ଘରୋଇ ଇଂଜିନିୟରିଂ କଲେଜରେ କରୋନା ଆତଙ୍କ, ହଷ୍ଟେଲ ଛାଡୁଛନ୍ତି ଛାତ୍ର ଛାତ୍ରୀ

ଖଣ୍ଡଗିରି: ରାଜଧାନୀ ଉପକଣ୍ଠ ସ୍ଥିତ ବିଭିନ୍ନ ଇଂଜିନିୟରିଂ କଲେଜ ମାନଙ୍କରେ କରୋନା ଆତଙ୍କ ଖେଳିଯାଇଛି। ତେଣୁ ବହୁ କଲେଜ ହଷ୍ଟେଲରୁ ଛାତ୍ର ଛାତ୍ରୀ ମାନେ ଅନ୍ୟତ୍ର ଚାଲି ଯାଉଥିବା ଦେଖିବାକୁ ମିଳିଛି। ଛତାବର, ମଦନପୁର, ଗଙ୍ଗପଡା, ତମାଣ୍ଡୋ, ନଁପୁଟ୍, ଆଇଗିଣିଆ ଆଦି ଅଞ୍ଚଳରେ ଥିବା କେତେକ ଇଂଜିନିୟରିଂ କଲେଜରେ ଏହି ଅବସ୍ଥା ସୃଷ୍ଟି ହୋଇଛି। କିଛି ଛାତ୍ରଛାତ୍ରୀ ନିଜ ନିଜର ଘରକୁ ଫେରୁଥିବା ବେଳେ ଆଉ କିଛି ମେସ୍ ବ୍ୟବସ୍ଥା କରି ହଷ୍ଟେଲ ଛାଡୁଛନ୍ତି।


ସୂଚନା ଅନୁଯାୟୀ ଗତ ୨ ଦିନ ଧରି ଭୁବନେଶ୍ୱର ଏବଂ ରାଜଧାନୀ ଉପକଣ୍ଠ ୨ ଟି ଘରୋଇ ଶିକ୍ଷା ଅନୁଷ୍ଠାନରେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗୋଟିଏ କଲେଜ ସିଲ୍ ହୋଇଥିବା ବେଳେ ଅନ୍ୟଟି ଅଧିକ ପ୍ରଭାବିତ ହୋଇନଥିବାରୁ ପ୍ରଶାସନର କଡ଼ା ନଜର ଭିତରେ ରହିଛି। ତେବେ ଏହି ଘଟଣା ଅନ୍ୟ କଲେଜଗୁଡ଼ିକୁ ପ୍ରଭାବିତ କରିଛି। ଅଲଗା ଅଲଗା କଲେଜ ହୋଇଥିଲେ ମଧ୍ୟ ବହୁ ସ୍ଥାନରେ ଛାତ୍ର ଛାତ୍ରୀମାନେ ମେସ୍ କରି ରହୁଛନ୍ତି। ସେହିଭଳି ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ସାଙ୍ଗସାଥୀ ହୋଇ ଢାବାରେ ଖାଇବା, ଜନ୍ମ ଦିନ ପାର୍ଟିରେ ଯୋଗଦେବା, ମିଳିମିଶି ମଲ କିମ୍ବା ମାର୍କେଟ ଯାଇ ମାର୍କେଟିଂ କରିବା ଇତ୍ୟାଦିରେ ସାମିଲ ହେଉଛନ୍ତି। ତେଣୁ ବିଭିନ୍ନ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମିଳାମିଶା ଲାଗି ରହିଛି। ଏହି କାରଣରୁ କାଳେ କରୋନା ସଂକ୍ରମଣ ହୋଇଯିବ ବୋଲି ଅନେକଙ୍କ ମନରେ ଆଶଙ୍କା ଦେଖାଦେଇଛି। ତେଣୁ ଆଜି ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଛାଡୁଥିବା ଦେଖିବାକୁ ମିଳିଛି।

Comments are closed.