ବଙ୍ଗ ପରେ ଏବେ ସୁରତ ଫେରନ୍ତା ଚିନ୍ତା

ଭୁବନେଶ୍ୱର: ନିଜାମୁଦ୍ଦିନ ପରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ହାର ବଢ଼ି ଚାଲିଥିବାବେଳେ ଏବେ ସୁରତ ଫେରନ୍ତା ଓଡ଼ିଶା ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଦୁଇ ସପ୍ତାହ ତଳେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୬୫ରୁ ବଢ଼ି ୧୬୦ରେ ପହଞ୍ଚିଥିଲା। ଏଥିପାଇଁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଭଳି କେତେକ ଜିଲା ହଟସ୍ପଟ ବଳୟକୁ ଚାଲି ଯାଇଥିଲା। ଏବେ ବଙ୍ଗ ସାଙ୍ଗରେ ସୁରତ ଫେରନ୍ତା ପୁଣି ଥରେ କରୋନା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। କିଛିଦିନ ମଧ୍ୟରେ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଯେଉଁ ବଢ଼ି ଚାଲିଛି ତାହା ପଛରେ ସୁରତ ଫେରନ୍ତାଙ୍କ ଲିଙ୍କ ରହିଛି। ମଙ୍ଗଳବାର ୫ ଜିଲାରୁ ୭ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୨ଜଣ ସୁରତ ଫେରନ୍ତା ରହିଥିବାବେଳେ ଅନ୍ୟମାନେ ବଙ୍ଗ ଫେରନ୍ତା ଅଛନ୍ତି। ଏହାପୂର୍ବରୁ ଗଞ୍ଜାମରେ ୨ଜଣ ସୁରତ ଫେରନ୍ତା ଚିହ୍ନଟ ହୋଇଥିଲେ। ଆଜିର ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି।

ସୂଚନା ଅନୁଯାୟୀ କଟକସ୍ଥିତ ତିଗିରିଆରେ ଆଜି ଜଣେ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ବୟସ ୩୪ବର୍ଷ ହୋଇଥିବାବେଳେ ତାଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ତାହାର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସେହିପରି ଗଞ୍ଜାମରେ ମଧ୍ୟ ଆଜି ଆଉ ଜଣେ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ବର୍ଷୀୟ ଯୁବକ ନିକଟରେ ସୁରତରୁ ଫେରିଥିଲେ। ତେବେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାବାଦ୍ ବାଲେଶ୍ବରରେ ଆଜି ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୫୦ବର୍ଷୀୟ ମହିଳା ଥିବାବେଳେ ଆଉ ଜଣେ ୨୬ବର୍ଷୀୟ ଯୁବକ ଏବଂ ଜଣେ ୪୯ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଯାଜପୁର ଜିଲାରେ ମଧ୍ୟ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। ବଙ୍ଗ ଫେରନ୍ତା ଏହି ୫୮ ବର୍ଷ ବୟସ୍କଙ୍କ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଛୁଇଁଛି। ରାଉରକେଲାରେ ମଧ୍ୟ ଆଜି ଆଉ ଜଣେ ୪୯ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ତାହାକୁ ସରକାରଙ୍କ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ଖୋଜା ଚାଲିଛି। ଆଜି ସୁଦ୍ଧା ୪୪,୬୬୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୨୬ଜଣ ଏବେ ବିଭିନ୍ନ ହସ୍ପିଟାଲରେ ପୃଥକବାସରେ ରହିଛନ୍ତି।

ଏହି ଅବସରରେ ମଙ୍ଗଳବାର ଗୀତଗୋବିନ୍ଦସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ଏଣିକି ପ୍ରବାସୀମାନେ କେବଳ ଟ୍ରେନରେ ଓଡ଼ିଶା ଫେରିବେ। ଏହା ପଛରେ ୪ଟି କାରଣ ରହିଛି। ବସ୍ ଡ୍ରାଇଭରମାନଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣାମାନ ଘଟୁଛି। ସେହିପରି ବସ୍‌ରେ ଅଧିକ ଲୋକ ଚଢ଼ିବା ଯୋଗୁଁ ମାର୍ଗଦର୍ଶିକାର ଉଲ୍ଲଘଂନ ହେଉଛି। ଏହାବାଦ୍ ଏବେ ଗ୍ରୀଷ୍ମପ୍ରବାହ ଯୋଗୁଁ ବସରେ ଯାତାୟାତ ସୁରକ୍ଷିତ ନୁହେଁ। ଅଂଶୁଘାତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ ଯୋଗେ ପ୍ରବାସୀମାନଙ୍କୁ ବାହାର ରାଜ୍ୟରୁ ଆଣିବା ଯୋଜନାକୁ ବାତିଲ୍‌ କରାଯାଇଛି। ଏହାକୁ ନେଇ ସରକାରୀ କଳ ପ୍ରସ୍ତୁତ ହେଉଛି ବୋଲି ବାଗଚୀ କହିଛନ୍ତି।

Comments are closed.