ଅନ୍ତିମ ବିକଳ୍ପ

ଗତ ବର୍ଷର ଅଭିଜ୍ଞତାରୁ ଶିଖି ଆମର ଦୁର୍ବଳତାଗୁଡ଼ିକୁ ଦୂର କରିପାରିଲେ ମହାମାରୀଜନିତ ସଙ୍କଟରୁ ନିଜକୁ ମୁକୁଳାଇପାରିବା

ଭାରତର କେତେକ ରାଜ୍ୟରେ କୋଭିଡ୍‌ର ଦ୍ବିତୀୟ ତରଙ୍ଗ ସଂକ୍ରମଣ ଓ ମୃତ୍ୟୁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବାବେଳେ ଓଡ଼ିଶା କ୍ରମଶଃ ସେହି ଆଡ଼କୁ ଦ୍ରୁତ ଧାବମାନ ହେଉଛି। ରାଜ୍ୟର ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁଲାଣି ଓ ମୃତକ ସଂଖ୍ୟା ମଧ୍ୟ ବଢ଼ୁଛନ୍ତି। ଚିନ୍ତାର ବିଷୟ ହେଲା ଗତବର୍ଷର ପ୍ରଥମ ତରଙ୍ଗର ଶୀର୍ଷ ସଂକ୍ରମଣ ସମୟରେ ମଧ୍ୟ ସ୍ଥିତି ଏତେ ଗୁରୁତର ନଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମେ ଦ୍ବିତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ସମ୍ଭବତଃ ଏହାର ପ୍ରତିକାର ସ୍ବରୂପ ଓଡ଼ିଶା ସରକାର ସମଗ୍ର ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନ ପର୍ଯ୍ୟନ୍ତ ତାଲାବନ୍ଦ ଭଳି ଅନ୍ତିମ ବିକଳ୍ପ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। ଏଥିରୁ ଆମକୁ ବୁଝିବାକୁ ହେବ ଯେ ସ୍ଥିତି ଅସମ୍ଭାଳ ହେଉଛି। ରୋଗୀ ଚିହ୍ନଟ ପ୍ରକ୍ରିୟା ଅର୍ଥାତ୍‌ ନମୁନା ପରୀକ୍ଷାରେ ମନ୍ଥରତା, କୋଭିଡ୍‌ ଡାକ୍ତରଖାନାଗୁଡ଼ିକରେ ଅବ୍ୟବସ୍ଥା, କୋଭିଡ୍‌ ମୃତକଙ୍କ ପ୍ରକୃତ ସଂଖ୍ୟାକୁ ଗୋପନ ରଖାଯିବା ଭଳି ବିଭିନ୍ନ ଅଭିଯୋଗ ମଧ୍ୟ ଆସୁଛି। ଯେତେ ଅଧିକ ଲୋକଙ୍କ ପରୀକ୍ଷା ହୋଇପାରିବ, ସେତିକି ରୋଗ ସଂକ୍ରମଣକୁ ହ୍ରାସ କରିବାରେ ସହାୟତା ମିଳିବ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।
ମହାମାରୀର ବିପଜ୍ଜନକ ଦ୍ବିତୀୟ ତରଙ୍ଗର ଶୃଙ୍ଖଳକୁ ଚ୍ଛିନ୍ନ କରିବାପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲାବନ୍ଦ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ ବୋଲି ଦେଶର କୋଭିଡ୍‌ ସ୍ବତନ୍ତ୍ର କର୍ମୀଗୋଷ୍ଠୀ ସଦସ୍ୟ ତଥା ଦିଲ୍ଲୀ ଏମ୍‌ସର ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଯାହାକୁ ଉପେକ୍ଷା କରିହେବ ନାହିଁ। ଯେଉଁଠି କୋଭିଡ୍‌ ପଜିଟିଭ୍‌ ହାର ୧୦ ଶତାଂଶରୁ ଅଧିକ ରହୁଛି, ସେଠାରେ ତାଲାବନ୍ଦ ଅପରିହାର୍ଯ୍ୟ ବୋଲି ସେ ପରାମର୍ଶ ଦେଇଛନ୍ତି। ଅନେକ ସ୍ଥାନରେ ସାନ୍ଧ୍ୟ ଆଇନ ଓ ସପ୍ତାହାନ୍ତ ବନ୍ଦ କାର୍ଯ୍ୟକାରୀ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁନଥିବାରୁ ତାଙ୍କର ପରାମର୍ଶ ଗ୍ରହଣଯୋଗ୍ୟ ମନେହୁଏ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀ ଭଳି ରାଜ୍ୟଗୁଡ଼ିକରେ ଅମ୍ଳଜାନ ଅଭାବ ଗୁରୁତର ସଙ୍କଟ ସୃଷ୍ଟି କରିଛି। ଶତାଧିକ କୋଭିଡ୍‌ ପୀଡ଼ିତ ଅମ୍ଳଜାନ ବିନା ପ୍ରାଣ ହରାଇବା ଭଳି ଅଭୂତପୂର୍ବ ଓ ଅଚିନ୍ତନୀୟ ଘଟନା ଦେଖିବାକୁ ମିଳିଛି। ଏଥିରୁ ଆମ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିର ବହୁ ଦୁର୍ବଳତା ମଧ୍ୟ ପଦାକୁ ଆସିଛି। ଭଲକଥା ଯେ ଓଡ଼ିଶାରେ ଅମ୍ଳଜାନର ଅଭାବ ନାହିଁ ଏବଂ ବିଭିନ୍ନ ରାଜ୍ୟକୁ ଇତିମଧ୍ୟରେ ୪ ହଜାର ଟନରୁ ଅଧିକ ଅମ୍ଳଜାନ ଯୋଗାଇ ଦିଆଯାଇଛି। ତେବେ ନିଜ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା ସହ ଆଗାମୀ ଦିନରେ ଆଶଙ୍କା କରାଯାଉଥିବା ଦୁଃସ୍ଥିତି ପାଇଁ ପ୍ରସ୍ତୁତ ରହିବା ଅଧିକ ଗୁରୁତ୍ବପୂର୍ଣ୍ଣ। ପଡ଼ୋଶୀ ରାଜ୍ୟର ଆଗନ୍ତୁକ ଏବଂ ଅନ୍ୟ ରାଜ୍ୟରୁ ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ଯୋଗୁଁ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ଅଧିକ ବ୍ୟାପକ ହେଉଥିବାରୁ ସଂଗରୋଧ ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଆବଶ୍ୟକ। ଗତବର୍ଷ ପଞ୍ଚାୟତ ସ୍ତରରେ ଯେଉଁଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ତାହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଉ।
ବର୍ତ୍ତମାନ ଲୋକଙ୍କ ଜୀବନ ରକ୍ଷା ନିଶ୍ଚିତ ଅଧିକ ମହତ୍ତ୍ବପୂର୍ଣ୍ଣ; କିନ୍ତୁ ଜୀବିକାର ସୁରକ୍ଷା ମଧ୍ୟ ଜରୁରୀ। ଗତବର୍ଷ ଦେଶରେ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା ପୂର୍ବରୁ ହିଁ ଓଡ଼ିଶା ସରକାର ରାଜ୍ୟରେ ତାଲାବନ୍ଦ ଘୋଷଣା ଭଳି କଡ଼ା ପଦକ୍ଷେପ ନେଇଥିଲେ। ଏହା ଅବଶ୍ୟ ସଂକ୍ରମଣକୁ ହ୍ରାସ କରପାରିଥିବା ଅନୁମାନ କରାଯାଏ। ଆଗକୁ ସେପରି ପରିସ୍ଥିତି ପୁଣି ଆସିବ। ଗତବର୍ଷ ପରି ଏହା ରାଜ୍ୟର ଅର୍ଥବ୍ୟବସ୍ଥାକୁ ପୁଣି ମାନ୍ଦା କରିଦେବ, ଏହି ଆଶଙ୍କା ଅମୂଳକ ନୁହେଁ। ଗତବର୍ଷ ଠିକ୍‌ ଏପ୍ରିଲରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଲୋକେ ବେରୋଜଗାର ହୋଇପଡ଼ିଥିବାବେ‌େ‌ଳ କଳାକାରଖାନା, ଉଦ୍ୟୋଗ ସବୁକିଛି ସଂପୂର୍ଣ୍ଣ ବନ୍ଦ ରହିବା ଫଳରେ ସମସ୍ତେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏହା କିଛି ମାତ୍ରାରେ ସୁଧୁରି ଆସିବା ବେଳକୁ ଏବେ କରୋନାର ଦ୍ବିତୀୟ ତରଙ୍ଗ ତା’ର ଉଗ୍ରରୂପ ଦେଖାଇଛି। ଏହା ପୂର୍ବାପେକ୍ଷା ଅଧିକ ଘାତକ ହୋଇଥିବାରୁ ଆଗାମୀ ଦିନରେ ଠିକ୍‌ ପଦକ୍ଷେପ ଗ୍ରହଣ ନ କଲେ ଅବସ୍ଥା ଅସମ୍ଭାଳ ହେବା ନିଶ୍ଚିତ। ଏଥର ତାଲାବନ୍ଦରୁ ଶିଳ୍ପସଂସ୍ଥା, ଉଦ୍ୟୋଗ, ବ୍ୟବସାୟ, ନିର୍ମାଣ କାର୍ଯ୍ୟ ଆଦିକୁ ବାଦ୍‌ ଦିଆଯାଇଛି; କିନ୍ତୁ ଏହା ପ୍ରତ୍ୟକ୍ଷ ନ ହେଲେ ମଧ୍ୟ ପରୋକ୍ଷ ଭାବେ ପ୍ରଭାବିତ ହେବ ସେଥିରେ ସନ୍ଦେହ ନାହିଁ। ଆଉ ମଧ୍ୟ ଆଗକୁ ସଂପୂର୍ଣ୍ଣ ତାଲାବନ୍ଦର ସ୍ଥିତି ମଧ୍ୟ ନ ଆସିବ, ତାହା କହିହେଉ ନାହିଁ।
ଅନ୍ୟପକ୍ଷରେ ତାଲାବନ୍ଦ ସମୟରେ ଆର୍ଥିକ ସ୍ବଚ୍ଛଳ ଥିବା ଲୋକେ କଷ୍ଟେମଷ୍ଟେ ଚଳିଯାଇ ପାରିବେ; କିନ୍ତୁ ଗରିବ, ନିର୍ଦ୍ଧନ, ବାସଶୂନ୍ୟ ଲୋକେ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିବ। ସେମାନଙ୍କ ପାଇଁ ସରକାର ଓ ପ୍ରଶାସନ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିବା ଦରକାର। ମହାମାରୀ ଲକ୍ଷଲକ୍ଷ ମଧ୍ୟବିତ୍ତ ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦେଇଛି। ଗତବର୍ଷ ପରି ସେମାନେ ବର୍ତ୍ତମାନ ପୁଣି ଥରେ ବେରୋଜଗାର ହେବାର ଆଶଙ୍କା ଦେଖାଦେଲାଣି। ସେହି ବର୍ଗର ଆବଶ୍ୟକତା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଦରକାର। ଅତଏବ ମହାମାରୀ ସମୟରେ କେବଳ ସ୍ବାସ୍ଥ୍ୟ ବିଭାଗ ନୁହେଁ, ସରକାରଙ୍କ ସବୁ ବିଭାଗ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆମେ ଗତବର୍ଷର ଅଭିଜ୍ଞତାରୁ ଶିଖି ଆମର ଦୁର୍ବଳତାଗୁଡ଼ିକୁ ଦୂର କରିପାରିଲେ ମହାମାରୀଜନିତ ଏହି ସଙ୍କଟରୁ ଅବଶ୍ୟ ନିଜକୁ ମୁକୁଳାଇ ପାରିବା।

Comments are closed.