ଅର୍ଥନୀତିକୁ ଗତିଶୀଳ କରିବାକୁ ଯୋଜନା ବେଳେ କାୟା ମେଲାଉଛି କରୋନା

ସିଓଲ : ସାରା ବିଶ୍ବକୁ କରୋନା ଭୂତାଣୁ କବଳିତ କରିଥିବା ବେଳେ ଏବେ ଏହା କାୟା ମେଲାଇବାରେ ଲାଗିଛି। ଚଳିତ  ସପ୍ତାହରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭାରତରେ ପୁଣି ଦିନକରେ ୬ ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ଘଟଣା ଜଣାପଡିଛି। ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ହେବାକୁ ଯାଉଥିବାବେଳେ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହାର ପ୍ରଭାବ ଦେଖାଯାଉଛି। ଏଭଳି ସ୍ଥିତିରେ ମଧ୍ୟ ଆମେରିକାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ସହ ଅର୍ଥନୀତିକୁ ଗତିଶୀଳ କରିବାକୁ ଲୋକେ ଆନ୍ଦୋଳନ କରୁଥିବା ଦେଖାଯାଇଛି।

ଦକ୍ଷିଣ କୋରିଆରେ ଗତ ୫୦ ଦିନ ମଧ୍ୟରେ ବୁଧବାର ସର୍ବାଧିକ ୪୦ କରୋନା ସଂକ୍ରମିତ ମାମଲା ଆସିଛି। ପିଲାମାନେ ସ୍କୁଲକୁ ଫେରିବାକୁ ଯୋଜନା ହେଉଥିବା ବେଳେ ଏହା ଚିନ୍ତା ବଢ଼ାଇଛି। ସେହିପରି ଭାରତରେ ବୁଧବାର ୬୩୮୭ ମାମଲା ଆସିଛି। ଆମେରିକାର ମେକ୍ସିକୋରୁ ଚିଲି ପର୍ଯ୍ୟନ୍ତ ସବୁଠି କରୋନା ସଂକ୍ରମଣ ବଢ଼ିଚାଲିଛି। କିଛି ଦେଶକୁ ଛାଡିଦେଲେ ଅଧିକାଂଶ ଦେଶରେ ଅବସ୍ଥା ଅନୁରୂପ। ବିଶ୍ବରେ ୫.୬ ନିୟୁତ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୫୦୦୦୦ ଲୋକ ପ୍ରାଣ ହରାଇଲେଣି। ଏହି ସଂକ୍ରମଣ ମଧ୍ୟରେ ଅର୍ଥନୀତିକୁ ଗୁରୁତ୍ବ ଦେବାରେ ଲାଗିପଡିଛନ୍ତି ଅନେକ ଦେଶ। ଆମେରିକାରେ ଲୋକ ରାଜରାସ୍ତାକୁ ଓହ୍ଲାଇ ଆସୁଥିବା ବେଳେ ପର୍ଯ୍ୟଟନସ୍ଥଳୀ ଖୋଲିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ସୁବିଧା ଘୋଷଣା କରିଛି ସାଇପ୍ରସ। ସେଠାରେ ପର୍ଯ୍ୟଟକଙ୍କ କରୋନା ପରୀକ୍ଷା ସହ ଆବଶ୍ୟକ ସୁବିଧା ଦେବାକୁ ଘୋଷଣା କରାଯାଇଛି।

 

Comments are closed.