କରୋନାର କୌଣସି ଲହର ନାହିଁ: ସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: କରୋନା ମହାମାରୀର କୌଣସି ଲହର ନାହିଁ। ଏହା ତରଙ୍ଗ ଭାବେ ପ୍ରବାହିତ ହୁଏ। ଯେକୌଣସି ମହାମାରୀ ଆସିଲେ ଏହା ପୂରାପୂରି ଯାଏ ନାହିଁ; କିନ୍ତୁ ତା’ର ପ୍ରଭାବ କମିଯାଏ। ସେହିପରି କରୋନା ମହାମାରୀ ଏବେ ପେଣ୍ଡାମିକ (ଦେଶବ୍ୟାପୀ) ସ୍ତରରୁ ଏଣ୍ଡାମିକ (ସ୍ଥାନୀୟ) ସ୍ତରକୁ ଖସିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଥିବା ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ଏଣ୍ଡାମିକ ସ୍ତରରେ ପହଞ୍ଚିଛି। ତେବେ ଏହାକୁ ନେଇ ଭୂତାଣୁ କମି ଯାଇଥିବା ଭାବିବା ଉଚିତ ନୁହେଁ। ସତର୍କତା ଅବଲମ୍ବନ ନିହାତି ଜରୁରୀ। ସାଧାରଣ ଥଣ୍ଡା, ଜ୍ବର, ଛିଙ୍କ ଲକ୍ଷଣ ଥିବା ବ୍ୟକ୍ତି ନିଜକୁ ହାଲକା ଭାବେ ଗ୍ରହଣ କରିବା ଉଚିତ ନୁହେଁ। ତେଣୁ ଲକ୍ଷଣ ପରୀକ୍ଷା କରିନେବା ଉଚିତ। ସେହିପରି ଦୀପାବଳିରେ ଅଧିକ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦେଶକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ନଭେମ୍ବର ୧ରୁ ଘର ଘର ବୁଲି ଟିକାକରଣ ଆରମ୍ଭ ହୋଇଛି। ଏଥିରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ସ୍ବତଃପ୍ରବୃତ୍ତ ଭାବେ ଆସି ଟିକା ନିଅନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ବରରେ କରୋନା ସଂକ୍ରମଣ ଗତ କିଛି ଦିନ ହେବ ଗୋଟିଏ ସ୍ତରରେ ରହିଛି। ସେତେଟା ବଢୁନି କି କମୁନି। ଏହାର ମୁଖ୍ୟ କାରଣ ଭୁବନେଶ୍ବର ସହର ଅଧିକ ଜନବସତି ଅଞ୍ଚଳ। ଦେଶ ବିଦେଶର ଲୋକେ ଏଠାକୁ ପ୍ରତିଦିନ ଆସନ୍ତି। ଅନେକ ଜାଗାରେ ଅଧିକାଂଶ ଲୋକ ଏକତ୍ର ହୋଇଥାନ୍ତି। ଏହାସହ ଅନେକ ରୋଗୀ ଚିକିତ୍ସା ପାଇଁ ଭୁବନେଶ୍ବର ଆସନ୍ତି। ରାଜଧାନୀ ଡାକ୍ତରଖାନାର ପେଣ୍ଠସ୍ଥଳୀ ହୋଇଥିବାରୁ ବହୁ ସଂଖ୍ୟକ ରୋଗୀ ଆସୁଥିବା କାରଣରୁ ଭୁବନେଶ୍ବରରେ ସଂକ୍ରମଣ କମୁନି।

ସେହିପରି ରାଜ୍ୟରେ ଦୈନିକ ୭୦ ହଜାର ଲୋକଙ୍କ କରୋନା ନମୁନା ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଏବେ ଅନ୍ୟ ଦେଶରେ ସଂକ୍ରମଣ ବଢୁଛି। ତେଣୁ ନିଜକୁ ନିଜେ ସଚେତନ ରହିବା ଉଚିତ୍। ବିପଦ ସୃଷ୍ଟି ହେଲା ପରି ପରିସ୍ଥିତି ସୃଷ୍ଟି ନ କରିବାକୁ ସଂକଳ୍ପବଦ୍ଧ ହେବା ଉଚିତ। ଦୀପାବଳି ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରନ୍ତୁ। ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ। ସରକାରଙ୍କ ନିୟମ ମାନନ୍ତୁ। ଶିଶୁମାନଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ନିହାତି ଦରକାର। ବାୟୁ ପ୍ରଦୂଷଣ ଯେପରି ନ ହେବ ସେ ନେଇ ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.