୩୦ ସେକେଣ୍ଡରେ କରୋନା ରିପୋର୍ଟ: ସହାୟତା ଦେବାକୁ ଭାରତରେ ପହଞ୍ଚିଲେ ଇସ୍ରାଏଲ ଗବେଷକ

କରୋନା ଲଢ଼େଇରେ ସହଯୋଗ କରିବା ନିମନ୍ତେ ଭାରତରେ ପହଞ୍ଚିଛନ୍ତି ଇସ୍ରାଏଲର ଗବେଷକ । ଏହି ଟିମ୍ ଭାରତୀୟ ଗବେଷକଙ୍କ ସହ ମିଶି ଏମିତି ଏକ କରୋନା ଟେଷ୍ଟ କିଟ୍ ପ୍ରସ୍ତୁତ କରିବେ, ଯେଉଁଥିରେ କି ଆଖିରୁ ପଲକ ପଡ଼ିବା ପାଇଁ ଯେତିକି ସମୟ ଲାଗେ ସେତିକି ସମୟ ମଧ୍ୟରେ ଜଣେ ବ୍ୟକ୍ତିଙ୍କ କରୋନା ରିପୋର୍ଟ ଜଣାପଡ଼ିବ । ମୋଟାମୋଟି କହିଲେ ମାତ୍ର ୩୦ ସେକେଣ୍ଡରେ ଏହି ରିପୋର୍ଟରେ ଜଣେ କରୋନା ସଂକ୍ରମିତ କି ନୁହେଁ ତାହା ସ୍ପଷ୍ଟ ହୋଇଯିବ ।

ଇସ୍ରାଏଲ-ଭାରତ ମିଳିତ ଭାବରେ ଏହି ଟେଷ୍ଟ କିଟକୁ ବିକଶିତ କରୁଛନ୍ତି । ଇସ୍ରାଏଲର ଏକ ଉଚ୍ଚସ୍ତରୀୟ ଗବେଷକ ଦିଲ୍ଲୀରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ଏହି ଟିମ୍ କରୋନା ଭୂତାଣୁ (କୋବିଦ-୧୯) ସଂକ୍ରମଣକୁ ତୁରନ୍ତ ରୋକିବାକୁ ଏକ କିଟ୍ ପ୍ରସ୍ତୁତ କରିଛନ୍ତି । ଭାରତରେ ଏହାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷାନିରୀକ୍ଷା କରାଯାଉଛି । ଭାରତର ସହଯୋଗରେ ଇସ୍ରାଏଲ୍ ପ୍ରତିନିଧିମାନେ ୧୦ ଦିନରେ ଅନ୍ୟୂନ ୧ହଜାର ନମୁନା ଏକତ୍ର କରିବେ । ଇସ୍ରାଏଲ୍ ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଗବେଷକମାନଙ୍କ ସହ ଏକ ସ୍ବତନ୍ତ୍ର ବିମାନରେ ୧୨ଟ ଅତି ଉନ୍ନତ ଭେଣ୍ଟିଲେଟର ମଧ୍ୟ ପଠାଇଥିବା ସୂଚନା ମିଳିଛି । ଭାରତ ସହ ଏହି କରୋନା ସମ୍ପର୍କକୁ ଇସ୍ରାଏଲ୍ ‘ଅପରେସନ ବ୍ରେଥିଂ ସ୍ପେସ’ ନାମରେ ନାମିତ କରିଛି ।

Comments are closed.