ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ : ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ରହିବା, ଖାଇବା ବ୍ୟବସ୍ଥା କର

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ତାଲାବନ୍ଦ ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ କୃଷି ଓ ଶିଳ୍ପ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରର କାର୍ଯ୍ୟରତ ଅନ୍ୟ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ସହିତ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ସଚିବ ସମସ୍ତଙ୍କୁ ଚିଠି ଲେଖିଛନ୍ତି। ସେହିପରି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକୁ ଏହି ପରାମର୍ଶ ଦିଆଯାଇଛି ଯେ, ସେମାନେ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ, କର୍ମଜୀବୀ ମହିଳା ଆଦି ଯେଉଁ ସ୍ଥାନରେ ରହିଛନ୍ତି ସେଠାରେ ରହିବା ଓ ଖାଇବା ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ଯେ, ଅସଂଗଠିତ କ୍ଷେତ୍ରର ଶ୍ରମିକ, ବିଶେଷ କରି ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ କଷ୍ଟ ଲାଘବ କରିବା ଲାଗି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଅନ୍ୟ ସଂସ୍ଥା ସହଯୋଗରେ ସେମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ, ସ୍ୱଚ୍ଛତା ଭଳି ମୌଳିକ ସୁବିଧା ସହିତ ଖାଦ୍ୟ ଓ ଆଶ୍ରୟ ମଧ୍ୟ ପ୍ରଦାନ କରିବାର ଉପାୟ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ କରନ୍ତୁ। ଏହାବ୍ୟତୀତ, ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ଦୃଢ଼ ପଦକ୍ଷେପ ଯେପରିକି ପିଡିଏସ ଜରିଆରେ ମାଗଣା ଖାଦ୍ୟଶସ୍ୟ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମାଗଣାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ଦୁର୍ବଳ ଏବଂ ଅସୁରକ୍ଷିତ ବର୍ଗର ଲୋକଙ୍କୁ ସଚେତନ କରାଇବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହାସହିତ ବିତରଣ ପ୍ରଣାଳୀକୁ ସୁବ୍ୟବସ୍ଥିତ କରାଗଲେ ଏସବୁ ଲୋକଙ୍କ ଅନାବଶ୍ୟକ ଯାତ୍ରା ବନ୍ଦ ହୋଇପାରିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି ଯେ ହୋଟେଲ, ଭଡ଼ାରେ ଦିଆଯାଇଥିବା କୋଠରୀ, ଛାତ୍ରାବାସ ଆଦିକୁ ନିରନ୍ତର କାର୍ଯ୍ୟକ୍ଷମ ରଖିବା ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଣ ସୁବ୍ୟବସ୍ଥିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଯାହାଫଳରେ ଛାତ୍ରଛାତ୍ରୀ, କର୍ମଜୀବୀ ମହିଳା, ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ଆବଶ୍ୟକ ସାବଧାନତା ଅବଲମ୍ବନ କରି ସେମାନେ ବର୍ତ୍ତମାନ ରହୁଥିବା କୋଠରୀ ଓ ଆବାସରେ ଆଗକୁ ମଧ୍ୟ ରହିପାରିବେ।

Comments are closed.