କେରଳ ଓ ତାମିଲନାଡୁରେ ଫସିଛନ୍ତି ହଜାରେରୁ ଊର୍ଦ୍ଧ୍ବ ଶ୍ରମିକ, ତୀର୍ଥଯାତ୍ରୀ

କୋଦଳା/ ବ୍ରହ୍ମପୁର/ଖଲ୍ଲିକୋଟ : କେରଳ ଓ ତାମିଲନାଡୁରେ ଫସିଛନ୍ତି ଗଞ୍ଜାମ ଜିଲାର ହଜାରେରୁ ଉର୍ଦ୍ଧ୍ବ ଶ୍ରମିକ। ସେହିପରି ଏହି ଜିଲାର କିଛି ତୀର୍ଥଯାତ୍ରୀମଧ୍ୟ ବାହାର ରାଜ୍ୟରେ ଫସି ରହିଥିବା ଖବର ସାମ୍ନାକୁ ଆସିଛି। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସ୍ବ-ଜିଲାକୁ ଆଣିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି।
ଗଞ୍ଜାମ ଜିଲାର ଅଧିକାଂଶ ବ୍ୟକ୍ତି କେରଳ ଓ ତାମିଲନାଡୁରେ ଦାଦନ ଖଟୁଛନ୍ତି। ଚଳିତ ମାସ ୧୦ ତାରିଖରୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ଜିଲାର ବିଭିନ୍ନ ବ୍ଳକକୁ ଫେରିଛନ୍ତି। ପ୍ରାୟ ୩ ହଜାର ଶ୍ରମିକଙ୍କୁ ହୋମ ସଂଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏଭଳି ସ୍ଥିତିରେ ଆଉ ଏକ ଚିତ୍ର ସାମ୍‍ନାକୁ ଆସିଛି। କେରଳ ଓ ତାମିଲନାଡୁରେ ଏହି ଜିଲାର ସୋରଡ଼ା, ହିଞ୍ଜିଳିକାଟୁ, ଦିଗପହଣ୍ଡି, ଶେରଗଡ, କୁକୁଡାଖଣ୍ଡି ଭଳି ବ୍ଲକର ହଜାରେରୁ ଅଧିକ ଶ୍ରମିକ ଫସି ରହିଛନ୍ତି। କିଛି ଶ୍ରମିକ ହ୍ୱାଟସ୍‍ଆପ୍‍ ଜରିଆରେ ଭିଡ଼ିଓ ଜାରି କରି ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ସୂଚନା ମୁତାବକ ସୋରଡ଼ା ବ୍ଲକର ମୋଟ ୨୬ ପଞ୍ଚାୟତର ହଜାର ହଜାର ଲୋକ କେରଳର ବିଭିନ୍ନ ଜିଲାରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କରୋନାର ପ୍ରଭାବ ଦେଖାଦେବା ପରେ ଶହଶହ ଶ୍ରମିକ ନିଜ ଗାଁକୁ ଫେରୁଛନ୍ତି। କେରଳର ଏର୍ଣ୍ଣାକୁଲମ ଜିଲାର ନଗରପଲୀଠାରେ ଫସି ରହିଛନ୍ତି ବ୍ଲକର ୪୦୦ ଶ୍ରମିକ। ଏହି ବ୍ଲକର ବଡ଼ଗଡ଼, ମେରିକୋଟ, ଗୌଡ଼ଗୋଠ, ବୋରଦା ଓ ହୁକୁମା ପଞ୍ଚାୟତର କେତେକ ଗ୍ରାମର ୪ ଶହରୁ ଅଧିକ ଶ୍ରମିକ ନଗରପଲୀଠାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ଏର୍ଣ୍ଣାକୁଲମ ଜିଲାର ନଗରପଲୀ, କାଭୁଗାଂଲ, ପରମ୍ଭୁପଲୀ ଆଦି ଅଞ୍ଚଳର ବିଭିନ୍ନ ଘରୋଇ ନିର୍ମାଣ କମ୍ପାନୀରେ କାମ କରୁଛନ୍ତି। ବର୍ତ୍ତମାନ କରୋନା ଯୋଗୁଁ ଦୀର୍ଘଦିନ ହେଲା କାମ ମଧ୍ୟ ବନ୍ଦ ହୋଇଯାଇଛି। ସେମାନଙ୍କ ପାଖରେ ଥିବା ଟଙ୍କା ସରିଗଲାଣି। ଖାଇବା ପିଇବା କଷ୍ଟକର ହୋଇ ପଡ଼ିଲାଣି ବୋଲି କିଛି ଶ୍ରମିକ କହିଛନ୍ତି। ସେମାନେ ଆଜି କେରଳରୁ ହ୍ୱାଟସ୍‍ଆପ୍‍ ଯୋଗେ ଭିଡ଼ିଓ ସ୍ଥାନୀୟ ପ୍ରଶାସନ ନିକଟକୁ ପଠାଇ ସହାୟତା ଲୋଡ଼ିଛନ୍ତି। ସମସ୍ତେ ପୂର୍ବରୁ ମାର୍ଚ୍ଚ ୨୩ରେ କେରଳରୁ ଓଡ଼ିଶା ଫେରିବା ପାଇଁ ଟିକେଟ କରିଥିଲେ ମଧ୍ୟ ଟ୍ରେନ ଚଳାଚଳ ବାତିଲ ହେବା ପରେ ସେଠାରୁ ଆଉ ବାହାରି ପାରୁ ନାହଁାନ୍ତି। କେରଳରେ ବସ୍‍ ଚଳାଚଳ ମଧ୍ୟ ବନ୍ଦ ରହିଥିବାବେଳେ ବର୍ତ୍ତମାନ ୨୧ ଦିନିଆ ଲକ୍‍ଡ଼ାଉନ୍‍ ପରେ ସେମାନଙ୍କ ପାଇଁ ଅଡୁଆ ବଢ଼ିଯାଇଛି। ସେମାନେ ସ୍ଥାନୀୟ ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ସହାୟତା ଲୋଡ଼ିଛନ୍ତି। ଜିଲାପାଳ ଓ ଜିଲା ଶ୍ରମ ଅଧିକାରୀଙ୍କ ଅବଗତ କରାଯାଇଛି ବୋଲି ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଂଜ କହିଥିବାବେଳେ ଓଡ଼ିଶା ମୋ ପରିବାର ସହାୟତାରେ ସେମାନଙ୍କୁ ଓଡ଼ିଶା ଅଣାଯିବା ପାଇଁ ରାଜ୍ୟସ୍ତରରେ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। କେରଳରେ ଥିବା ଶ୍ରମିକମାନଙ୍କ ସହ ଉପଜିଲାପାଳ ଫୋନ ଯୋଗେ କଥାବାର୍ତ୍ତା କରି ଧୈର୍ଯ୍ୟ ଧରିବା ପାଇଁ ଅନୁରୋଧ କରିଛନ୍ତି। ଏପଟେ ହିଞ୍ଜିଳିକାଟୁ, ଶେରଗଡ, ଦିଗପହଣ୍ଡିର କିଛି ଶ୍ରମିକ ତାମିଲନାଡୁର ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବର୍ତ୍ତମାନ ଗୋଟିଏ ଘରେ ଏକାଠି ଅଛନ୍ତି। ସେମାନେ ଏକ ଭିଡ଼ିଓ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ସେଠାରେ ଦିନକୁ ଦିନ ସମସ୍ୟା ଜଟିଳ ହେଉଥିବା ଜଣାଇଛନ୍ତି।
ସେହିପରି ରାମେଶ୍ୱର ଦର୍ଶନ କରିବା ପାଇଁ ଯାଇଥିବା ଗଂଜାମ ଜିଲାର ୧୮ଜଣ ତୀର୍ଥଯାତ୍ରୀ ଲକ ଡାଉନ ଯୋଗୁଁ ସେଠାରେ ଅଟକି ରହିଛନ୍ତି। ମାର୍ଚ୍ଚ ୧୩ ତାରିଖରେ ବ୍ରହ୍ମପୁରର ୧୨ଜଣ, କେଶପୁରର ୪ଜଣ ଓ ଖଲ୍ଲିକୋଟର ୨ଜଣଙ୍କୁ ଖଲ୍ଲିକୋଟ ସହରର ବନମାଳୀ ଆଚାର୍ଯ୍ୟ ରାମେଶ୍ୱର ଅଭିମୁଖେ ତୀର୍ଥଯାତ୍ରା ପାଇଁ ନେଇଥିଲା । ତୀର୍ଥ ଯାତ୍ରୀମାନେ ଫେରିବା ପାଇଁ ମାର୍ଚ୍ଚ ୨୪ରେ ଟିକଟ କରିଥିଲେ। ସେମାନେ ଫେରିବା ସମୟରେ ତାମିଲନାଡୁର ତିର୍ଚିନାପଲ୍ଲୀଠାରେ ପହଂଚିଲାବେଳକୁ ହଠାତ କେନ୍ଦ୍ର ସରକାର ଲକ ଡାଉନ ଓ ଜନତା କର୍ଫ୍ୟୁ ଘୋଷଣା କରିବା ପରେ ସେମାନେ ସେଠାକାର ଆମ୍ମା ମଣ୍ଡପ ରାଜା ଗୋପୁରମ ନିକଟବର୍ତ୍ତୀ ହୋଟେଲ ପିଲଗ୍ରିମ ପ୍ୟାଲେସ ଠାରେ ଦୀର୍ଘ ୧୨ଦିନ ଧରି ଅଟକି ରହିଛନ୍ତି । ସେମାନଙ୍କ ପାଖରେ ଥିବା ଅର୍ଥ ଓ ଔଷଧ ଶେଷ ହୋଇଯାଇଛି। ରୋଗୀ ଡାଇବେଟିସ ଓ ବ୍ଲଡ଼ ପ୍ରେସର ରୋଗୀଙ୍କ ସମେତ ୮୦ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକମାନେ ଅଛନ୍ତି । ହୋଟେଲ ମାଲିକ ତଡ଼ି ଦେଉଥିବା ଯୋଗୁ ଉକ୍ତ ତୀର୍ଥଯାତ୍ରୀମାନେ ଖାଦ୍ୟପେୟ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ସେଠାରୁ ସେମାନଙ୍କୁ ନିଜ ଗ୍ରାମକୁ ଫେରାଇ ନେବାକୁ ଏକ ଭିଡିଓ ବାର୍ତ୍ତାରେ ତୀର୍ଥଯାତ୍ରୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଂଜାମ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

Comments are closed.