ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଭିନ୍ନ ହୋଇପାରେ

କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଏପ୍ରିଲ ୧୪ ପର୍ଯ୍ୟନ୍ତ ତାଲା ବନ୍ଦ ଘୋଷଣା କରାଯାଇଛି। ଇତିମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୭୨୪ ରହିଛି। ସୂଚନା ଅନୁସାରେ ୨୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ସୂଚନା ଅନୁସାରେ ଚଳିତ ମାସ ୨୫ ତାରିଖ ସୁଦ୍ଧା ମୋଟ ୨୪,୨୫୪ ଜଣ ଲୋକଙ୍କୁ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୫୮୧ ଜଣ ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଥିଲା। ଏହି ଆକଳନକୁ ହିସାବକୁ ନେଲେ ଭାରତରେ ସ୍ୱାସ୍ଥ୍ୟପରୀକ୍ଷା ହାର ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରେ ପାଖାପାଖି ୧୮ ଜଣ ରହିଛି। ଭାରତରେ କମ୍‍ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ସମ୍ବନ୍ଧରେ ସୂଚନା ମଧ୍ୟ କମ୍‍ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦେଶରେ କରୋନା ସଂକ୍ରମଣର ଯେଉଁ ଚିତ୍ର ଉପସ୍ଥାପନ କରାଯାଇଛି ତାହା ବାସ୍ତବତାଠାରୁ ଭିନ୍ନ ବୋଲି ସେମାନେ ଦର୍ଶାଇଛନ୍ତି।
ବିଶେଷଜ୍ଞମାନଙ୍କ ଅନୁସାରେ ଚୀନ, ଆମେରିକା, ଇଂଲଣ୍ଡ, ଇଟାଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଇଟାଲିରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୭୪,୩୮୬ରେ ପହଞ୍ଚିଛି। ମାର୍ଚ୍ଚ ୨୫ ସୁଦ୍ଧା ସେଠାରେ ୩,୨୪,୪୪୫ ଟି ପରୀକ୍ଷା କରାଯାଇଥିଲା। ଯାହାକି ପ୍ରତି ଏକ ନିୟୁତ ଲୋକଙ୍କ ଠାରେ ୫,୨୬୮ଟି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଆକଳନ ହୋଇଛି। ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ ବିଭାଗର ସୂଚନା ଅନୁସାରେ ଇଂଲଣ୍ଡରେ ୯୭,୦୧୯ଟି ପରୀକ୍ଷା କରାଯାଇଥିଲା। ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା ହାର ପ୍ରତି ୧ ନିୟୁତ ଲୋକଙ୍କ ମଧ୍ୟରେ ୧,୪୬୯ ରହିଛି। ଇଂଲଣ୍ଡରେ ୯,୫୨୯ ଜଣ ଲୋକ ସଂକ୍ରମିତ ଅଛନ୍ତି। ସେହିଭଳି ବୁଧବାର ସୁଦ୍ଧା ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ୯୧୩୭ ଥିଲା। କିନ୍ତୁ ଦେଶ ଏହି ସଙ୍କଟମୟ ପରିସ୍ଥିତିକୁ ସମ୍ଭାଳିବାରେ ଏକ ପ୍ରକାର ସକ୍ଷମ ହୋଇପାରିଛି। ଏଠାରେ ୩,୫୭,୮୯୬ଟି ପରୀକ୍ଷା କରାଯାଇଥିବା ବେଳେ ପରୀକ୍ଷା ହାର ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରେ ୬,୯୩୧ ରହିଛି। ଆମେରିକାରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ହାର ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରେ ୧୨୮୦ ରହିଛି।
ଭାରତର ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଅଧିକ କରୋନା ପରୀକ୍ଷା କେନ୍ଦ୍ର ରହିଛି ସେଠାରେ ଅଧିକ ସଂଖ୍ୟାରେ ଏହି ପରୀକ୍ଷା କରାଯାଉଛି। ଏହି କାରଣରୁ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ବେଶୀ ରହିଛି। ତେବେ କରୋନା ମୁକାବିଲା ପାଇଁ ଭାରତ ଯେଭଳି ଉଦ୍ୟମ ଜାରି ରଖିଛି ତାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଛି।

Comments are closed.