ଦୈନିକ ସଂକ୍ରମଣ ୪.୪ ଲକ୍ଷ ଛୁଇଁବ

-ଘରେ ତୁଣ୍ଡି ବାନ୍ଧ ; ବାହାରକୁ ବାହାର ନାହିଁ

-ଚିନ୍ତା ବଢ଼ାଇଛି ବ୍ରାଜିଲ ଓ ଦ.ଆଫ୍ରିକା ଭୂତାଣୁ
-ନିୟୋଜିତ ହେବେ ଅବସରପ୍ରାପ୍ତ ସେନା ସ୍ବାସ୍ଥ୍ୟ କର୍ମଚାରୀ
-୧୦ ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ : କରୋନାର ଭୟଙ୍କର ରୂପ ଆହୁରି ବାକି ରହିଛି। ମେ ମଧ୍ୟଭାଗ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରୁ ୪୮ଲକ୍ଷରେ ପହଞ୍ଚିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଭାରତୀୟ ଔଦୌଗିକ ସଂସ୍ଥାନ (ଆଇଆଇଟି)ର ବୈଜ୍ଞାନିକମାନେ। କାନପୁର ଓ ହାଇଦରାବାଦ ଆଇଆଇଟି ବୈଜ୍ଞାନିକ ଦଳ ଏକ ଗାଣିତିକ ଧାରା ‘ସୂତ୍ର’ ପ୍ରୟୋଗ ମାଧ୍ୟମରେ ଆକଳନ କରିଛନ୍ତି ଯେ ଦେଶରେ ଚିକିତ୍ସାଧୀନ ମାମଲା ସଂଖ୍ୟା ମେ ୧୪ରୁ ୧୮ ତାରିଖ ମଧ୍ୟରେ ଛୁଇଁପାରେ। ମେ ୪ରୁ ୮ ମଧ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୦ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ। ଏ କ୍ଷେତ୍ରରେ ନିଜର ପୂର୍ବ ପୂର୍ବାନୁମାନ ସଂଶୋଧନ କରି ବୈଜ୍ଞାନିକମାନେ କହିଛନ୍ତି ଯେ ମେ ମଧ୍ୟ ଭାଗ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ବୃଦ୍ଧିପାଇବା ଆଶଙ୍କା ରହିଛି। ଆଇଆଇଟି କାନପୁରର କମ୍ପ୍ୟୁଟର ସାଇନ୍ସ ବିଭାଗ ପ୍ରାଧ୍ୟାପକ ମନୀନ୍ଦର ଅଗରୱାଲ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କ ଦଳ କହିଥିଲେ ଯେ ମେ ଦ୍ବିତୀୟ ସପ୍ତାହ; ଅର୍ଥାତ୍‌ ୧୧ରୁ ୧୫ ମଧ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଏହି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରୁ ୩୫ ଲକ୍ଷ ଧରିବା ଆଶଙ୍କା ରହିଛି। ମାସ ଶେଷ ଆଡ଼କୁ ଏହା ଆହୁରି ଭୟଙ୍କର ରୂପ ନେଇ କ୍ରମଶଃ ହ୍ରାସ ପାଇବ ବୋଲି ସେମାନେ କହିଥିଲେ। ଏତଦ୍‌ବ୍ୟତୀତ ହରିୟାଣାର ଅଶୋକା ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଗୌତମ ମେନନ ଓ ତାଙ୍କ ଦଳ କହିଥିଲେ ଯେ ଏପ୍ରିଲ ମଧ୍ୟଭାଗ ଓ ମେ ମଧ୍ୟଭାଗରେ ସଂକ୍ରମଣ ଚିନ୍ତା ବଢ଼ାଇବ; କିନ୍ତୁ ଏହା କ୍ଷଣସ୍ଥାୟୀ ହେବ।
ଅନ୍ୟପକ୍ଷରେ ପାଖାପାଖି ୧୦ଟି ରାଜ୍ୟରେ ଏବେ ସ୍ଥିତି ଗୁରୁତର ରହିଛି। ମହାରାଷ୍ଟ୍ରରେ ଯଦିଓ ସଂକ୍ରମଣରେ ସାମାନ୍ୟ ଭଟ୍ଟା ପଡ଼ିଛି, ମାତ୍ର ମୃତ୍ୟୁରେ ବିରାମ ଲାଗିନାହିଁ। ଏଠାରେ ସୋମବାର ୫୨୪ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ରାଜଧାନୀ ଦିଲ୍ଲୀରେ ସ୍ଥିତି ସବୁଠୁ ଗୁରୁତର ରହିଛି। ସୋମବାର ୨୦,୨୦୧ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୩୮୦କୁ ଛୁଇଁବା କରୋନା କାୟାର ଭୟଙ୍କର ଅବସ୍ଥାକୁ ପ୍ରତିଫଳିତ କରିଛି। ଦିନକରେ କର୍ଣ୍ଣାଟକରେ ୨୦୧, ଉତ୍ତରପ୍ରଦେଶରେ ୨୪୯, ଛତିଶଗଡ଼ରେ ୨୨୬, ତାମିଲନାଡୁରେ ୯୪, ଗୁଜରାଟରେ ୧୫୮, ରାଜସ୍ଥାନରେ ୮୪, ପଶ୍ଚିମବଙ୍ଗରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି। କେରଳରେ ଦୈନିକ ସଂକ୍ରମଣ ୨୨ହଜାରରୁ ଉପରେ ଥିବାବେଳେ ମୃତ୍ୟୁସଂଖ୍ୟା ୨୮ ଥିବା ସରକାରୀ ତଥ୍ୟରୁ ପ୍ରକାଶ। ପରିସ୍ଥିତିକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବିଶେଷଜ୍ଞ ଡାକ୍ତରୀ ଦଳର ପରାମର୍ଶକ୍ରମେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଏ ନେଇ ଜନସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି।

ସୋମବାର ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡାକ୍ତର ଭିକେ ପଲ୍‌ କହିଛନ୍ତି ଯେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଭଳି କେତେକ ରାଷ୍ଟ୍ରର ମାରାତ୍ମକ କୋଭିଡ୍‌ ଭୁତାଣୁ ଏବେ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି। ଏ ସବୁ ଭୁତାଣୁ ଅନେକ ସମୟରେ ଆର୍‌ଟିପିସିଆର୍‌ ପରୀକ୍ଷାରେ ମଧ୍ୟ ଧରାପଡୁ ନାହିଁ। ବର୍ତ୍ତମାନ ସମୟରେ ଲୋକେ ଘରେ ମଧ୍ୟ ତୁଣ୍ଡି ବାନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। କୌଣସି ବନ୍ଧୁ ଓ ସାଙ୍ଗସାଥୀଙ୍କୁ ଘରକୁ ନିମନ୍ତ୍ରଣ ନ କରିବା ସହ ଜରୁରୀ ଆବଶ୍ୟକ ନଥିଲେ ଘରୁ ବାହାରକୁ ଦୁଇଟି ତୁଣ୍ଡି ପିନ୍ଧି ବାହାରିବାକୁ ସେ କହିଛନ୍ତି। ପରିବାରରେ ଯଦି କେହି କରୋନା ସଂକ୍ରମିତ ହୁଅନ୍ତି ତେବେ ତାଙ୍କ ସହିତ ଅନ୍ୟ ସଦସ୍ୟମାନେ ତୁଣ୍ଡି ବାନ୍ଧିବା ଦରକାର। ଅନ୍ୟଥା ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବ। ବାହାରକୁ ବାହାରିବା ସମୟରେ ତୁଣ୍ଡି ବାନ୍ଧିବାକୁ କୁହାଯାଉଥିଲା; ମାତ୍ର ସଂକ୍ରମଣ ବହୁତ ବେଗରେ ବ୍ୟାପୁଥିବାରୁ ଘରେ ମଧ୍ୟ ତୁଣ୍ଡି ବାନ୍ଧିବା ଜରୁରୀ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି ଯେ ଦୁଇ ଜଣ ବ୍ୟକ୍ତି ତୁଣ୍ଡି ବାନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଦ୍ବାରା ସଂକ୍ରମଣର ଆଶଙ୍କା ୯୦% କମ୍ ହୋଇଥାଏ। ଯଦି ସଂକ୍ରମିତ ବ୍ୟକ୍ତି ଠିକ୍ ଭାବେ ତୁଣ୍ଡିକୁ ପିନ୍ଧି ନଥାଏ ତେବେ ତା’ଠାରୁ ଭୂତାଣୁ ସଂକ୍ରମଣ ହୋଇଥାଏ। ତୁଣ୍ଡି ବାନ୍ଧିବା ସହିତ ସାମାଜିକ ଦୂରତା ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଅଗ୍ରୱାଲ କହିଛନ୍ତି ଯେ ତୁଣ୍ଡି ବାନ୍ଧିବା ସହିତ ସଂକ୍ରମିତ ବ୍ୟକ୍ତି ଠାରୁ ଉପଯୁକ୍ତ ଦୂରତା ରକ୍ଷା କରା ନଗଲେ ତା’ଠାରୁ ସଂକ୍ରମଣ ବ୍ୟାପିଥାଏ। ସଂକ୍ରମିତ ବ୍ୟକ୍ତି ଯଦି ସାମାଜିକ ଦୂରତା ରକ୍ଷା ନ କରେ ତେବେ ୩୦ଦିନ ମଧ୍ୟରେ ତା’ଠାରୁ ୪୦୬ଜଣ ସଂକ୍ରମିତ ହୋଇଥାନ୍ତି। ଦୂରତା ରକ୍ଷା କରିବା ଦ୍ବାରା ୩୦ ଦିନରେ ସେ ୨.୫ ବ୍ୟକ୍ତିଙ୍କୁ ସଂକ୍ରମଣ କରିଥାଏ। ଗୃହ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ଠିକ୍ ରୂପେ ପରିଚାଳନା କରାଯିବା ଦରକାର।
କରୋନା ବିରୋଧୀ ଯୁଦ୍ଧରେ ସୈନ୍ୟ ବାହିନୀର ସହଯୋଗିତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସହିତ ମୋଦୀ ସୈନ୍ୟ ବାହିନୀର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସିଡିଏସ୍ ରାୱତ ଦେଇଥିବା ସୂଚନା ଅନୁଯାୟୀ ସ୍ବେଚ୍ଛାକୃତ ଅବସର ନେଇଥିବା ଓ ଗତ ୨ବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ସେନାର ସମସ୍ତ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସେମାନଙ୍କ ଘର ନିକଟସ୍ଥ କରୋନା ଡାକ୍ତରଖାନାରେ ମୁତୟନ ନିମନ୍ତେ ଡକାଯିବ। ସେନା ଡାକ୍ତରଖାନାରେ ଉପଲବ୍ଧ ଥିବା ଅମ୍ଳଜାନକୁ ଆବଶ୍ୟକତା ଭିତ୍ତିରେ ସାଧାରଣ ଡାକ୍ତରଖାନାକୁ ଯୋଗାଇ ଦିଆଯିବ। ସେହିପରି ଯେଉଁସବୁ ଡାକ୍ତରଖାନାରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ରହିଥିବ ସେଠାକୁ ସେନା ମୁଖ୍ୟାଳୟ ଡାକ୍ତରଖାନାର କର୍ମଚାରୀଙ୍କୁ ପଠାଯିବ। ଜେନେରାଲ ରାୱତ କହିଛନ୍ତି ସେନା ପକ୍ଷରୁ ଅଧିକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି। ଏହିସବୁ ସ୍ବାସ୍ଥ୍ୟ ସୁବିଧା ଆବଶ୍ୟକ ଅନୁଯାୟୀ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବ। ବିଭିନ୍ନ ରାଜ୍ୟରୁ ଅମ୍ଳଜାନ ଟ୍ୟାଙ୍କର ପରିବହନ ନିମନ୍ତେ ବାୟୁସେନାର ବିମାନକୁ ନିୟୋଜିତ କରାଯାଇଛି। ବାୟୁସେନାର ସି-୧୯ ହେଲିକପ୍ଟର ଦୁବାଇରୁ ୧୭ଟି ଅମ୍ଳଜାନ ଧାରକ (କଣ୍ଟେନର)କୁ ଭାରତ ଆଣିଛି। କରୋନା ପ୍ରଭାବିତ ଅନେକ ରାଜ୍ୟରେ ସ୍ବାସ୍ଥ୍ୟ ସୁବିଧା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ସେନାର ସହାୟତା ଲୋଡାଯାଇଛି।
କ୍ରମାଗତ ୫ଦିନ ଧରି ଦେଶରେ ୩ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଆସୁଛନ୍ତି। ସୋମବାର ସମଗ୍ର ଦେଶରେ ୩ଲକ୍ଷ ୫୨ହଜାର ୯୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୩,୧୩,୧୬୩ରେ ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟାରେ ୨,୮୧୨ ସଂକ୍ରମିତଙ୍କର ମୃତ୍ୟୁ ସହିତ ମୋଟ ମୃତ୍ୟୁସଂଖ୍ୟା ୧,୯୫,୧୨୩ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୩,୦୪,୩୮୨ ଜଣ ସୁସ୍ଥ ହୋଇଥିବାବେଳେ ୨୮,୧୩,୬୫୮ ଜଣ ଚିକିତ୍ସାଧୀନ ଅଛନ୍ତି।
ମହାରାଷ୍ଟ୍ର ସଂକ୍ରମଣର କେନ୍ଦ୍ରସ୍ଥଳ ହୋଇଥିବାବେଳେ ସୋମବାର ଏଠାରେ କିଛିଟା ହ୍ରାସ ପରିଲକ୍ଷିତ ହୋଇଛି। ରବିବାର ରାଜ୍ୟରେ ୬୬,୧୯୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୋମବାର ଏହା ୪୮,୭୦୦କୁ ହ୍ରାସ ପାଇଛି। ସେହିପରି ଦୈନିକ ମୃତ୍ୟୁସଂଖ୍ୟା ୮୩୨ରୁ ୫୨୪କୁ ହ୍ରାସ ପାଇଛି। ଦିଲ୍ଲୀରେ ମଧ୍ୟ ଆଜି ଗତ ଦିନ ଅପେକ୍ଷା କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୨୦,୨୦୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨,୦୫୫ ସୁସ୍ଥ ହୋଇଛନ୍ତି। ସେହିପରି ଦିଲ୍ଲୀରେ ଆଜି ୩୮୦ଜଣଙ୍କର ମୃତ୍ୟୁ ହୋଇଛି। ଛତିଶଗଡରେ ଆଜି ୧୫,୦୮୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨୬ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.