କରୋନା ବିଡମ୍ବନା: ଇଞ୍ଜେକସନ ଗୋଟିଏ, ୬ ପ୍ରକାର ମୂଲ୍ୟ

କଟକ: ଚିକିତ୍ସା ନାଁରେ କରୋନା ରୋଗୀ ଶୋଷିତ ହେଉଛନ୍ତି। ସରକାରଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧ କିମ୍ବା ଇଞ୍ଜେକସନର କୌଣସି ନିର୍ଦିଷ୍ଟ ମୂଲ୍ୟନିର୍ଦ୍ଧାରଣ କରିନାହାନ୍ତି। ଫଳରେ ଗୋଟିଏ ଇଞ୍ଜେକସନ ଓ ଔଷଧ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ରେ​‌ମଡେସିଭିର ୧୦୦ ମିିଲିଗ୍ରାମ ଇଞ୍ଜେକସନର ମୂଲ୍ୟ ବିଭିନ୍ନ କମ୍ପାନୀ ଅଲଗା ଅଲଗା ଧାର୍ଯ୍ୟ କରିଛନ୍ତି। ଏହି ଇଞ୍ଜେକସନର ମୂଲ୍ୟ ୮୦୬.୪୦ ଟଙ୍କାରୁ ୩୦୮୦ଟଙ୍କା ପର୍ଯ୍ୟନ୍ତ ରହିଛି। ସାଧାରଣ ଔଷଧ ଦୋକାନରେ ଏହି ଇଞ୍ଜେକସନ ଉପଲବ୍ଧ ହେଉନାହିଁ। କଟକ ମହାନଗର ନିଗମ ଅନ୍ତର୍ଗତ ବେସରକାରୀ ଡାକ୍ତରଖାନାକୁ ନିଗମ କର୍ତ୍ତୃପକ୍ଷ ଯୋଗାଇ ଦେଉଛନ୍ତି। ରୋଗୀ ସମ୍ପର୍କୀୟ ଔଷଧ ପାଇଁ ଆସିଲେ ତାଙ୍କୁ ବିଭିନ୍ନ ଆଳ କରି ଫେରାଇ ଦିଆଯାଉଥିବା ବେଳେ ଘରୋଇ ଡାକ୍ତରଖାନା କର୍ମଚାରୀଙ୍କୁ କିନ୍ତୁ ତତ୍କାଳ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି।

ରାଜ୍ୟ ସରକାରଙ୍କର ଏ ଦିଗରେ କୌଣସି ସ୍ପଷ୍ଟ ନିୟମ ନଥିବାରୁ ବହୁ କରୋନା ସଂକ୍ରମିତ ସଠିକ ଚିକିତ୍ସା ସେବା ପାଇପାରୁନାହାନ୍ତି। ଅପରପକ୍ଷରେ ଔଷଧ କଳବଜାର କରି କେତେକ ମୁନାଫାଖୋର ବ୍ୟବସାୟୀ ବେଶ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଖୋଦ ନିଗମରେ ଏହି ବ୍ୟବସାୟ ଖୋଲାଖୋଲି ଚାଲିଥିବାବେଳେ ନିଗମ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ହୋଇ ବସି ରହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। କେବଳ ଔଷଧ ନୁହେଁ, କରୋନା ରୋଗୀଙ୍କର ପରୀକ୍ଷା, ଏକ୍ସ-ରେ, ସିଟି ଥୋରାକ୍ସ, ଅଲଟ୍ରାସାଉଣ୍ଡ, ଏମଆରଆଇ ପରୀକ୍ଷା ବାବଦରେ ଘରୋଇ ପରୀକ୍ଷାଗାରଗୁଡିକ ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି।

ଘରୋଇ ପରୀକ୍ଷାଗାର ଉପରେ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର କୌଣସି କଟକଣା ନଥିବାରୁ ସାଧାରଣ ରୋଗୀଟିଏ ସର୍ବସ୍ବାନ୍ତ ହେଉଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ୨୦ପ୍ରତିଶତ ଶଯ୍ୟା ଉପଲବ୍ଧ ରହିଛି। ସରକାରୀ ଡାକ୍ତରଖାନା ଏବଂ ସ୍ବତନ୍ତ୍ର କୋଭିଡ ଚିକିତ୍ସାଳୟରେ ଶଯ୍ୟା ନ ପାଇ ବହୁ କରୋନା ରୋଗୀ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି। ଏଥିସହିତ ଗୃହ ସଙ୍ଗରୋଧରେ ରହୁଥିବା ସଂକ୍ରମିତଙ୍କ ବିଭିନ୍ନ ପରୀକ୍ଷା ପାଇଁ ଘରୋଇ ପରୀକ୍ଷାଗାର ଉପରେ ନିର୍ଭର କରୁଛନ୍ତି। ବିଶେଷକରି ଏକ୍ସ-ରେ, ସିଟି ଥୋରାକ୍ସ, ଏମଆରଆଇ ପ୍ରଭୃତି ପରୀକ୍ଷା ପାଇଁ ଘରୋଇ କେନ୍ଦ୍ରଗୁଡିକ କେତେ ଟଙ୍କା ଅର୍ଥ ନେବେ ସେ ସଂକ୍ରାନ୍ତରେ ସରକାର କିମ୍ବା ସ୍ବାସ୍ଥ୍ୟ ବିଭାଗର କୌଣସି ସ୍ବତନ୍ତ୍ର ନିର୍ଦେଶନାମା ନାହିଁ। ଏହାର ଫାଇଦା ଉଠାଇ କଟକ ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ଘରୋଇ କେନ୍ଦ୍ରଗୁଡିକ ଏହିସବୁ ପରୀକ୍ଷା ପାଇଁ ମନଇଚ୍ଛା ମୂଲ୍ୟ ନେଉଛନ୍ତି। କରୋନା ରୋଗୀଙ୍କ ଚିକିତ୍ସାରେ ରେ​‌େ​‌ମଡେସିଭିର ଇଞ୍ଜେକସନ ବିଶେଷ ସହାୟକ ହେଉଛି। ଏହି ଇଞ୍ଜେକସନ ଘରୋଇ ଔଷଧ ଦୋକାନରେ ଉପଲବ୍ଧ ହେଉନାହିଁ। ସ୍ବତନ୍ତ୍ର କୋଭିଡ ଚିକିତ୍ସାଳୟ ସହିତ ଘରୋଇ ଚିକିତ୍ସାଳୟରେ ରୋଗୀଙ୍କୁ ଏହି ଔଷଧ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ଯୋଗାଇ ଦିଆଯାଉଛି।

କଟକ ମହାନଗର ନିଗମକୁ ଏ ସଂକ୍ରାନ୍ତରେ ନିଗମ ପକ୍ଷରୁ ଚିଠି ନଂ ୪୬୨୫ ଆସିଛି। ଉକ୍ତ ଚିଠିରେ ରେ​​‌ମଡେସିଭିର ୧୦୦ମି.ଗ୍ରା. ଇଞ୍ଜେକସନର ୬ଟି ନିର୍ମାଣକାରୀ ସଂସ୍ଥା ପ୍ରଦାନ କରୁଛନ୍ତି। ଏକାପ୍ରକାର ମିଶ୍ରଣ(କମ୍ପୋଜିସନ)ରେ ପ୍ରସ୍ତୁତ ହୋଇଥିବା ଏହି ଇଞ୍ଜେକସନର ମୂଲ୍ୟ କିନ୍ତୁ ୮୦୬ ଟଙ୍କା ୪୦ ପଇସାରୁ ଆରମ୍ଭ ହୋଇ ୩୦୮୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ନିଜସ୍ବ ଅର୍ଥରେ ନିଗମରୁ କ୍ରୟ କରୁଛି। ସ୍ବାସ୍ଥ୍ୟ ଅଫିସରଠାରୁ କିଣି ସମ୍ପୃକ୍ତ ରୋଗୀଙ୍କୁ ଇଞ୍ଜେକସନଟି ବ୍ୟବହୃତ କରି ସାରିବା ପରେ ଖାଲି ଭାଏଲକୁ ସି.ଏମ୍.ସି.କୁ ଫେରସ୍ତ ଦେବାକୁ ନିୟମ ରହିଛି। ଜାଇଡସ କାଡିଲା କମ୍ପାନୀ ଏହି ଇଞ୍ଜେକସନର ମୂଲ୍ୟ ସର୍ବନିମ୍ନ ୮୦୬.୪୦ ଟଙ୍କା ରଖିଥବା ବେଳେ ସନ ଫାର୍ମାର ୧୫୬୮ଟଙ୍କା, ଡ. ରେଡ୍ଡି ଲାବରେଟୋରୀ ୧୭୯୨ଟଙ୍କା, ଜୁବିଲାଣ୍ଟ ଜେନେରିକର ୧୯୦୪ଟଙ୍କା, ସିପଲା ଲିମିଟେଡର ୨୨୪୧ଟଙ୍କା ଏବଂ ହେଟେରୋ ହେଲଥକେୟାର ଲିମିଟେଡର ସର୍ବାଧିକ ୩୯୮୦ଟଙ୍କା ରହିଛି। ପୂର୍ବରୁ ଏହି ଇଞ୍ଜେକସନ ସମସ୍ତ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ କିନ୍ତୁ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀଙ୍କଠାରୁ ଅର୍ଥ ଆଦାୟ କରାଯାଉଛି।

Comments are closed.