ଜାତୀୟ ତୁଳନାରେ ଓଡ଼ିଶାର ପରିସ୍ଥିତି ଭଲ – ଶାଳିନୀ ପଣ୍ଡିତ

ସମାଜ ପୋର୍ଟାଲ ଡେସ୍କ: ଏନଏଚଏମ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ୨ମାସ ତଳେ ଓଡ଼ିଶାରେ କେବଳ ଆରଏମଆରସିରେ ୧୦ଟି ନମୁନା ପରୀକ୍ଷାର କ୍ଷମତା ଥିବାବେଳେ ଏବେ ଏହି ସଂଖ୍ୟା ରାଜ୍ୟର ୮ଟି ଲ୍ୟାବରେ ୩ହଜାରରେ ପହଞ୍ଚିଛି। ଭାରତରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୯୮୩ଜଣଙ୍କ ନମୁନା ପରୀକ୍ଷା କରାଯାଉଥିବାବେଳେ ଓଡ଼ିଶାରେ ଏହି ହାର ୧୧୫୫ ରହିଛି। ଜାତୀୟ ତୁଳନାରେ ଓଡ଼ିଶାର ଭଲ ପରିସ୍ଥିତି ରହିଛି। ଏବେ ଆରଏମଆରସି, ଏମ୍ସ, ଏସସିବି, ଏମକେସିଜି ଓ ଆଇଜିଏଚ ଭଳି ୮ଟି ଲ୍ୟାବରେ ସ୍ବାବ୍ ପରୀକ୍ଷା କରାଯାଉଥିବାବେଳେ ଆଗାମୀ ଦିନରେ ବଲାଙ୍ଗୀର, କୋରାପୁଟ, ବାରିପଦା, ରାୟଗଡା ଓ କଳାହାଣ୍ଡି ପ୍ରଭୃତି ୧୧ଟି ଜିଲାରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ଠିକ୍ ସମୟରେ ଜଣେ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଗଲେ ୪୦୦ଜଣଙ୍କ ଜୀବନ ସୁରକ୍ଷିତ ରହିପାରିବ। ନମୁନା ପରୀକ୍ଷା ହାର ହିଁ କରୋନା ମୁକାବିଲାର ପ୍ରକୃତ ଚାବିକାଠି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ଆରଏମଆରସି ନିର୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି ଯେ ଗତକାଲି ସୁଦ୍ଧା ଆରଏମଆରସି ୨୫ହଜାରରୁ ଅଧିକ ନମୁନା ପରୀକ୍ଷା କରି ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ ଆଜି ସୁଦ୍ଧା ଯେତିକି ନମୁନା ପରୀକ୍ଷା ହୋଇଛି ତା’ର ତିନି ଚତୁର୍ଥାଂଶ ନିରୂପଣ କେବଳ ଏହି ଗବେଷଣା କେନ୍ଦ୍ରରେ ହୋଇଛି। କୋବାସ ମେସିନ ଇନଷ୍ଟଲ ହେବା ପରେ ଆରଏମଆରସିରେ ଦିନକୁ ୧୯୧୬ ନମୁନା ପରୀକ୍ଷା ହେବାର ସାମର୍ଥ ରହିଛି। ଏହାକୁ ନେଇ ଆସିଏମଆର ପକ୍ଷରୁ ଶୁଭେଚ୍ଛା ମିଳିଛି ବୋଲି ଡା. ପତି କହିଛନ୍ତି।

Comments are closed.