ତିଙ୍କ ଜୀବନ ଗଲାଣି ଏବଂ ୭ ଲକ୍ଷରୁ ଊର୍ଦ୍ଧ୍ବ ପୀଡ଼ିତ ଚିକିତ୍ସା ହେପାଜତରେ ରହିଛନ୍ତି । ଆମେରିକା, ଚୀନ, ସ୍ପେନ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ ପରି ବିକଶିତ ରାଷ୍ଟ୍ର୍ରର ଅବସ୍ଥା ଭୟାନକ । ଆଗକୁ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ବ୍ୟକ୍ତ କରୁଛନ୍ତି ବିଶେଷଜ୍ଞମାନେ । ନୂଆ ଭୂତାଣୁଟି ଏପରି ଭାବେ କାୟା ବିସ୍ତାର କରୁଛି ଯେ ସମଗ୍ର ମାନବ ସଭ୍ୟତା ନିଜକୁ ଅସହାୟ ମନେ କରୁଛି । ଏହି ଭୂତାଣୁର ଟିକା ଆବିଷ୍କାର ପାଇଁ ବିଭିନ୍ନ ରାଷ୍ଟ୍ରରେ ଗବେଷଣା ଆରମ୍ଭ ହୋଇଗଲାଣି ସତ; ତେବେ ଗବେଷଣାଗତ ସଫଳତା, ଟିକା ଉତ୍ପାଦନ ଓ ଏହାର ସୁଲଭ ବଜାର ପ୍ରବେଶ ପାଇଁ କେତେ ସମୟ ଲାଗିବ ତାହା ନିର୍ଦିଷ୍ଟ ଭାବେ କେହି କହିପାରୁ ନାହାନ୍ତି। ପକ୍ଷୀମାନଙ୍କଠାରେ ଦେଖାଯାଉଥିବା ଏଚ୫ଏନ୧ ଭୂତାଣୁ, ଘୁଷୁରିଙ୍କଠାରେ ଦେଖାଯାଉଥିବା ଏଚ୧ଏନ୧ ଭୂତାଣୁ, ମଣିଷଙ୍କଠାରେ ଦେଖାଯାଉଥିବା ଏଚସିଭି (ହେପାଟାଇଟିସ୍ ସି ଭାଇରସ୍), ଏଚଆଇଭି (ହ୍ୟୁମାନ ଇମ୍ୟୁନୋଡ଼େଫିସିଏନ୍ସି ଭାଇରସ୍), ଇନଫ୍ଲୁଏଞ୍ଜା ଓ ପୋଲିଓ ଭୂତାଣୁ ପରି କୋଭିଡ-୧୯ ଅନ୍ୟ ଏକ ଭୂତାଣୁ ା କୌଣସି ଭୂତାଣୁର ସଂପୂର୍ଣ୍ଣ ନାଶ ପାଇଁ ବିଜ୍ଞାନ ଅଦ୍ୟାବଧି ଔଷଧ ବାହାର କରିବାରେ ସେତେଟା ସଫଳ ହୋଇପାରି ନାହିଁ । ଜୀବନ ଶୈଳୀ, ଶରୀରର ପ୍ରତିରୋଧକ ଶକ୍ତି ଓ କିଛି ପରିମାଣରେ ଟିକା ଦ୍ୱାରା ଭୂତାଣୁ ନିରାକରଣ ସମ୍ଭବ । ଏହି ପରିପ୍ରେକ୍ଷୀରେ ନୂଆ କୋଭିଡ- ୧୯ କାଳେ ବିଶ୍ୱ ପାଇଁ ଘାତକ ସାବ୍ୟସ୍ତ ହେବ ସେହି ଚିନ୍ତାରେ ବିଶ୍ୱବାସୀ ପ୍ରତି ମୁହୂର୍ତ୍ତରେ ଉଦବିଗ୍ନ। ଏପରି ଏକ ସମୟ ଆଧୁନିକ ବିଶ୍ୱ ଦେଖିନଥିବା କଥା କୁହାଯାଉଛି ା ସବୁ ବିଜ୍ଞାନ ଓ ପ୍ରଯୁକ୍ତି ସ‌େ‌ତ୍ତ୍ବ ଯେପରି କୋଭିଡ- ୧୯ ନିକଟରେ ନିଜକୁ ଅତି ଅସହାୟ ମନେ କରୁଛନ୍ତି।
ଆଧୁନିକ ବିଶ୍ୱ ପରମାଣୁ ଯୁଦ୍ଧର ଭୟାବହ ବିଭୀଷିକା ଦେଖିଛି । କ୍ଷୁଧା ଓ ଦାରିଦ୍ର୍ୟ ଦେଖିଛି । ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି। ମହାମାରୀ ଦେଖିଛି। ପୋଲିଓ ପରି ଭୂତାଣୁକୁ ଦୂର କରିବାରେ ସମର୍ଥ ହୋଇଥିବା ଦାବି କରୁଛି। ଅନେକ ଜୀବାଣୁଜନିତ ରୋଗର ନିଦାନ ବାହାର କରିବାରେ ସମର୍ଥ ହୋଇଛି । ଚନ୍ଦ୍ର ପୃଷ୍ଠରେ ପାଦ ଦେଇ ମାନବ ବସତି ପ୍ରତିଷ୍ଠା ପାଇଁ ସ୍ୱପ୍ନ ଦେଖୁଛି । ମଣିଷକୁ ଚିରଞ୍ଜୀବୀ କରିବା ପାଇଁ ବିଜ୍ଞାନୀମାନେ ଉଦ୍ୟମରତ । ଏସବୁର ସାମର୍ଥ୍ୟ ମଧ୍ୟରେ କୋଭିଡ-୧୯ ନିକଟରେ ବିଶ୍ୱବାସୀ ନିଜକୁ ଅତି ଅସହାୟ ମନେ କରିବାର କୌଣସି କାରଣ ଥିବା ପରି ମନେ ହୁଏ ନାହିଁ। ଦୃଢ଼ ଆତ୍ମବିଶ୍ୱାସ ଓ ସାମର୍ଥ୍ୟର ଉପଯୋଗ ଜରିଆରେ ଏହି ସମସ୍ୟାକୁ ଅତିକ୍ରମ କରାଯାଇପାରିବ ।
ଦେଖିବାକୁ ଗଲେ ଏ ପୃଥିବୀ ଏବେକାର ନୁହେଁ । କାହିଁ କେଉଁ ଅନାଦି କାଳରୁ ବିଶ୍ୱବ୍ରହ୍ମାଣ୍ଡ ରହିଆସିଛି । ଅନେକ ଅତ୍ୟାଚାର, ନିର୍ଯାତନା, ଘାତ ପ୍ରତିଘାତ ମଧ୍ୟରେ ପୃଥିବୀ ତିଷ୍ଠି ରହିଛି । ଚିତାଭସ୍ମ ମଧ୍ୟରୁ ଫୋନିକ୍ସ ଡେଣା ମେଲାଇଲା ପରି ଅତଳ ସାଗର ମଧ୍ୟରୁ ପୃଥିବୀ ଉଦ୍ଧାର ପାଇଛି । ଯଦି ପୁରାଣ ଯୁଗକୁ ଫେରିବା ସେଦିନ ସ୍ୱାୟଂଭୁବ ମନୁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ପ୍ରଶ୍ନ କରିଥିଲେ ‘ପୃଥିବୀ ତ ନାହିଁ, ପ୍ରଜାଗଣ କେଉଁଠି ରହିବେ, ସଂସାର ବିସ୍ତାର କିପରି ହେବ ? ବ୍ରହ୍ମା ଏ ପ୍ରଶ୍ନରେ ବିଚଳିତ ହେଲେ, କିନ୍ତୁ କୌଣସି ଉପାୟ ପାଇପାରିଲେ ନାହିଁ। ସମସ୍ୟାର ସମାଧାନ ପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଅବସରରେ ବରାହ ଅବତାରରେ ଈଶ୍ୱର ଆବିର୍ଭାବ ହୋଇ ପ୍ରଳୟ ଜଳରେ ବୁଡ଼ି ରହିଥିବା ପୃଥ୍ୱୀ ଦେବୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ମନୁ ସୃଷ୍ଟି ବିସ୍ତାର ପ୍ରକ୍ରିୟାରେ ଲାଗିଲେ। ରାଜା ଉତ୍ତାନପାଦଙ୍କ ପୁତ୍ର ଧ୍ରୁବଙ୍କ ବଂଶଜ ପୃଥୁ ରାଜ୍ୟାଭିଷିକ୍ତ ହେବା ସମୟରେ ବସୁଧା ଥିଲା ନିରନ୍ନ। ଫଳରେ କିପରି ପ୍ରଜା ପାଳନ କରିବେ ସେ ନେଇ ରାଜା ପୃଥୁ ଚିନ୍ତିତ ହେଲେ । ପ୍ରଜା ପାଳନ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ସେ ପୃଥିବୀମାତାଙ୍କୁ କହିଲେ। ଏହାର ଉତ୍ତରରେ ପୃଥିବୀ କହିଲେ ପୂର୍ବେ ବ୍ରହ୍ମା ଯେଉଁ ଶସ୍ୟ ଓ ବନସ୍ପତି ଆଦି ସୃଷ୍ଟି କରିଥିଲେ ସଂପ୍ରତି ଦୁରାଚାରୀ ଲୋକମାନେ କୌଣସି ନିୟମ ବ୍ରତ ନମାନି ସେସବୁ ଖାଇଗଲେ । ଆପଣଙ୍କ ବଂଶର ରାଜାମାନେ ମୋତେ ଅନାଦାର କଲେ, ପାଳନ କଲେ ନାହିଁ। ସବୁ ଶେଷ ହୋଇଯିବା ପୂର୍ବରୁ ଯାହା କିଛି ଦ୍ରବ୍ୟ ଥିଲା ଯଜ୍ଞାଦି କାର୍ଯ୍ୟ ପାଇଁ ସେସବୁ ମୁଁ ଉଦରସ୍ଥ କରି ଭବିଷ୍ୟତ ପାଇଁ ସଂରକ୍ଷଣ କରି ରଖିଛି। ଯଦି ଆପଣ ଯୋଗ୍ୟ ବ୍ୟକ୍ତି ଯୋଗାଡ଼ କରିପାରିବେ ସେସବୁ ପୁଣି ଥରେ ମୋ ନିକଟରୁ ନେଇପାରିବେ । ଏହା ଶୁଣିବା ପରେ ରାଜା ପୃଥୁ ବୃହସ୍ପତି, ଇନ୍ଦ୍ର, ପ୍ରହ୍ଲାଦ, ବିଶ୍ୱାବସୁ, କପିଳ, ମୟଦାନବ, ବୃଷଭ ପ୍ରମୁଖ ଯୋଗ୍ୟମାନଙ୍କୁ ବତ୍ସା କରି ପୃଥିବୀ ଦେବୀଙ୍କ ନିକଟରୁ ସମସ୍ତ ବଞ୍ଚିବାର ସାମଗ୍ରୀ ଆହରଣ କଲେ। ଏହାପରେ ବସୁଧା ପୁଣି ଅନ୍ନମୟ ହେଲା ଏବଂ ରାଜା ପୃଥୁ ସ୍ୱଚ୍ଛନ୍ଦରେ ପ୍ରଜା ପାଳନ କରିବା ସହ ପୃଥ୍ୱୀ ଦେବୀଙ୍କୁ ସମ୍ମାନ ଆଦର କଲେ । ଏହିପରି ବିଭିନ୍ନ ସମୟରେ ପୃଥିବୀ ଅନେକ କଠିନକର ପରିସ୍ଥିତିର ସାମ୍ନା କରିଛି ଏବଂ ଏଥିରୁ ଉଦ୍ଧାର ପାଇଛି ।
ଏଇଠି ବିବର୍ତ୍ତନବାଦର କଥା ମନକୁ ଆସେ। ପ୍ରସିଦ୍ଧ ଜୀବ ବିଜ୍ଞାନୀ ଚାର୍ଲସ୍ ଡାରୱିନ ବଞ୍ଚିବା ପାଇଁ ସଂଗ୍ରାମ ବା ଷ୍ଟ୍ରଗଲ ଫର ଏକଜିଷ୍ଟାନ୍ସ ବୋଲି ଯାହା କହିଥିଲେ ପ୍ରସିଦ୍ଧ ବ୍ରିଟିଶ ଦାର୍ଶନିକ ହର୍ବଟ ସ୍ପେନସର ତାହାକୁ ସରଭାଇଭାଲ ଅଫ ଦ ଫିଟେଷ୍ଟ ବା ଯୋଗ୍ୟତମ ବ୍ୟକ୍ତି ତିଷ୍ଠି ରହିବାର ଆଶା ବୋଲି କହିଲେ ା ପ୍ରାକୃତିକ ବ୍ୟବସ୍ଥା ଓ ନିୟମକୁ ନେଇ ଅଷ୍ଟାଦଶ ଶତାବ୍ଦୀରେ ଏହି ପ୍ରସିଦ୍ଧ ତତ୍ତ୍ୱର ପ୍ରତିଷ୍ଠା କରାଯାଇଥିଲା, ଯାହା ଏବେ ମଧ୍ୟ ପାଠ୍ୟପୁସ୍ତକ ବିଷୟ ଅନ୍ତର୍ଭୁକ୍ତ ହୋଇ ରହିଛି। ତେଣୁ ବିବର୍ତ୍ତନବାଦ ମଧ୍ୟରେ ଏ ଧରା ତିଷ୍ଠି ରହିଛି। ଜୀବଜଗତର ଶ୍ରେଷ୍ଠ ସୃଷ୍ଟି ମଣିଷ ସଭ୍ୟତା ସମସ୍ତ ଘାତ-ପ୍ରତିଘାତ ମଧ୍ୟରେ ବଞ୍ଚିବା ପାଇଁ ଶିଖିଛି ଓ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ସମର୍ଥ। ନିଜେ ବଞ୍ଚିବା ମଧ୍ୟରେ ପ୍ରକୃତିର ଅନ୍ୟାନ୍ୟ ସର୍ଜନାଗୁଡ଼ିକୁ ମଧ୍ୟ ବଞ୍ଚିବା ପାଇଁ ସୁଯୋଗ ଦେବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ। ପ୍ରକୃତି ନିଜେ ମଧ୍ୟ ଅନେକ ସମସ୍ୟାର ସମାଧାନ କରିବାରେ ସମର୍ଥ । ତେଣୁ କୋଭିଡ-୧୯ ଯେ ସମଗ୍ର ବିଶ୍ୱ ପାଇଁ କାଳ ହେବ ବୋଲି ଭାବିବା ଠିକ୍ ନୁହେଁ । ଏହାର ସାମ୍ନା କରିବା ନିମନ୍ତେ ଧୈର୍ଯ୍ୟ ଓ ଦୃଢ଼ ମନୋବଳ ଆବଶ୍ୟକ । ପ୍ରକୃତିର ନିୟମ ଅନୁପାଳନ ପୂର୍ବକ ଜୀବଜଗତରେ ଯେପରି ଅସନ୍ତୁଳନ ଅବସ୍ଥା ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଶ୍ରେଷ୍ଠ ଜୀବ ମଣିଷର ଦାୟିତ୍ୱ । ମଣିଷ ଏକା ବଞ୍ଚିପାରିବ ନାହିଁ। ଜୀବଜଗତକୁ ନେଇ ଏବଂ ଜୀବଜଗତ ମଧ୍ୟରେ ହିଁ ସେ ବଞ୍ଚିପାରିବ। କେବଳ ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଚାହିଁଲେ ଏହାର ନକାରାତ୍ମକ ପ୍ରଭାବ ସୃଷ୍ଟି ହେବା ସ୍ୱାଭାବିକ ।
କୋଭିଡ-୧୯କୁ ଚୀନ ଅତି ସଫଳତାର ସହ ମୁକାବିଲା କରିପାରିଛି। ସେହିପରି ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ଦୃଢ଼ ଭାବେ ଏହାର ସମ୍ମୁଖୀନ ହୋଇଛନ୍ତି। କୌଣସି କଟକଣା ଜାରିନକରି ଦକ୍ଷିଣ କୋରିଆ ପରିସ୍ଥିତିର ଯେଭଳି ସାମ୍ନା କରୁଛି ତାହା ନିଶ୍ଚିତ ଭାବେ ଅନ୍ୟ ରାଷ୍ଟ୍ର ପାଇଁ ଉଦାହରଣ। ସବୁ ସମସ୍ୟାର ନିଦାନ ରହିଛି ା ଏହାକୁ ଖୋଜି ବାହାର କରିବାକୁ ପଡ଼ିଥାଏ। ତେଣୁ କୋଭିଡ-୧୯ ପାଇଁ ଛାନିଆ ହେଲେ ଯେ ସମସ୍ୟାର ସୂତ୍ର ବାହାରିଯିବ ତାହା ନୁହେଁ। ସୂତ୍ର ବାହାରିବା ପାଇଁ ସମୟ ଆବଶ୍ୟକ । ସେପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା ସହ ପାରସ୍ପରିକ ଅଭିଜ୍ଞତା ବିନିମୟ ହିଁ ଶ୍ରେୟସ୍କର ।

ସୌଭାଗ୍ୟ ସୁନ୍ଦରରାୟ

ବରିଷ୍ଠ ସାମ୍ବାଦିକ, ବାଦାମବାଡ଼ି, କଟକ,

Comments are closed.