ଅନେକ ଜୀବନ ବାଜିରେ ଲାଗିଛି, ସତର୍କ ନ ହେଲେ ସ୍ଥିତି ସାଂଘାତିକ:ମୁଖ୍ୟମନ୍ତ୍ରୀ

୧୦ଦିନ କରୋନା କଟକଣା ସାରା ରାଜ୍ୟରେ କଡ଼ାକଡ଼ି ପାଳନ ହେବ, ସ୍ପେଶାଲ୍ ଡ୍ରଇଭ୍ ଜରିଆରେ ଲୋକଙ୍କୁ ସତର୍କ ପାଇଁ ପୁଲିସ ଡିଜିଙ୍କୁ ନିର୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। କରୋନା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। କାରଣ ଅନେକ ଜୀବନ ବାଜିରେ ଲାଗିଛି. ସତର୍କ ନ ହେଲେ ସ୍ଥିତି ସାଂଘାତିକ ହେବ। ଏଥିପାଇଁ ବ୍ୟକ୍ତିଗତ ଓ ସାମୁହିକ ସ୍ତରରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ୧୦ଦିନ କରୋନା କଟକଣା ସାରା ରାଜ୍ୟରେ କଡ଼ାକଡ଼ି ପାଳନ ହେବ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ମାସ୍କ, ସାମାଜିକ ଦୂରତ୍ବ ନେଇ ସଚେତନତା ସୃଷ୍ଟି କରାଯିବ। ତେଣୁ ସମସ୍ତେ କୋଭିଡ୍‌ ନିୟମ ମାନିବାକୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ଆମ୍ବୁଲାନ୍ସ ଓ ଅକ୍ସିଜେନ୍‌ ବ୍ୟବସ୍ଥା ପ୍ରସ୍ତୁତ ରଖିବା ସହ କରୋନା ମୁକାବିଲା ପାଇଁ ହସ୍ପିଟାଲ୍‌ ଭିତ୍ତିଭୂମି ଦୃଢ଼ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଆମ୍ବୁଲାନ୍ସ ନଆସିବା, ହସ୍ପିଟାଲରେ ବେଡ୍‌ ନଥିବା ଗ୍ରହଣ କରାଯିବନି। ଏନେଇ ଯେମିତି କିଛି ଅଭିଯୋଗ ନଆସିବ, ସେଥିପାଇଁ ସମସ୍ତେ ଦାୟିତ୍ବ ସମ୍ପନ୍ନ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାକୁ ତୁରନ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଠାଇବା ସହ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କୋଭିଡର ପ୍ରଥମ ଲହରୀ ଆମେ ସମସ୍ତେ ଅନୁଭବ କରିଛୁ । ଯେହେତୁ ଏହା ଲୋକଙ୍କ ଜୀବନମରଣ ସହ ଜଡିତ, ତେଣୁ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ ନିୟମାବଳୀ ପାଳନ କରିବା ଏବଂ ସଂକ୍ରମଣ ନିୟନ୍ତ୍ରଣରେ ସରକାରଙ୍କ ସହ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଛତିଶଗଡ଼ ସୀମାନ୍ତ ଜିଲା ଉପରେ ରାଜ୍ୟ ସରକାର ଫୋକସ୍‌ ଦେଇଛନ୍ତି। ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ସତର୍କ ନଜର ରଖାଯିବ। ଓଡ଼ିଶାର ସୀମାନ୍ତବର୍ତ୍ତି ଜିଲାଗୁଡ଼ିକରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ୍‌ ଷ୍ଟାଫ୍‌ ଓ ଲ୍ୟାବ୍‌ ଟେକ୍ନିସିଆନ୍‌ ମୁତୟନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ପରେ ୧୦ ଦିନ ସ୍ପେଶାଲ୍ ଡ୍ରଇଭ୍ ଜରିଆରେ ଲୋକଙ୍କୁ ସତର୍କ କରିବା ପାଇଁ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୁଲିସ ମୁତୟନ ସହିତ ସାରା ରାଜ୍ୟରେ ପୁଲିସ ମୁତୟନ କରି ସ୍ପେଶାଲ୍‌ ଡ୍ରାଇଭ୍‌ କରିବାକୁ ପୁଲିସ ଡିଜିଙ୍କୁ କହିଛନ୍ତି। କୋଭିଡ୍‌ କଟକଣା ଓ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୁଲିସ ମୁତୟନ ନିର୍ଦେଶ ଦେଇଛନ୍ତି। ଅମାନିଆଙ୍କୁ ସାବାଡ଼ କରିବାକୁ ସାରା ରାଜ୍ୟରେ ପୁଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ ପାଇଁ ପୁଲିସ ଡିଜିଙ୍କୁ ନିର୍ଦେଶ ଦିଆଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ।
ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କରିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍, ଉନ୍ନୟନ କମିଶନରଙ୍କ ସହ ରାଜ୍ୟର ସମସ୍ତ ଜିଲାପାଳ, ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯିବା ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ବର୍ତ୍ତମାନ କୋଭିଡର ସ୍ଥିତି ଏବଂ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଭୁବନେଶ୍ବର-କଟକର ମ୍ୟୁନିସପାଲ କମିଶନର ମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ତଥା କୋଭିଡ ନିୟମର ଅନୁପାଳନ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.