୩ ଘଣ୍ଟାରେ କେମିତି ବଦଳିଗଲା ରିପୋର୍ଟ? ରାଜ୍ୟର ଏକମାତ୍ର କରୋନା ପୀଡିତଙ୍କ ଭଉଣୀର ଅଭିଯୋଗ

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ସଂକ୍ରମଣକୁ ରୋକିବା ନେଇ ରାଜ୍ୟ ସ୍ଥରରୁ ଆନ୍ତର୍ଜାତିକ ସ୍ଥରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିନ୍ତୁ ଓଡ଼ିଶାର ଏକମାତ୍ର କରୋନା ପୀଡିତଙ୍କ ଭଉଣୀର ଅଭିଯୋଗ ପରେ ଏବେ ରୋଗ ଚିହ୍ନଟ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ଗଣମାଧ୍ୟମକୁ ସୂଚନା ଦେଇ ପୀଡିତଙ୍କ ଭଉଣୀ କହିଛନ୍ତି ଯେ ତାଙ୍କ ଭାଇ ଇଟାଲିରୁ ଆସି ଦିଲ୍ଲୀ ବିମାନବନ୍ଦରରେ ପହଂଚିବା ପରେ ସମସ୍ତ ପରୀକ୍ଷା କରାଯାଇ ଥିଲା ଓ ତାଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିଥିଲା। ପରେ ସେ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିଲେ ଓ ସାମାନ୍ୟ ଜ୍ୱର ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଦେଖନ୍ତୁ ଭିଡିଓ (ସୌଜନ୍ୟ – ଅର୍ଗସ):

ତେବେ ତାଙ୍କୁ ଟାଇଫଏଡ଼ ହୋଇଥିବା ଜଣାପଡିଥିଲା। ସେ ବାହାର ଦେଶରୁ ଆସିଥିବାରୁ ପରିବାର ଲୋକେ କରୋନା ଭୟ ଯୋଗୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ପୀଡ଼ିତାଙ୍କୁ ଗୋଟେ ଦିନ ହସ୍ପିଟାଲରେ ରଖିବା ପରେ ମେଡିକାଲ କର୍ତୃପକ୍ଷ କେବଳ ତାଙ୍କ ଲାଳ ପରୀକ୍ଷା ପାଇଁ ନେଇଥିଲେ କିନ୍ତୁ କୌଣସି ରକ୍ତ ନମୁନା ସଂଗ୍ରହ କରିନଥିଲେ। ସେହିଦିନ ରାତି ୯ଟା ୩୦ମିନିଟରେ ରିପୋର୍ଟ ନେଗେଟିଭ ଆସିଥିବା ପୀଡିତ ନିଜ ଭଉଣୀକୁ ଜଣାଇଥିଲେ। ସେ କହିଥିଲେ ଯେ ଦାୟିତ୍ୱରେ ଥିବା ଡାକ୍ତର ଏସ.ସି. ସାହୁ ତାଙ୍କୁ ପ୍ରେସକ୍ରିପସନ ନେଇ ଘରକୁ ପଳାଇଯିବାକୁ କହୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ ରାତି ୧୨ଟା ବେଳକୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଡାକ୍ତର କହିଥିଲେ।

ଏଭଳି ବିବାଦୀୟ ତଥ୍ୟକୁ ନେଇ ଏ ଯାଏଁ କିଛି ସ୍ପଷ୍ଟ ହୋଇପାରିନାହିଁ। କିଏ ସତ କହୁଛନ୍ତି, ପୀଡିତ, ଡାକ୍ତର ନା ପିଡୀତଙ୍କ ଭଉଣୀ? କରୋନା ପରୀକ୍ଷା ପାଇଁ ରକ୍ତ ନମୁନା ଜରୁରୀ ଥିବା ବେଳେ ପୀଡ଼ିତାଙ୍କଠାରୁ ରକ୍ତ ନମୁନା କାହିଁକି ସଂଗ୍ରହ କରାଗଲା ନାହିଁ? ସେଭଳି ଜଣେ ସଂକ୍ରମଣ ସଂଦିଗ୍ଧଙ୍କୁ ଘରକୁ ଯିବାପାଇଁ ଡାକ୍ତର କେମିତି ପରାମର୍ଶ ଦେଲେ?

Comments are closed.