କରୋନା ଶିକ୍ଷା: ନୀଳ ଆକାଶ ଓ ସୁସ୍ଥ ବାୟୁକୋଷକୁ ସୁରକ୍ଷିତ ରଖିବାକୁ ସବୁଜ ପ୍ରୋତ୍ସାହନ ଆବଶ୍ୟକ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିଥିବାବେଳେ ଦେଶର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ହାର ହ୍ରାସ ପାଇଛି। ଦେଶର ପ୍ରମୁଖ ୬ଟି ବଡ଼ ସହରର ପିଏମ୍‌ ୨.୫ଲେବଲ୍‌ ପର୍ଯ୍ୟନ୍ତ ଖସିଛି। ଏହି ସମୟରେ ଦିଲ୍ଲୀ, ମୁମ୍ବଇ, କଲକାତା, ଚେନ୍ନାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରରେ ଅଦ୍ଭୂତପୂର୍ବ ଭାବେ ୪୫-୪୮ ପ୍ରତିଶତ ବାୟୁ ପ୍ରଦୁଷଣ ହ୍ରାସ ପାଇଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ୬୬-୭୯ ପ୍ରତିଶତ ହ୍ରାସ ହୋଇଛି। ତେବେ ଲକ୍‌ଡାଉନ୍‌ କଟକଣା କୋହଳ ହୋଇଯିବା ପରେ ଏସବୁ ସହରରେ ପୁଣି ଥରେ ବାୟୁ ପ୍ରଦୂଷଣ ଦେଖାଦେଇଛି। ଲକ୍‌ଡାଉନ୍‌ ୪ ମଧ୍ୟରେ ପିଏମ୍‌ ୨.୫ ଲେବଲ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅନ୍ୟ ସହର ଅପେକ୍ଷା ଦିଲ୍ଲୀ-ଏନ୍‌ସିଆର୍‌ରେ ୪-୮ଗୁଣା ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି।
ସାରା ଦେଶରେ କରୋନା ଭୂାତଣୁ ସଂକ୍ରମଣ ପାଇଁ ସାଧାରଣ ଯାତାୟତ ଉପରେ କଟକଣା ଜାରି କରାଯାଇଥିଲା। ଏହାସହିତ ସଡ଼କରେ ଯାନାବାହାନ ଯାତାୟତ ଓ ବିଭିନ୍ନ ସହରରେ ଶିଳ୍ପାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଫଳରେ ଆକାଶ ନୀଳ ରଙ୍ଗ ରହିଥିବାବେଳେ ସ୍ବଚ୍ଛ ବାୟୁ ପ୍ରବାହ ଅନୁଭୂତ ହୋଇଥିଲା। ତେଣୁ ଗାଡ଼ିମୋଟର ଚଳାଚଳ ଓ ସହରର ଶିଳ୍ପାନୁଷ୍ଠାନଗୁଡ଼ିକ ଯୋଗୁ ଦେଶରେ ଅଧିକ ପରିମାଣରେ ବାୟୁ ପ୍ରଦୂଷଣ ହେଉଛି ବୋଲି ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରିବ। ତେବେ ନୀଳ ଆକାଶ ଓ ସୁସ୍ଥ ବାୟୁକୋଷକୁ ସୁରକ୍ଷିତ ବଜାୟ ରଖିବା ପାଇଁ ସବୁଜ ପ୍ରୋତ୍ସାହନ ରାଶି ଦରକାର। ଯାହା ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ବିଶ୍ବ ପରିବେଶ ଦିବସ ଅବସରରେ ନୂଆଦିଲ୍ଲୀର ସେଣ୍ଟର ଫର ସାଇନ୍ସ ଆଣ୍ଡ୍ ଏନ୍‌ଭର୍ଣ୍ଣମେଣ୍ଟ(ସିଏସ୍‌ଇ) ନିର୍ଦେଶକ ସୁନିତା ନରୈନ୍‌ ପ୍ରକାଶ କରିଛନ୍ତି।
ଆଜି ସିଏସ୍‌ଇ ପକ୍ଷରୁ ‘ଭବିଷ୍ୟତ ପାଇଁ ଏକ କାର୍ଯ୍ୟସୂଚୀ’ ଶୀର୍ଷକ ଏକ ୱେବ୍‌ନେୟାର୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୀବନ ଧାରଣ ପାଇଁ ସ୍ବଚ୍ଛ ଜଳବାୟୁ କିଭଳି ମିଳିପାରିବ ସେଥିନେଇ ଆଲୋଚନା ହୋଇଥିଲା।

Comments are closed.