ଦୁଇ ଦିନରେ ରୁଷ୍‌ ଟିକା

ମସ୍କୋ/ନୂଆଦିଲ୍ଲୀ : ରୁଷ୍‌ ପ୍ରଥମେ କରୋନା ଟିକା ଉପଲବ୍ଧ କରାଇବ। ଆସନ୍ତା ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୧୨ ତାରିଖରେ ଏହି ଟିକାର ପଞ୍ଜୀକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦେଶର ୬୦ ପ୍ରତିଶତ ନାଗରିକଙ୍କୁ ଏହି ଫ୍ଲୁ-ଟିକା ଦିଆଯିବ। ବିଶେଷକରି ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ଥିବା ଦେଶର ୭୫ ପ୍ରତିଶତ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ରୁଷ୍‌ର ଗାମେଲିଆ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଓ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ଟିକା ପ୍ରସ୍ତୁତ କରାଯାଇଛି।
ଜୁନ୍‌ ୧୮ରେ ଟିକାର କ୍ଲିନିକାଲ ଟ୍ରାଏଲ ଜରିଆରେ ୩୮ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପ୍ରୟୋଗ କରାଯାଇଥିଲା। ଟିକା ପରୀକ୍ଷଣରେ ଭାଗ ନେଇଥିବା ସମସ୍ତ ସ୍ବେଚ୍ଛାସେବୀଙ୍କ ଭିତରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥିବାରୁ ଜୁଲାଇ ୧୫ରେ ପ୍ରଥମ ଗୋଷ୍ଠୀ ଓ ଜୁଲାଇ ୨୦ରେ ଦ୍ବିତୀୟ ଦଫାର ସ୍ବେଚ୍ଛାସେବୀଙ୍କୁ ଟିକା ପରୀକ୍ଷା ପରେ ହସ୍ପିଟାଲରୁ ମୁକ୍ତ କରାଯାଇଥିଲା। କରୋନା ଟିକାର ମାନବ ପରୀକ୍ଷଣ ସଫଳ ହୋଇଥିବାରୁ ଚଳିତ ସପ୍ତାହରେ ଗଣ ଟିକାଦାନ କାର୍ଯ୍ୟକ୍ରମ କରାଯିବାକୁ ରୁଷ୍‌ ସରକାର ନିଷ୍ପତ୍ତି ନେଇଥିବା ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଅଲିଭ୍‌ ଗ୍ରୀଡ୍‌ନେଭ୍‌ ସୂଚନା ଦେଇଛନ୍ତି। ତୁରନ୍ତ ଲୋକଙ୍କୁ ଟିକାକରଣ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଅଧିକାରୀମାନଙ୍କୁ ଦାୟିତ୍ବ ନ୍ୟସ୍ତ କରିଥିବା ସୂଚନା ମିଳିଛି। କରୋନା ଭୂତାଣୁ ଶ୍ବାସନଳୀ ଓ ଫୁସ୍‌ଫୁସ୍‌ ସଂକ୍ରମଣକୁ ଗୁରୁତର କରୁଥିବାରୁ ମହାମାରୀକୁ ରୋକିବା ଲାଗି ପ୍ରଥମେ ଏଭଳି ଜଟିଳ ସମସ୍ୟା ଥିବା ଦେଶର ୭୫ ପ୍ରତିଶତ ରୋଗୀଙ୍କୁ ଟିକାକରଣ କରାଯିବ ବୋଲି ରୁଷ୍‌ ଗଣମାଧ୍ୟମରୁ ପ୍ରକାଶ।
ଗାମେଲିଆ ନେସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଟିକାର ଯେଉଁ ମାନବୀୟ ପରୀକ୍ଷା କରିଥିଲା ତାହା ଶରୀରରେ ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରୁଥିବା ସ୍ପଷ୍ଟ ହୋଇଛି ବୋଲି ଖୋଦ୍ ରୁଷ୍‌ ପ୍ରତିରକ୍ଷା ବିଭାଗ କହିଛି। ପର୍ଯ୍ୟାୟକ୍ରମେ ଏହି ଟିକାର ଅଧିକ ଉତ୍ପାଦନ କରିବାକୁ ସରକାର ସମସ୍ତ ବ୍ୟବସ୍ଥା କରୁଥିବା ଗ୍ରୀଡ୍‌ନେଭ୍‌ କହିଛନ୍ତି।
ଅନ୍ୟପକ୍ଷରେ ଭାରତ ମଧ୍ୟ କରୋନା ଟିକା ବଜାରକୁ ଆଣିବାରେ ପଛରେ ପଡିନି। ମିଳିଥିବା ସୂତ୍ର ଅନୁଯାୟୀ, ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର) ଓ ଭାରତ ବାୟୋଟେକ୍‌ ପକ୍ଷରୁ ହାଇଦରାବାଦରେ ପ୍ରସ୍ତୁତ ହେଉଥିବା କରୋନା ଟିକାର ମାନବ ପରୀକ୍ଷା ମଧ୍ୟ ଦ୍ବିତୀୟ ପର୍ଯ୍ୟାୟକୁ ସଫଳ ଅତିକ୍ରମ କରିସାରିଛି। ଏହି ଟିକାକୁ ଅଗଷ୍ଟ ୧୫ ସୁଦ୍ଧା ଗଣ ପ୍ରୟୋଗ କରାଯିବାକୁ ଆଇସିଏମଆର ଚାହୁଁଥିବାବେଳେ ଭାରତ ବାୟୋଟେକ୍ ଏହାକୁ ବଜାର ପ୍ରବେଶ କରିବା ପୂର୍ବରୁ ଅଧିକ ଯାଞ୍ଚ ପରତାଳ କରିବାକୁ ଚାହୁଁଥିବା କୁହାଯାଉଛି। ପୂର୍ବରୁ ପୋଲିଓ ଓ ରୋଟାଭାଇରସ୍‌ ଟିକା ପ୍ରସ୍ତୁତ କରି ସଫଳ ହୋଇଥିବା ଭାରତ ବାୟୋଟେକ୍‌ କରୋନା ଟିକାର ଗୁଣବତ୍ତା ଓ ନିରାପତ୍ତା ଦୃଷ୍ଟି ପ୍ରତି ଗୁରୁତ୍ବ ଦେଉଥିବା କହିଛି। ତେବେ ଟିକାର ଆଗୁଆ ପ୍ରବେଶ ନେଇ ସରକାରଙ୍କଠାରୁ ସେଭଳି ଚାପ ନଥିବା ଖୋଦ୍‌ ସଂସ୍ଥାର ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଭାରତ ବାୟୋଟେକ୍‌ ପ୍ରସ୍ତୁତ କରୋନା ଟିକା ଅଗଷ୍ଟ ୧୫ ସୁଦ୍ଧା ପ୍ରସ୍ତୁତ ହୋଇ ଗଣ ଟିକାଦାନ ଉପଯୋଗୀ କରାଯିବ ବୋଲି ଆଇସିଏମଆର ପୂର୍ବରୁ ସମୟ ଧାର୍ଯ୍ୟ କରିଥିଲା। ପରେ ଏହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଭିନ୍ନ ମନ୍ତବ୍ୟ ପରେ ଆଇସିଏମଆର ତା’ର ମନ୍ତବ୍ୟକୁ ପ୍ରତ୍ୟାହାର କରିନେଇଥିଲା। ଏବେ ଏନେଇ ଆଉ କୌଣସି ନୂଆ ସୂଚନା ଆସି ନ ଥିଲେ ମଧ୍ୟ ହୁଏତ ପୂର୍ବ ନିର୍ଦ୍ଧାରିତ ସମୟ ସୀମା ଭିତରେ ଏହାକୁ ଭାରତରେ ଗଣ ପ୍ରୟୋଗ କରାଯାଇପାରେ। ସୂଚନାଯୋଗ୍ୟ, ପୂର୍ବରୁ ଏହି ଟିକା ପରୀକ୍ଷଣକୁ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି।
ବର୍ତ୍ତମାନ କରୋନା ଯେଭଳି କାୟା ମେଲାଇଛି ତା’ର ନିଦାନ ଲାଗି ବିଶ୍ବବ୍ୟାପୀ ଟିକା ଉପରେ ଗବେଷଣା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମୟରେ ରୁଷ୍‌ର ଟିକା ଦୁଇଦିନ ଭିତରେ ପଞ୍ଜୀକରଣ କରାଯିବା ଖବର ନିଶ୍ଚିତ ରୂପେ ଆଶ୍ବସ୍ତିର ବିଷୟ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ସୂଚନାନୁଯାୟୀ, ଏହି ଟିକା କୌଣସି ଯାଦୁ ଭଳି ହଠାତ୍‌ କାମ କରିବନି; ବରଂ ପର୍ଯ୍ୟାୟ କ୍ରମିକ ଭାବେ ଏହା କରୋନା ନିୟନ୍ତ୍ରଣରେ ସଫଳ ହେବ ବୋଲି କୁହାଯାଇଛି।

Comments are closed.