କରୋନା ସଂକ୍ରମଣ : ୧୫ ଦିନରେ ଅଣାୟତ୍ତ

୧୭ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ; ୧୪ ମୃତ, -ଆଉ ୨୯୮୯ ଆକ୍ରାନ୍ତ; ୨ ମୃତ

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ ଗତ ୧୫ ଦିନରେ ଅଣାୟତ୍ତ ହେବାରେ ଲାଗିଛି। ଏପ୍ରିଲର ମାତ୍ର ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ୧୭ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଇତିମଧ୍ୟରେ ୧୪ ଜଣଙ୍କ ମୃତ୍ୟୁ ହେଲାଣି। ଏପ୍ରିଲ ପହିଲାରେ ରାଜ୍ୟରେ ୩ଲକ୍ଷ ୪୧ହଜାର ୩୧୧ ଆକ୍ରାନ୍ତ ରହିଥିବାବେଳେ ଏବେ ଏହି ସଂଖ୍ୟା ୩ଲକ୍ଷ ୫୮ହଜାର ୩୪୨ରେ ପହଞ୍ଚିଛି। ଗତ ୧୫ଦିନ ମଧ୍ୟରେ ରାଜ୍ୟରେ ୧୭ହଜାର ୩୧ ଆକ୍ରାନ୍ତ ବଢ଼ିଛନ୍ତି। ଆକ୍ରାନ୍ତଙ୍କ ତୁଳନାରେ ରାଜ୍ୟରେ ଏବେ ସୁସ୍ଥ ହାର ଧିମା ରହିଛି। ରାଜ୍ୟରେ କରୋନା ମହାମାରୀର ପରିସ୍ଥିତି ଏପରି ହେଲାଣି ଯେ ୨୪ ଘଣ୍ଟାରେ ଆଉ ୨୯୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛତିଶଗଡ଼ ପାଇଁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ି ଚାଲିଛି। ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ପ୍ରଭୃତି ଜିଲାରେ ସଂକ୍ରମଣ ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ରାଜ୍ୟରେ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଆକ୍ରାନ୍ତ ଚିହ୍ନଟ ହେବାପରେ ସକ୍ରିୟଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି। ଖୋର୍ଦ୍ଧାରେ ୪୩୮ ଆକ୍ରାନ୍ତଙ୍କୁ ନେଇ ସଂଖ୍ୟା ୨୦୮୩କୁ ଛୁଇଁଛି। ଏହାବାଦ୍ ଆଜି କଳାହାଣ୍ଡିରେ ୨୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ୨୦୬, ନୂଆପଡାରେ ୧୫୧, ସମ୍ବଲପୁରରେ ୧୪୮, ବରଗଡ଼ରେ ୧୨୬, ପୁରୀରେ ୧୧୨, ବଲାଙ୍ଗୀରରେ ୧୧୦, ଝାରସୁଗୁଡାରେ ୮୪, ବାଲେଶ୍ବରରେ ୮୩, କେନ୍ଦୁଝରରେ ୭୭, ଅନୁଗୋଳରେ ୬୫,ଗଞ୍ଜାମରେ ୬୩, ଯାଜପୁରରେ ୫୧ ଆକ୍ରାନ୍ତ ବାହାରିଥିବାବେଳେ ଅନ୍ୟ ଜିଲାରେ ୫୦ ତଳକୁ ଆକ୍ରାନ୍ତ ରହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଜି କେନ୍ଦୁଝର ଓ କଳାହାଣ୍ଡିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ରାଜ୍ୟର ସଂଖ୍ୟା ୧୯୩୫କୁ ଛୁଇଁଛି। ଆଜିର ଆକ୍ରାନ୍ତଙ୍କୁ ନେଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୬୨୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ରାଜ୍ୟରେ ଆଜି ୮୩୭ ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥ ସଂଖ୍ୟା ୩ଲକ୍ଷ ୪୨ହଜାର ୫୭୦ରେ ପହଞ୍ଚିଛି। ସେହିପରି ପହିଲାରେ ୯୦ଲକ୍ଷ ୩୭ହଜାର ୨୩୨ ନମୁନା ପରୀକ୍ଷା ହୋଇଥିବା ବେଳେ ଅଦ୍ୟାବଧି ଏହାବଢ଼ି ୯୪ଲକ୍ଷ ୯୬ ହଜାର ୨୯୧ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ୪ଲକ୍ଷ ୫୯ହଜାର ୫୯ ନମୁନା ପରୀକ୍ଷା ହୋଇଛି। ଏପ୍ରିଲ ୨ରେ ୩ଲକ୍ଷ ୩୭ହଜାର ଉପରେ ସୁସ୍ଥ ହାର ରହି ଥିବାବେଳେ ଏବେ ୩ଲକ୍ଷ ୪୨ହଜାର ୫୭୦ ରହିଛି।

Comments are closed.