କରୋନା କଟକଣା: ଶବ ସତ୍କାର ପାଇଁ ଦିଲ୍ଲୀରେ ଲମ୍ବାଧାଡ଼ି, ପାଞ୍ଚ ଘଣ୍ଟା ପରେ ପଡ଼ୁଛି ପାଳି

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ମହାମାରୀ ନିଜର କାୟା ମେଲାଇ ଚାଲିଛି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୪,୮୩୭ ରହିଥିବାବେଳେ ସେଥିମଧ୍ୟରୁ ୯୩,୩୪୩ଜଣ ସୁସ୍ଥ ହୋଇଛନ୍ତି ଏବଂ ୫,୫୭୭ଜଣଙ୍କ ମୃତ୍ୟୁ ହୋଇଛି। ନୂଆଦିଲ୍ଲୀରେ ୧୯,୮୪୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୮,୪୭୮ଜଣ ସୁସ୍ଥ ହୋଇଥିବାବେଳେ ୪୭୩ଜଣଙ୍କ ମୃତ୍ୟୁ ହୋଇଛି। ତେବେ କରୋନା କଟକଣା ଯୋଗୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶବ ସତ୍କାର ପାଇଁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି। ଶବ ସତ୍କାର ସମୟରେ ମାତ୍ର ୨୦ଜଣ ସାମିଲହୋଇପାରିବେ ବୋଲି ନିୟମ ରହିଛି। ନୂଆଦିଲ୍ଲୀରେ ଶବସତ୍କାର ସ୍ଥଳକୁ ୨୦ରୁ ଅଧିକ ବ୍ୟକ୍ତି ଯିବାକୁ ବାରଣ କରାଯାଇଛି। ଫଳରେ ଶବ ସତ୍କାରସ୍ଥଳ ବାହାରେ ଆମ୍ବୁଲନ୍ସ ନିକଟରେ ସମ୍ପର୍କୀୟଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। କରୋନା ସଙ୍କଟ ଯୋଗୁ ଶେଷ ଦର୍ଶନ ପାଇଁ ସମ୍ପର୍କୀୟମାନେ ନୂଆଦିଲ୍ଲୀରେ ଲମ୍ବାଧାଡ଼ିରେ ରହୁଥିବା ଜଣାପଡ଼ିଛି।

ଗତ ୨ ମାସ ମଧ୍ୟରେ ଦିଲ୍ଲୀରେ ଅନ୍ୟୂନ ୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି

୪୫ ଡ଼ିଗ୍ରୀ ତାପମାତ୍ରାରେ ସମ୍ପର୍କୀୟଙ୍କୁ ଘଣ୍ଟାଘଣ୍ଟା  ଅପେକ୍ଷା କରିବାକୁ ପଡ଼ୁଛି

ଗୋଟିଏ ଗୋଟିଏ ଶବ ସତ୍କାର ପାଇଁ ବେଳେବେଳେ ୨୦ ହଜାର ଟଙ୍କା ଖର୍ଚ

ନୂଆଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ଏବଂ ଲୋକଙ୍କ ଚଳପ୍ରଚଳ ପାଇଁ କଟକଣା ଲାଗୁ ହୋଇଛି। ଫଳରେ ଲକ୍‌ଡାଉନ୍‌ ଯୋଗୁ ଗତ ଦୁଇମାସ ଭିତରେ ନୂଆଦିଲ୍ଲୀରେ ୫,୦୦୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ଯମୁନା ନଦୀର ନିଗମବୋଧ ଘାଟରେ ଶବ ସତ୍କାର ପାଇଁ ସମ୍ପର୍କୀୟଙ୍କ ଭିଡ଼ ଜମୁଛି। ପ୍ରଶିକ୍ଷଣ ଲାଭ କରିଥିବା ମେଡ଼ିକାଲ୍‌ କର୍ମଚାରୀଙ୍କ ଅଭାବରୁ ଶବ ସତ୍କାର ଠିକ୍‌ ଭାବେ କରାଯାଇ ପାରୁନାହିଁ। ଦିଲ୍ଲୀରେ ୪୫ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଥିବାବେଳେ ସମ୍ପର୍କୀୟମାନେ ଖରାରେ ଡହଳ ବିକଳ ହେଉଛନ୍ତି। ଟାଣ ଖରାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ସେମାନଙ୍କ ଲାଗି ଯନ୍ତ୍ରଣା ଦାୟକ ସାବ୍ୟସ୍ତ ହେଉଛି। ଯଦିଓ ନୂଆଦିଲ୍ଲୀରେ ଶବ ସତ୍କାର କରିବା ବ୍ୟୟବହୁଳ ହେଉଛି, ତଥାପି ପରିବାର ଲୋକେ ଓ ସମ୍ପର୍କୀୟମାନେ ଅନ୍ୟ ଉପାୟ ନ ପାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। କେତେକ ସ୍ଥାନରେ ଇଲେକ୍ଟ୍ରିଚୁଲା କାମ ନ କରିବାରୁ ମୃତ ଦେହକୁ ପୁନର୍ବାର ମେଡ଼ିକାଲ୍‌କୁ ଫେରାଇ ଦିଆଯାଇଥିଲା। ଶବଦାହ ପାଇଁ ୨୦,୦୦୦ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡୁଥିବା କହିଛନ୍ତି। ଶବସତ୍କାର ସ୍ଥଳରେ ଆମ୍ବୁଲନ୍ସ ପହଞ୍ଚିବା ପରେ ନମ୍ବରିଂ ହେଉଛି। ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ଶବଦାହ ପାଇଁ ସେମାନଙ୍କୁ ଡକାଯାଉଛି। ଟାଣ ଖରାରେ ସର୍ଜିକାଲ୍‌ ଗ୍ଲୋଭ୍‌ ପିନ୍ଧି ଏତେ ସମୟ ଅପେକ୍ଷା କରିବା ଯନ୍ତ୍ରଣା ଦାୟକ ବୋଲି ଆମ୍ବୁଲାନ୍ସ ଡ୍ରାଇଭର ଜୟ କୁମାର କହିଛନ୍ତି। ତେବେ କେତେକ ସ୍ଥାନରେ ପାରମ୍ପରିକ ଶୈଳୀରେ ମାତ୍ର ୨୦ଟି ଶବଦାହ କରାଯାଉଛି। ଏସବୁ ସ୍ଥଳରେ ମଧ୍ୟ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଜଣାପଡ଼ିଛି।

Comments are closed.