୩-୪ ମାସ ମଧ୍ୟରେ ଉପଲବ୍ଧ ହେବ ଟିକା : ପୁନୱାଲା

ଭାରତରେ ପରୀକ୍ଷା ଚାଲିଛି ୫ଟି ଟିକା, କୋଭାକ୍ସିନର ପରୀକ୍ଷାମୂଳକ ଟିକା ନେବେ ହରିୟାଣାର ମନ୍ତ୍ରୀ ଅନିଲ ଭିଜ୍‌

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ଶୁକ୍ରବାର (ନଭେମ୍ବର ୨୦) ଠାରୁ ହରିୟାଣାରେ ଆରମ୍ଭ ହେବ। ହରିୟାଣାର କ୍ୟାବିନେଟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅନିଲ ଭିଜ୍ ପ୍ରଥମ ସ୍ବେଚ୍ଛାସେବୀ ଭାବେ ଏହି ପରୀକ୍ଷାମୂଳକ ଟିକା ନେବେ। ପରୀକ୍ଷାମୂଳକ ଟିକା ନେବା ଲାଗି ଅନିଲ ସ୍ବତଃ ଆଗ୍ରହ ପ୍ରକାଶ କରିଛନ୍ତି। କୋଭାକ୍ସିନ ସମେତ ଭାରତରେ ଏବେ ୫ଟି କରୋନା ଟିକାର ମାନବ ପରୀକ୍ଷଣ ଜାରି ରହିଛି। ଏହି ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ହେଲା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ- ଆଷ୍ଟ୍ରାଜେନିକା, ଭାରତ ବାୟୋଟେକ, କାଡିଲା, ବାୟୋଲୋଜିକାଲ ଇ-ବାଇଲର କଲେଜ ଅଫ ମେଡିସିନ୍ ଏବଂ ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ମସ୍କୋ।
ଭାରତର କେତେକ ଫାର୍ମାସ୍ୟୁଟିକାଲ କମ୍ପାନୀ ବିଦେଶ କମ୍ପାନୀ ସହିତ ମିଳିତ ଭାବେ କରୋନା ଟିକା ପ୍ରସ୍ତୁତ କରୁଛନ୍ତି। ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଟିକା ପ୍ରସ୍ତୁତ ସହିତ ବିଭିନ୍ନ ଟିକାର ମାନବ ପରୀକ୍ଷଣ ଚଳାଇଛି। ସେହିପରି ଡକ୍ଟର ରେଡିସ୍‌ ଲାବୋରଟୋରିଜ୍ ରୁଷ୍‌ର ସ୍ପୁଟିନିକ୍-୫ ଟିକାକୁ ଭାରତରେ ମାନବ ପରୀକ୍ଷଣ ଲାଗି ବୁଝାମଣା ସ୍ବାକ୍ଷର କରିଛି। ସିରମ୍ ଇନଷ୍ଟିଚ୍ୟୁଟ ତିନିଟି କମ୍ପାନୀ ସହିତ ଟିକା ପ୍ରସ୍ତୁତ ଲାଗି ବୁଝାମଣା କରିଛି। ଏହି କମ୍ପାନୀଗୁଡିକ ହେଲା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା, କୋଡାଜେନିକ୍ସ ଓ ନୋଭାଭାକ୍ସ। ସେହିପରି ହାଇଦରାବାଦସ୍ଥିତି ବାୟୋଲୋଜିକାଲ ଇ ଲିମିଟେଡ ଆମେରିକାର ଡାଇନାଭାକ୍ସ ଟେକ୍ନୋଲୋଜି କର୍ପୋରେସନ ଓ ​‌ବାଇଲର କଲେଜ ଅଫ ମେଡିସିନ ସହିତ ମିଶି କରୋନା ଟିକା ପ୍ରସ୍ତୁତ କରୁଛି। ଅହମଦାବାଦସ୍ଥିତ କାଡିଲା ହେଲଥକେୟାର ଏହାର ପ୍ରସ୍ତୁତ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରିଛି। ଡକ୍ଟର ରେଡ୍ଡିସ୍ ଲ୍ୟାବ ସ୍ପୁଟିନିକ-୫ର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ମିଳିତ ଭାବେ କରିବ। ତେବେ ଏହିସବୁ ଟିକାର ମାନବ ପରୀକ୍ଷା ନିମନ୍ତେ ଆବଶ୍ୟକ ଶୀତଳଭଣ୍ଡାର ଅଭାବ ବଡ ସମସ୍ୟା ସୃଷ୍ଟି କରିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି (ଏନଆଇଭି)ର ମିଳିତ ସହଯୋଗରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ଟିକା ପ୍ରସ୍ତୁତ କରୁଛି। ଅନ୍ୟପଟେ ସିରିମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁକନୱାଲା ଗୁରୁବାର କହିଛନ୍ତି ଯେ ଭାରତରେ ଚଳିତବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭରେ କରୋନା ଟିକା ଉପଲବ୍ଧ ହେବ। ସେ କହିଛନ୍ତି ଯେ ସେପରି କୌଣସି ଅସ୍ବାଭାବିକ ପରିସ୍ଥିତି ଯଦି ସୃଷ୍ଟି ନହୁଏ ତେବେ ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ସର୍ବସାଧାରଣଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ। କରୋନା ଯୋଦ୍ଧାଙ୍କ ଲାଗି ଏହି ଟିକା ଜାନୁଆର କିମ୍ବା ଫେବୃଆରୀରେ ଉପଲବ୍ଧ ହେବ।

Comments are closed.