କରୋନାକୁ ଡରନା
‘ସମାଜ’ର ପ୍ରୟାସ: ସୁସ୍ଥ ସମାଜ

ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ସହିତ ଏବେ ସାରା ଦେଶ ଲଢ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଓଡ଼ିଶା ସମେତ ସାରା ଦେଶ ତାଲାବନ୍ଦୀ। ଏହି ସମୟରେ ନିହାତି କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ କିଛି ଲୋକ ଏଥିରୁ ମଜା ଉଠାଇବାକୁ ଅଯଥାରେ ରାସ୍ତାରେ ବୁଲୁଛନ୍ତି। ଇତିମଧ୍ୟରେ ଅନ୍ୟ ରାଜ୍ୟରେ ରହୁଥିବା ସହସ୍ରାଧିକ ଓଡ଼ିଆ ନିଜ ଘରକୁ ଫେରିଛନ୍ତି। ରାସ୍ତାରେ ଏକାଠି ବୁଲୁଥିବା ଏବଂ ଘରେ ଲୁଚି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି। ତେଣୁ ନିୟମକୁ ମାନି ଘରେ ରୁହନ୍ତୁ ଏବଂ ପ୍ରବାସରୁ ଆସିଥିବା ଓଡ଼ିଆମାନେ ସ୍ବେଚ୍ଛାରେ ନାମ ପଞ୍ଜିକୃତ କରି ରକ୍ତ ପରୀକ୍ଷା କରି ନିଅନ୍ତୁ। ଏହାଦ୍ବାରା ସମସ୍ତ ରାଜ୍ୟବାସୀ ସୁରକ୍ଷିତ ରହିପାରିବେ।