ଏଚ୍‌ଆଇଭି ଔଷଧରେ କରୋନା ରୋଗୀ ଆରୋଗ୍ୟ

କୋଚି : ଏଚ୍‌ଆଇଭି ଔଷଧରେ କରୋନା ଭୂତାଣୁ ସଂକ୍ରମିତ ଜଣେ ରୋଗୀ ଆରୋଗ୍ୟ ଲାଭକରି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଏହା ବର୍ତ୍ତମାନ ସମୟରେ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଏର୍ଣ୍ଣାକୁଲମ୍‌ର ସରକାରୀ ମେଡିକାଲ କଲେଜରେ କରୋନାପୀଡ଼ିତ ଜଣେ ବ୍ରିଟିଶ ବ୍ୟକ୍ତିଙ୍କୁ ଏଚ୍‌ଆଇଭି ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟିରିଟ୍ରୋଭାଇରାଲ୍‌ ଔଷଧ ଦିଆଯିବାପରେ ସେ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଅନ୍ୟ କରୋନା ଆକ୍ରାନ୍ତ ରୋଗୀଙ୍କୁ ମଧ୍ୟ ଏହା ଦିଆଯାଇପାରେ ବୋଲି ଡାକ୍ତର କହିଛନ୍ତି। ମାର୍ଚ ୧୮ରେ ପରୀକ୍ଷାମୂଳକ ଭାବେ ବ୍ରିଟିଶ ନାଗରିକଙ୍କୁ ଏଚ୍‌ଆଇଭି ଔଷଧ ଦିଆଯାଇଥିଲା।
ମାର୍ଚ ୧୫ରେ ମୁନ୍ନାର୍‌ସ୍ଥିତ ଟି କଣ୍ଟ୍ରି ହୋଟେଲରେ ସଙ୍ଗରୋଧରେ ଥିବାବେଳେ ସଂପୃକ୍ତ ବ୍ରିଟିଶ ନାଗରିକ କରୋନା ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ତାଙ୍କ ସହ ଆସିଥିବା ତାଙ୍କ ପତ୍ନୀ ଏଥିରେ ଆକ୍ରାନ୍ତ ହୋଇନଥିବାବେଳେ ଅନ୍ୟ ୬ ଜଣଙ୍କୁ ଚିକିତ୍ସା କରାଯାଉଛି।
ଏର୍ଣ୍ଣାକୁଲମ୍ ମେଡିକାଲ କଲେଜର କୋଭିଡ-୧୯ ନୋଡାଲ୍‌ ଅଧିକାରୀ ଡା. ଫଦାଉଦ୍ଦିନଙ୍କ ମତରେ ବ୍ରିଟିଶ୍ ନାଗରିକଙ୍କ ଅବସ୍ଥା ଅତି ଗୁରୁତର ଥିଲା ଓ ସେ ନିମୋନିଆରେ ପୀଡ଼ିତ ଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ୪୮ ଘଣ୍ଟା ଭିତରେ ତାଙ୍କୁ ଡାଇଡ୍ରୋକ୍ସି କ୍ଲୋରୋକୁଇନ୍‌, ଲୋପିନାଭିର୍‌, ରେଟୋନାଭିର୍‌ ଓ ଓସେଲ୍‌ଟାମାଇଭିର୍‌ ଦିଆଯାଇଥିଲା। ଏଥିରେ ସେ ଆରୋଗ୍ୟ ଲାଭ କରିଛନ୍ତି। ଦୁଇଥର ପରୀକ୍ଷା କଲାପରେ ଜଣାପଡ଼ିଛି ଯେ ସେ ଆଉ କରୋନାଆକ୍ରାନ୍ତ ନୁହନ୍ତି। ବର୍ତ୍ତମାନ ତାଙ୍କର ଅନ୍ୟ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଓ ରାଜ୍ୟ ଉପଦେଷ୍ଟା ବୋର୍ଡର ଅନୁମତି ପରେ ଏହି ପ୍ରୟୋଗ କରାଯାଇଥିଲା, ଯେଉଁଥିରେ ସଫଳତା ମିଳିଛି। ଏଭଳି ପ୍ରୟୋଗ କରିବାପାଇଁ ସଂପୃକ୍ତ ବ୍ରିଟିଶ ନାଗରିକଙ୍କର ମଧ୍ୟ ଅନୁମତି ନିଆଯାଇଥିଲା।

Comments are closed.