ଟିକାକେନ୍ଦ୍ରରେ ଝୁଲିବ ୨ ପାନ ନେଇ ନ ଥିବା ଲୋକଙ୍କ ତାଲିକା

ଭୁବନେଶ୍ୱର: ରାଜ୍ୟରେ ସମୁଦାୟ ଜନସଂଖ୍ୟାର ୬୪ ପ୍ରତିଶତ ଲୋକ ପ୍ରଥମ ପାନ ଟିକା ନେଇ ସାରିଥିବାବେଳେ ତା’ର ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ବାରମ୍ବାର ତାଙ୍କ ମୋବାଇଲ ଫୋନ୍‌କୁ ବାର୍ତ୍ତା ଦେବା ପରେ ମଧ୍ୟ ଦ୍ବିତୀୟପାନ ଟିକା ନେବାକୁ ଲୋକଙ୍କ ମନେ ପଡୁନାହିଁ। ଏବେବି ୨୭ଲକ୍ଷ ଲୋକ ଟିକା ନେଇନାହାନ୍ତି। ତେଣୁ ସମ୍ପୃକ୍ତ ଟିକାଦାନ କେନ୍ଦ୍ରରେ ଦ୍ବିତୀୟ ପାନ ଟିକା ନେଇ ନ ଥିବା ଲୋକଙ୍କ ତାଲିକା ଲଗାଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ସମୁଦାୟ ୨କୋଟି ୬୭ ଲକ୍ଷ ପାନ ଟିକା ଦିଆଗଲାଣି। ସେମାନଙ୍କ ମଧ୍ୟରୁ ୬୪ପ୍ରତିଶତ ଅର୍ଥାତ ୧ କୋଟି ୯୮ ଲକ୍ଷ ପ୍ରଥମ ପାନ ନେଇ ସାରିଲେଣି, ଦ୍ବିତୀୟ ପାନ ମାତ୍ର ୬୮ ଲକ୍ଷ ଲୋକ ଅର୍ଥାତ ୨୮ ପ୍ରତିଶତ ଟିକା ନେଇଛନ୍ତି। ସେ କହିଛନ୍ତି ଯେ, ଦ୍ୱିତୀୟ ପାନ ନେବାର ୩ ଦିନ ପୂର୍ବରୁ ସେମାନଙ୍କ ନିକଟକୁ ବାର୍ତ୍ତା ଯାଉଛି। ସେହିପରି ଟିକା ପାଇଁ ନିର୍ଦ୍ଧାରିତ ଦିନ ବାର୍ତ୍ତା ପଠାଯାଉଛି। ଏହାପରେ ବି ସେମାନେ ଆସୁନାହାନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଅତିକମ୍‌ରେ ସମସ୍ତଙ୍କୁ ପ୍ରଥମ ପାନ ଦିଆଯିବା ଲକ୍ଷ୍ୟ ରଖାଯାଇଛି। ପାର୍ବଣ ଋତୁ ଆସୁଛି ଲୋକେ ସଚେତନ ହୋଇ ଟିକା ନେବାକୁ ସେ ଅନୁରୋଧ କରିଛନ୍ତି।

ଶୁକ୍ରବାର ରାଜ୍ୟରେ ୧୬୦୨ଟି କେନ୍ଦ୍ରରେ ଟିକାକରଣ ହୋଇଥିଲା। ଏଥିରେ ୩ଲକ୍ଷ ୪୭ହଜାର ୧୦୮ ହିତାଧିକାରୀ ଟିକା ନେଇଛନ୍ତି। ରାଜ୍ୟରେ ଗତକାଲି ୬୨ହଜାର ୨୩୮ ନମୁନା ପରୀକ୍ଷା କରାଯାଇଥିଲା ସେଥିରୁ ୬୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୯୬ଜଣ ଶିଶୁ ଆକ୍ରାନ୍ତ ରହିଛନ୍ତି। ସର୍ବାଧିକ ସଂକ୍ରମଣ ଜିଲା ଖୋର୍ଦ୍ଧାରେ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ରହିଛି। ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ସୁବର୍ଣ୍ଣପୁରରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାବେଳେ ୧୪ଟି ଜିଲାରେ ଏକ ଅଙ୍କ ଭିତରେ ସଂକ୍ରମଣ ସଂଖ୍ୟା ରହିଛି। ଅବଶିଷ୍ଟ ଜିଲାଗୁଡ଼ିକରେ ଦୁଇ ଅଙ୍କ ଭିତରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ନେଇ ରାଜ୍ୟର ସଂକ୍ରମଣ ସଂଖ୍ୟା ୧୦ଲକ୍ଷ ୧୮ହଜାର ୯୨୬ରେ ପହଞ୍ଚିଛି। ଆଜି ଭଦ୍ରକ, କଟକ, ଜଗତସିଂପୁର ଓ ଖୋର୍ଦ୍ଧାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ରାଜ୍ୟର ସଂଖ୍ୟା ୮ହଜାର ୧୨୨ରେ ପହଞ୍ଚିଛି।

Comments are closed.