ପରୀକ୍ଷା, ଟିକା ଓ ଅମ୍ଳଜାନ ପାଇଁ ନିର୍ଦ୍ଦେଶ ଦେଲେଣି ୧୦ ଉଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ଉପାୟଶୂନ୍ୟ ହୋଇପଡିଲେଣି। ଅନ୍ୟପଟେ ସଂକ୍ରମଣରେ ଅତିଷ୍ଠ ଦେଶବାସୀ ପ୍ରଶାସନ ଠାରୁ ସ୍ବାସ୍ଥ୍ୟସେବା, ଟିକା ଓ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ନ୍ୟାୟପାଳିକାର ଦ୍ବାରସ୍ଥ ହେବାରେ ଲାଗିଛନ୍ତି। ଏହି କ୍ରମରେ ୧୦ଟି ଉଚ୍ଚ ନ୍ୟାୟାଳୟ କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା, ଟିକା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଲାଗି ନିଜ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏପରି ନିର୍ଦେଶ ଦେଇଥିବା ଉଚ୍ଚ ନ୍ୟାୟାଳୟ ହେଲା ଗୁଜରାଟ, ଦିଲ୍ଲୀ, କଲକାତା, ମାଡ୍ରାସ, ମଧ୍ୟପ୍ରଦେଶ, ବମ୍ବେ, ତେଲଙ୍ଗାନା, ପାଟନା, କର୍ଣ୍ଣାଟକ ଓ ଆହ୍ଲାବାଦ। କରୋନା ସଂକ୍ରମିତଙ୍କୁ ଅମ୍ଳଜାନ ଯୋଗାଇ ଦେବା, ଡାକ୍ତରଖାନାରେ ଉପଲବ୍ଧ ଶଯ୍ୟା ବାବଦରେ ସୂଚନା ଦେବା, ସଂକ୍ରମଣ ନିୟନ୍ତ୍ରଣ ପାଇଁ ତାଲାବନ୍ଦ କରିବା, ପ୍ରବାସୀ ଶ୍ରମିକଙ୍କୁ ଉପଯୁକ୍ତ ସୁବିଧା ଦେବା, କରୋନା କଟକଣାକୁ ଠିକ୍ ରୂପେ ପାଳନ କରିବା ଭଳି ନିର୍ଦେଶ ଉଚ୍ଚ ନ୍ୟାୟାଳୟ ଦେଇଛନ୍ତି।

ଏପରିକି କେତେକ ଉଚ୍ଚ ନ୍ୟାୟାଳୟ ଗତବର୍ଷ ଦାୟର ହୋଇଥିବା ମାମଲାଗୁଡିକ ପୁନଃଶୁଣାଣି ଲାଗି ଖୋଲିଛନ୍ତି। ନୂଆ ମାମଲା ସହିତ ପୁରୁଣା ମାମଲାକୁ ସାମିଲ କରାଯାଇ ଶୁଣାଣି ହେଉଛି। ତେଲଙ୍ଗାନା ଓ ପାଟନା ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶକୁ ରାଜ୍ୟ ସରକାର ପାଳନ କରିଛନ୍ତି। ତେବେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ତାଲାବନ୍ଦ ସମ୍ପର୍କରେ ଦେଇଥିବା ନିର୍ଦେଶକୁ ରାଜ୍ୟ ସରକାରଙ୍କ ବିରୋଧ ପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତ ରଖିଛନ୍ତି। ଏପ୍ରିଲ ୧୧ରେ ଗୁଜରାଟ ଉଚ୍ଚ ନ୍ୟାୟାଳୟ ଗତବର୍ଷର ଏକ ମାମଲାକୁ ପୁନଃ ଶୁଣାଣି କରି ସଂକ୍ରମଣ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଯୋଗାଣ, ଔଷଧ ଅଭାବ ପ୍ରକାଶିତ ରିପୋର୍ଟ ଉପରେ ଉଚ୍ଚ ନ୍ୟାୟାଳୟ ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗୁଜରାଟରେ ସ୍ବାସ୍ଥ୍ୟ ସମ୍ପର୍କିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟରେ ତାଲାବନ୍ଦ କିମ୍ବା ରାତି କଟକଣା ଲାଗୁ କରିବାକୁ ନିର୍ଦେଶ ଦେଇଥିବାବଳେ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିଛି। ସେହିପରି ବମ୍ବେ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଠାରୁ କାରାଗାର ଅନ୍ତେବାସୀଙ୍କ ଅବସ୍ଥା ଓ କାରାଗାରରେ ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରୋଗୀଙ୍କ ପାଇଁ ଅମ୍ଳଜାନ ଅଭାବ ପୂରଣ କରିବା, ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ମାଡ୍ରାସ ହାଇକୋର୍ଟ କରୋନା ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଭିନ୍ନକ୍ଷମଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶ ଉଚ୍ଚ ଅଦାଲତ ଗତବର୍ଷର ଏକ ପିଟିସନ ଉପରେ ନିଜଆଡୁ ଶୁଣାଣି କରି ସମ୍ବିଧାନ ପ୍ରଦତ୍ତ ଉତ୍ତମ ସ୍ବାସ୍ଥ୍ୟ ଅଧିକାରକୁ ଦୋହରାଇଛନ୍ତି। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଡାକ୍ତରଖାନାରେ ଅମ୍ଳଜାନ, ଶଯ୍ୟା, ଔଷଧ ଯୋଗାଣ ସୁବ୍ୟବସ୍ଥିତ କରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି କଲକାତା ହାଇକୋର୍ଟ ନିର୍ବାଚନ ପ୍ରଚାରରେ ସାମିଲ ଭୋଟର କରୋନା କଟକଣା ଠିକ୍ରେ ଅନୁସରଣ କରୁ ନଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମେ ୨ରେ ଉପନିର୍ବାଚନ ଫଳ ପ୍ରକାଶ ପରେ ବିଜୟୀ ଦଳ ପକ୍ଷରୁ କୌଣସି ପ୍ରକାର ସମାବେଶ ଓ ଶୋଭାଯାତ୍ରା ନ କରିବା ଲାଗି ଆବଶ୍ୟକ ନିର୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

Comments are closed.