କରୋନା ଅପଡେଟ: ସତର୍କତା ହିଁ ସଂକ୍ରମଣରୁ କରିବ ରକ୍ଷା

- ଦୈନିକ ସମୀକ୍ଷା କରିବେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ

ସମାଜ ପୋର୍ଟାଲ ଡେସ୍କ: ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ସଂକ୍ରମଣ ସମ୍ପର୍କରେ ସମୀକ୍ଷା କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ କରୋନା ଭୂତାଣୁ ସଂକ୍ରମଣ ଜନିତ ୨୮ଟି ଘଟଣା ସାମ୍ନାକୁ ଆସିଛି। ସେ କହିଛନ୍ତି, ଭୂତାଣୁ ସଂକ୍ରମଣ ପରେ ଦିଲ୍ଲୀର ସମସ୍ତ ସରକାରୀ ହସ୍ପିଟାଲରେ ଯାଞ୍ଚ୍‍ ଓ ଚିକିତ୍ସା ସୁବିଧା ଉପଲବ୍ଧ କରିବାପାଇଁ କୁହାଯାଇଛି। ଅନ୍ତରାଷ୍ଟ୍ରୀୟ ବିମାନରେ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ୍‍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ସନ୍ଧ୍ୟାରେ ପୁଣି ଥରେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ପରିସ୍ଥିତି ବିଷୟରେ ସମୀକ୍ଷା କରିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦେଶରେ କରୋନା ଭୂତାଣୁର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରୁଛନ୍ତି ବୋଲି ସେ କହିଛନ୍ତି।

କ୍ୟାବିନେଟ୍‍ ସଚିବଙ୍କ ସମୀକ୍ଷା
କରୋନା ସଂକ୍ରମଣ ପରିପ୍ରେକ୍ଷୀରେ କ୍ୟାବିନେଟ୍‍ ସଚିବ ରାଜୀବ ଗୌବା ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏବଂ ରାଜ୍ୟଗୁଡ଼ିକର ମୁଖ୍ୟସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କର ଏକ ବୈଠକରେ ସମୀକ୍ଷା କରିଥିଲେ। ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ସମୀକ୍ଷା ବୈଠକରେ ସେ ଭ୍ରମଣଜନିତ କଟକଣା ସମ୍ପର୍କରେ ରାଜ୍ୟଗୁଡ଼ିକ ସହିତ ସମୀକ୍ଷା କରିଥିଲେ। ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ସହିତ ସମନ୍ୱୟ ବୈଠକ ଆୟୋଜନ କରିବାପାଇଁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ କ୍ଲଷ୍ଟର ପରିଚାଳନା କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି। ଇଟାଲୀ, ଇରାନ୍‍, ଦକ୍ଷିଣ କୋରିଆ ଏବଂ ଜାପାନ୍‍ ପାଇଁ ଦିଆଯାଇଥିବା ନିୟମିତ ଏବଂ ଇ-ଭିସାକୁ ତତ୍କାଳ ବାତିଲ କରିଦିଆଯାଇଛି। ଯେଉଁମାନେ ଜରୁରୀ ଆବଶ୍ୟକତା ଅନୁସାରେ ଭାରତ ଆସିବାକୁ ଚାହୁଁଛନ୍ତି, ସେମାନେ ଭାରତୀୟ ଦୂତାବାସ ବା ବାଣିଜ୍ୟ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି। କରୋନା ସଂକ୍ରମଣ ଯୋଗୁଁ ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ୧ ଲକ୍ଷ ୨୪ ହଜାର ଲୋକଙ୍କୁ ଯାଞ୍ଚ୍‍ କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ବିମାନ ବନ୍ଦରରେ ୫ ଲକ୍ଷରୁ ଅଧିକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଇ.ଡି.ଏସ୍‍.ପି. ନେଟୱାର୍କ ମାଧ୍ୟମରେ ଦୈନିକ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରହିଛି।

ଦେଶରେ ୧୫ଟି ପରୀକ୍ଷାଗାର
ନୂଆଦିଲ୍ଲୀଠାରେ ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଏବେ ୧୫ଟି ପରୀକ୍ଷାଗାର କାର୍ଯ୍ୟ କରୁଛି। ଆଉ ୧୯ଟି ପରୀକ୍ଷାଗାର ଖୁବ୍‍ଶୀଘ୍ର କାର୍ଯ୍ୟକାରୀ ହେବ। କୋଭିଡ଼୍‍-୧୯ ଜନିତ ଯେକୌଣସି ପରିସ୍ଥିତି ସୃଷ୍ଟି ହେଲେ ତାହାର ମୁକାବିଲା କରିବାପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏହା ଉପରେ ତୀକ୍ଷ୍‍ଣ ନଜର ରଖିଛନ୍ତି।

କରୋନା କବଳରେ ରାଜସ୍ଥାନ
ରାଜସ୍ଥାନରେ ଏକ ଦମ୍ପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଦମ୍ପତି ଇଟାଲୀରୁ ଆସିଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି। ୨୩ ଜଣ ଲୋକ ରାଜସ୍ଥାନ ବୁଲିବାକୁ ଇଟାଲୀରୁ ଆସିଥିଲେ। ପ୍ରଥମେ ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁରସ୍ଥିତ ସବାଇ ମାନସିଂ ହସ୍ପିଟାଲରେ ଫେବୃୟାରୀ ୨୯ ତାରିଖରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ରକ୍ତ ନମୁନା ପୁଣେ ସ୍ଥିତ ଜାତୀୟ ଭୂତାଣୁ ପରୀକ୍ଷଣ ପ୍ରତିଷ୍ଠାନକୁ ପଠାଯାଇଥିଲା ଏବଂ ତାହା ପଜିଟିଭ୍‍ ଥିବା ଜଣାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ରଘୁ ଶର୍ମା କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କଠାରେ ମଧ୍ୟ କରୋନା ପଜିଟିଭ୍‍ ଥିବା ଜଣାପଡ଼ିଛି। ଉଭୟଙ୍କୁ ହସ୍ପିଟାଲରେ ରଖାଯାଇଛି। ଅନ୍ୟ ୨୧ ଜଣ ପର୍ଯ୍ୟଟକ ଆଗ୍ରା ଦେଇ ଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କୁ ମଧ୍ୟ ସେଠାରେ ପର୍ଯ୍ୟବେକ୍ଷଣ ପାଇଁ ରଖାଯାଇଛି।

ଉତ୍ତରପ୍ରଦେଶରେ କରୋନା
ଉତ୍ତର ପ୍ରଦେଶର କେତେକ ଜିଲ୍ଲାରେ ସନ୍ଦିଗ୍ଧ କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ବିଭିନ୍ନ ସ୍ଥାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ଼୍‍-୧୯ର ବ୍ୟାପକତାକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟପ୍ରଦୀପ ସିଂହ କହିଛନ୍ତି, କରୋନା ସଂକ୍ରମିତ ଦେଶରୁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ୍‍ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

କରୋନା ଆଡ୍‍ଭାଇଜରୀ – ସଚେତନ କରିବେ ଗଣମାଧ୍ୟମ
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ସବୁ ନିର୍ଦ୍ଦେଶାବଳୀ ଓ ପରାମର୍ଶ ଜାରି କରାଯାଇଛି, ତାହାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ଘରୋଇ ସାଟେଲାଇଟ୍‍ ନିଉଜ୍‍ ଟିଭି ଓ ଏଫ୍‍.ଏମ୍‍. ରେଡିଓ ଚ୍ୟାନେଲଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନାରେ କୁହାଯାଇଛି, କରୋନା ଭୂତାଣୁ ସମ୍ପର୍କରେ ସ୍କ୍ରୋଲିଂ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବାକୁ ମଧ୍ୟ ସଂପୃକ୍ତ ଘରୋଇ ଚାନେଲ୍‍ଗୁଡ଼ିକୁ କୁହାଯାଇଛି।

ୱୁହାନ୍‍ ଫେରନ୍ତା ୧୧୨ ସୁସ୍ଥ
ଇଣ୍ଡୋ-ତିବତ୍‍ ସୀମା ପୁଲିସ୍‍ – ଆଇ.ଟି.ବି.ପି. ପକ୍ଷରୁ କୁହାଯାଇଛି, ୱୁହାନ୍‍ରୁ ଆସିଥିବା ୧୧୨ ଜଣଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କୋଭିଡ଼୍‍-୧୯ ସମ୍ପର୍କିତ କୌଣସି ସୂଚନା ମିଳି ନାହିଁ। ଆଇ.ଟି.ବି.ପି.ର ଛାୱଲା ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଚୀନ୍‍ର ୱୁହାନ୍‍ରୁ ଆସିଥିବା ୧୧୨ ଜଣଙ୍କୁ ରଖାଯାଇଛି। ଗତ ରବିବାର ଦିନ ନୂଆଦିଲ୍ଲୀରେ ସେମାନଙ୍କର ପ୍ରଥମ ପରୀକ୍ଷଣ ନେଗେଟିଭ୍‍ ଥିବା ଜଣାପଡ଼ିଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା କଣ କରିବେ, କଣ ନ କରିବେ
କୋଭିଡ଼୍‍-୧୯ ସଂକ୍ରମଣ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ’ଣ କରିବା ଉଚିତ ଏବଂ କ’ଣ ନ କରିବା ଉଚିତ, ସେନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଲୋକମାନଙ୍କୁ ବ୍ୟକ୍ତିଗତ ସ୍ତରରେ ସ୍ୱାସ୍ଥ୍ୟକର ପରିବେଶରେ ରହିବା ପାଇଁ କୁହାଯାଇଛି। ସାବୁନରେ ବାରମ୍ବାର ହାତ ଧୋଇବା ନେଇ ପରାମର୍ଶ ଦିଆଯାଇଛି। ଯେତେବେଳେ ନିଜ ହାତ ଅପରିଷ୍କାର ଦିଶୁଛି, ସେତେବେଳେ ସାବୁନ୍‍ ବ୍ୟବହାର କରି ହାତ ଧୋଇବା ଉଚିତ। କାଶିବା ଓ ଛିଙ୍କିବା ସମୟରେ ଟିସୁ ପେପର ବ୍ୟବହାର କରିବାପାଇଁ କୁହାଯାଇଛି ଏବଂ ସେଗୁଡ଼ିକୁ ସଙ୍ଗେ ସଙ୍ଗେ ଡଷ୍ଟ ବିନରେ ଫିଙ୍ଗି ଦେବାକୁ ପରାମର୍ଶ ଦିଆଯାଇଛି। ଯଦି ନିଜେ ଅସୁସ୍ଥ ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ରାସ୍ତାଘାଟରେ ଛେପ ଖଙ୍କାର ନ ପକାଇବା ଏବଂ ବାରମ୍ବାର କାଶୁଥିବା ଲୋକ ସଂସ୍ପର୍ଶରେ ନ ଆସିବାକୁ କୁହାଯାଇଛି। ଦର ସିଝା ଏବଂ କଞ୍ଚା ମାଂସ ନ ଖାଇବାକୁ କୁହାଯାଇଛି। କୃଷିକ୍ଷେତ୍ର, ଗୋରୁହାଟ ଏବଂ କଂସେଇଖାନାକୁ ଯିବାକୁ ବାରଣ କରାଯାଇଛି।

ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କର ସହାୟତା
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱବ୍ୟାଙ୍କ ୧୨ଶହ କୋଟି ଡଲାର ସହାୟତା ପ୍ୟାକେଜ୍‍ ଘୋଷଣା କରିଛି। ଯେଉଁ ଦେଶମାନେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା କରୁଛନ୍ତି, ସେମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍‍ ମଲ୍‍ପାସ୍‍ କହିଛନ୍ତି କରୋନା ପ୍ରଭାବିତ ଦେଶଗୁଡ଼ିକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟତା ଯୋଗାଇ ଦେବା, ବିଶେଷ କରି କରୋନାର ମୁକାବିଲା କରିବା ଏହି ଅର୍ଥ ଯୋଗାଣର ମୁଖ୍ୟଲକ୍ଷ୍ୟ। ତେବେ ବ୍ୟାଙ୍କ୍‍ ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ଯୋଗାଯୋଗରେ ରହିଥିବା ଜଣାପଡିଛି।

Comments are closed.