ଗତି ବଢ଼ାଇଲେ ସୁରତ ଫେରନ୍ତା

- ଜୁନ୍‌-ଜୁଲାଇରେ ବଢ଼ିବ ସଂକ୍ରମଣ - ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ ଯାହା ସୂଚନା ଦେଉଥିଲେ ତାହା ହିଁ ପ୍ରମାଣିତ ହେବାକୁ ଯାଉଛି। ସୁରତ ଫେରନ୍ତାଙ୍କ ପାଇଁ ଓଡ଼ିଶା ଚତୁର୍ଥ ପର୍ୟ୍ୟାୟରେ ପ୍ରବେଶ କରିଥିବାବେଳେ ଗୁରୁବାର ଗଞ୍ଜାମ,ମୟୂରଭଞ୍ଜ ଓ ବାଲେଶ୍ବରରେ ଗୋଟିଏ ଦିନରେ ପ୍ରାୟ ୩୧ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଭୁବନେଶ୍ବରରୁ ମଧ୍ୟ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୨୪ ଜଣ ନୂତନ ଆକ୍ରାନ୍ତକୁ ମିଶାଇ ଗଞ୍ଜାମରେ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଥିବାବେଳେ ଜିଲାକୁ କରୋନା ପ୍ରବଣ ତଥା ରେଡ-ଜୋନ ଭାବେ ଘୋଷଣା ହୋଇଛି। ଆଜି ଚିହ୍ନଟ ହୋଇଥିବା ସମସ୍ତ ୨୪ଜଣ କରୋନା ଆକ୍ରାନ୍ତ ପୁରୁଷ ବର୍ଗର। ସେମାନଙ୍କ ବୟସ ୨୦ରୁ ୬୦ ବର୍ଷ ମଧ୍ୟରେ ରହିଛି। ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ଫେରାଇବାପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ଏବେ କେତେକସ୍ତରରେ ସମାଲୋଚନା ଆରମ୍ଭ ହୋଇଛି।

ସୁରତ ଫେରନ୍ତା ଆସିବା ଦିନ ୪ଟା ହୋଇଛି କି ନାହିଁ ରାଜ୍ୟରେ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପୁଣି ଯେତିକି ନମୁନା ପରୀକ୍ଷା କରାଯାଇଛି ତା’ର କିଛି ଅଂଶ। ଯଦି ଆଜି ସୁଦ୍ଧା ସୁରତ ଓ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ସମସ୍ତଙ୍କ ୩୯ ହଜାର ୭୬୫ଜଣଙ୍କ ନମୁନା ପରୀକ୍ଷା କରାଯିବ ତେବେ ଏହି ସଂଖ୍ୟା ଢ଼େରଗୁଣରେ ବଢ଼ିବାର ସମ୍ଭାବନା ରହିଛି। ତେବେ ଗଞ୍ଜାମକୁ ବାଦ୍ ଦେଲେ ଆଜି ମୟୂରଭଞ୍ଜରେ କରୋନା ତା’ର ସ୍ଥିତି ଜାହିର କରିଛି। ସୁରତ ଫେରନ୍ତାଙ୍କ ପାଇଁ ଆଜି ଗୋଟିଏ ଦିନରେ ଏଠାରେ ମଧ୍ୟ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୧,୩୫, ୩୬ ଓ ୪୪ ବର୍ଷ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଭୁବନେଶ୍ବରର ମଞ୍ଚେଶ୍ବରରେ ଜଣେ ୩୬ବର୍ଷୀୟ ଯୁବକ, ଭିଏସଏସ ନଗରରେ ଜଣେ ୩୪ବର୍ଷୀୟ ଯୁବକ ଏବଂ ସୂର୍ୟ୍ୟନଗରରେ ୬୭ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହାକୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟରେ କେଉଁମାନେ ସବୁ ଆସିଛନ୍ତି ତାହା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଖୋଜା ଚାଲିଛି ଏବଂ ଚିହ୍ନଟ ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି।

ଜଗତସିଂହପୁରରେ ଜଣେ ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିବାବେଳେ ତାଙ୍କ ବୟସ ୭୦ବର୍ଷ ରହିଛି। ସେହିପରି ବାଲେଶ୍ବରରେ ଆଉ ୨ଜଣ ସୁରତ ଫେରନ୍ତା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୨୬ବର୍ଷ ଓ ଅନ୍ୟ ଜଣେ ୨୯ବର୍ଷର ଯୁବକ ରହିଛନ୍ତି। ନୂତନ ଆକ୍ରାନ୍ତ ବିଲକ୍ଷଣ ଥିବାବେଳେ ତାଙ୍କ କଣ୍ଟାକ୍ଟରେ କେଉଁମାନେ ସବୁ ଆସିଛନ୍ତି ତାହାକୁ ସରକାରଙ୍କ ପକ୍ଷରୁ ଖୋଜା ଚାଲିଛି। ଆକ୍ରାନ୍ତମାନଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଆଜିର ଏହି ୩୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି। କରୋନା କାୟାରେ ମୟୂରଭଞ୍ଜ ଯୋଡି ହେବା ପରେ ଇତିମଧ୍ୟରେ ୧୮ଜିଲାରେ ତା’ର ସ୍ଥିତି ଜାହିର କରିସାରିଲାଣି।

ସୂଚନା ଅନୁଯାୟୀ ଯାଜପୁରରେ ସର୍ବାଧିକ ୫୫ଜଣ କରୋନା ଆକ୍ରାନ୍ତ ରହିଥିବାବେଳେ ସେଠାରେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଖୋର୍ଦ୍ଧାରେ ଆଜି ସୁଦ୍ଧା ୫୦ଜଣ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭ଜଣ ସଂକ୍ରମିତ ରହିଥିବାବେଳେ ୩୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବରରେ ୨୨ଜଣ ସକ୍ରିୟ ଓ ୫ଜଣ ସୁସ୍ଥ, ଗଞ୍ଜାମରେ ୨୧ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାରୁ ଉକ୍ତ ଜିଲା ରାଜ୍ୟର ଦ୍ବିତୀୟ ସକ୍ରିୟ ସ୍ଥାନରେ ରହିଛି। ଭଦ୍ରକରେ ୯ ଆକ୍ରାନ୍ତ ଏବଂ ୧୨ ସୁସ୍ଥ, ସୁନ୍ଦରଗଡ଼ରେ ୭ ଆକ୍ରାନ୍ତ ଓ ୫ ସୁସ୍ଥ, ଜଗତସିଂହପୁର ୫ଜଣ ଓ ମୟୂରଭଞ୍ଜରେ ୪ ଜଣ ଆକ୍ରାନ୍ତ,ବଲାଙ୍ଗୀର, ଝାରସୁଗୁଡା, କେନ୍ଦୁଝର ୨ଜଣ ଲେଖାଏଁ ଆକ୍ରାନ୍ତ ରହିଥିବାବେଳେ କେନ୍ଦ୍ରାପଡାରେ ଜଣେ ସକ୍ରିୟ ଓ ୨ସୁସ୍ଥ, କଟକରେ ଜଣେ ସକ୍ରିୟ ଜଣେ ସୁସ୍ଥ, ଦେବଗଡ଼ ଏବଂ କୋରାପୁଟରେ ଜଣେ ଲେଖାଏଁ ଆକ୍ରାନ୍ତ ଏବଂ କଳାହାଣ୍ଡି, ଢ଼େଙ୍କାନାଳ ଏବଂ ପୁରୀରେ ଜଣେ ଲେଖାଏଁ ଥିବା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଓଡ଼ିଶାରେ ଇତିମଧ୍ୟରେ ୫୦ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି। ଗତକାଲି ଗୋଟିଏ ଦିନରେ ୩୦୬୦ ନମୁନା ପରୀକ୍ଷା କରାଯାଇଥିଲା। ଏଣିକି ନମୁନା ପରୀକ୍ଷା ହାର କିଭଳି ବଢ଼ି ୧୫ହଜାରରେ ପହଞ୍ଚିବ ସେନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଜୁନ୍‌-ଜୁଲାଇରେ ବଢ଼ିବ ସଂକ୍ରମଣ – ଏମ୍ସ ନିର୍ଦ୍ଦେଶକ
ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଜୁନ୍ ଓ ଜୁଲାଇ ବେଳକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି ଦିଲ୍ଲୀ ଏମ୍ସର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ଏହି ଦୁଇମାସରେ ବହୁ ଲୋକ କରୋନା ସଂକ୍ରମିତ ହୋଇପାରନ୍ତି ବୋଲି ସେ ଆକଳନ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ସଂକ୍ରମଣ ବୃଦ୍ଧି ପାଇବାର ଅନେକ କାରଣ ରହିଛି। ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଉଛି ତାହା କେତେଦୂର ଫଳପ୍ରଦ ତାହା ସମୟ କହିବ। ସେହିପରି ଲକଡାଉନ ଅବଧି ବୃଦ୍ଧି କରିବାର ପ୍ରଭାବ କେତେଦୂର ସଫଳ ତାହା ମଧ୍ୟ ସମୟକ୍ରମେ ଜଣାପଡିବ।

Comments are closed.