ଧୂମପାନକାରୀଙ୍କ ପାଇଁ ଅଧିକ ଘାତକ ହୋଇପାରେ କରୋନା

ସତର୍କ କରାଇଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଲଣ୍ଡନ: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବ ଲଢେଇ ଜାରି ରଖିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ସେହିପରି କରୋନା  ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ସାରା ବିଶ୍ବ କରୋନା ମହାମାରୀ ବଳୟରେ ରହିଛି। ଏହାକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ତେବେ ଧୂମପାନକାରୀଙ୍କ ପାଇଁ କରୋନା ରୋଗ ଘାତକ ସାଜିଥିବା ଜଣାପଡ଼ିଛି। ଧୂମପାନକାରୀ କରୋନା ଆକ୍ରାନ୍ତ ହେଲେ ସେମାନଙ୍କୁ ଚିକିତ୍ସା କରିବା ସହଜ ହେଉନାହିଁ। ଫଳରେ ଧୂମପାନକାରୀଙ୍କ ପାଇଁ କରୋନା ଭୂତାଣୁ ସଂକ୍ରମଣ ନୂଆ ବିପଦ ଭାବେ ଉଭା ହୋଇଛି। କାରଣ କରୋନା ଆକ୍ରାନ୍ତ ପରେ ଧୂମପାନକାରୀ ଅତି ଗୁରୁତର ହୋଇ ପଡୁଛନ୍ତି ଏବଂ ସେମାନଙ୍କୁ ତତ୍କାଳ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଭର୍ତ୍ତି କରିବାକୁ ପଡୁଛି। କରୋନା ଆକ୍ରାନ୍ତ ଧୂମପାନକାରୀଙ୍କ ଅନେକ ସମୟରେ ମୃତ୍ୟୁ ହୋଇଯାଉଥିବା ଦେଖିବାକୁ ମିଳିଛି। ତେଣୁ କରୋନା ଭୂତାଣୁ ସଂକ୍ରମଣ ପାଇଁ ଧୂମପାନ ଅଧିକ ବିପଦ ଆଣିଦେଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

ଏଥିନେଇ ୟୁଏନ୍‌ ହେଲ୍‌ଥ ଏଜେନ୍ସି ପକ୍ଷରୁ ୩୪ଜଣଙ୍କୁ ନେଇ ‘ସ୍ମୋକିଂ ଆଣ୍ଡ୍ କୋଭିଡ୍‌-୧୯’ ବିଷୟବସ୍ତୁ ଉପରେ ଅଧ୍ୟୟନ ଓ ଗବେଷଣା କରାଯାଇଥିଲା। ଏଥିରେ କରୋନା ଆକ୍ରାନ୍ତ ହୋଇଥିବା ଧୂମପାନକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଯେଉଁମାନେ ଧୂମପାନ କରୁଛନ୍ତି ସେମାନଙ୍କୁ ଶୀଘ୍ର କରୋନା ଭୂତାଣୁ ସଂକ୍ରମଣ କରିବା ଆଶଙ୍କା ଦେଖାଦେଇଥିଲା। ସେହିପରି ଧୂମପାନକାରୀଙ୍କୁ କରୋନା ଭୂତାଣୁ ସଂକ୍ରମଣ ଅତ୍ୟଧିକ ମାତ୍ରାରେ କରିଥିବାବେଳେ ସେମାନେ ଅତି ଗୁରୁତର ହେବା ସହିତ ଶେଷରେ ସେମାନଙ୍କ ମୃତ୍ୟୁ ହେଉଥିବା ଦେଖାଯାଇଥିଲା।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ୧୮ ପ୍ରତିଶତ ଧୂମପାନକାରୀ କରୋନା ଆକ୍ରାନ୍ତଙ୍କୁ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅନ୍ୟ କରୋନା ଆକ୍ରାନ୍ତଙ୍କ ଅପେକ୍ଷା ଏଭଳି ରୋଗୀ ଅତ୍ୟଧିକ ଗୁରୁତର ହୋଇପଡ଼ିଥିଲେ। ଅନେକ କ୍ଷେତ୍ରରେ ସେମାନଙ୍କ ମୃତ୍ୟୁ ହୋଇଯାଉଥିବା ଦେଖିବାକୁ ମିଳିଥିଲା। ଫଳରେ ଧୂମପାନ କରୋନା ଆକ୍ରାନ୍ତଙ୍କ ପାଇଁ ଅଧିକ ବିପଦ ଆଣିବା ସହ ଘାତକ ସାଜିଛି। ତେଣୁ କରୋନା ବିପଦ ସମୟରେ ଧୂମପାନକାରୀ ଧୂମପାନ ଛାଡ଼ି ଦେବା ଉଚିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.