ସଂକ୍ରମଣ କାଳରେ ଅସହାୟ ବର୍ଗଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଜରୁରୀ

ମହିଳା, ଶିଶୁ, ବରିଷ୍ଠ ନାଗରିକ, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକଙ୍କ ସମେତ ସମାଜର ସବୁ ଦୁର୍ବଳ ତଥା ଅସହାୟ ବ୍ୟକ୍ତିଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହାକୁ ରୋକିବା ସହିତ ମାନବ ଚାଲାଣ ବନ୍ଦ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଆଇନଗତ ଓ ଆନୁଷ୍ଠାନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସମାଜର ଏହି ଦୁର୍ବଳ ଓ ଅସହାୟ ବର୍ଗଙ୍କ ଉପରେ କୋଭିଡ ମହାମାରୀର ଦ୍ୱିତୀୟ ସଂକ୍ରମଣ ବେଳେ ପଡୁଥିବା ପ୍ରଭାବକୁ ବିଚାରକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏମାନଙ୍କର ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଇଛି। ବିଶେଷକରି କୋଭିଡ ମହାମାରୀରେ ପିତାମାତାଙ୍କୁ ହରାଇ ଅନାଥ ହୋଇ ପଡୁଥିବା ପିଲାମାନଙ୍କ ସୁରକ୍ଷା, ଯତ୍ନ ଓ ଲାଳନପାଳନ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ସମାଜର ଦୁର୍ବଳ ଓ ବିପଦାପନ୍ନ ବର୍ଗଙ୍କ ସୁରକ୍ଷା ପାଇଁ ଯେଉଁ ଆଇନ ରହିଛି ତୁରନ୍ତ ତାହାର ସମୀକ୍ଷା କରି କୋଭିଡ କାରଣରୁ ଅନାଥ ହୋଇଥିବା ଶିଶୁ, ଠିକ୍ ସମୟରେ ଚିକିତ୍ସା ସେବା, ନିରାପତ୍ତା ଓ ସହାୟତା ଲୋଡୁଥିବା ବୟସ୍କ ନାଗରିକଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଆହୁରି ମଧ୍ୟ ତଫସିଲ ଭୁକ୍ତ ଜାତି ଓ ଉପଜାତିବର୍ଗର ଯେଉଁ ସଦସ୍ୟମାନେ ଏହି ଦୁଃସମୟରେ ଦିଗ୍‌ଦର୍ଶନ ଲୋଡୁଛନ୍ତି ସେମାନଙ୍କୁ ଅବିଳମ୍ବେ ତାହା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱଆରୋପ କରାଯାଇଛି।

ପୁଲିସ କର୍ମଚାରୀମାନଙ୍କୁ ଏଥିପାଇଁ ସଚେତନ ଓ ସମ୍ବେଦନଶୀଳ କରିବା ସହ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଅନୁରୋଧ କରିଛି। ଥାନାରେ ମହିଳା ଡେସ୍କସ୍ଥାପନ, ସବୁ ଜିଲ୍ଳାରେ ମାନବଚାଲାଣ ନିରୋଧୀ ୟୁନିଟ ଗଠନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ନେବାକୁ କୁହାଯାଇଛି। ଏହି କାର୍ଯ୍ୟକୁ ସୁସଂହତ ତଥା ସଫଳ କରିବା ପାଇଁ ଏନ୍‌ସିଆରବି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଅନେକ ଟୁଲ୍ସ ଓ ସାଧନ ଯୋଗାଇ ଦେଇଛନ୍ତି। ଆନ୍ତଃରାଜ୍ୟ ସୂଚନା ଆଦାନପ୍ରଦାନ ପାଇଁ କ୍ରାଇମ୍ ମଲ୍ଟି ସେଣ୍ଟର ଏଜେନ୍ସୀ ବ୍ୟବସ୍ଥା ବିକଶିତ ହୋଇଛି । ହଜିଯିବା ପରେ ମିଳିଥିବା ଲୋକଙ୍କ ସମ୍ପର୍କରେ ଜାତୀୟ ଅନଲାଇନ ଆଲର୍ଟ ସର୍ଭିସ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ସାହାଯ୍ୟରେ ଉଦ୍ଧାର ହୋଇଥିବା ନିରୁଦ୍ଦିଷ୍ଟ ବ୍ୟକ୍ତି ସହିତ ଅପରାଧୀ ବିଷୟରେ ମଧ୍ୟ ତଥ୍ୟ ଆଦାନ ପ୍ରଦାନ ସହଜରେ କରିହେବ।

ସେହିଭଳି ଅପରାଧୀଙ୍କୁ ଠାବ କରିବା ଓ ଧରିବା ପାଇଁ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ ବ୍ୟବସ୍ଥା ଆରମ୍ଭ ହୋଇଛି, ଯାହା ପୁଲିସକୁ ବିଶେଷ ସାହାଯ୍ୟ କରିବ। ଆହୁରିମଧ୍ୟ ଏକ ସ୍ୱଂୟକ୍ରିୟ ଫଟୋ ମ୍ୟାଚିଙ୍ଗ୍ ୱେବଭିତ୍ତିକ ଆପ୍ ‘ୟୁନିଫାଏ’ ବିକଶିତ ହୋଇଛି। ମେସିନ ଲର୍ଣ୍ଣିଂ ବ୍ୟବସ୍ଥାରେ ‘ୟୁନିଫାଏ’ ଦ୍ୱାରା ପୁଲିସ କର୍ମଚାରୀ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଫଟୋ ସହଜରେ ଖୋଜି ପାରିବେ ଓ ଅଚିହ୍ନା ମୃତଦେହକୁ ଚିହ୍ନଟ କରିବାରେ ସଫଳ ହେବେ। ସିସିଟିଏନ୍‌ଏସ୍‌ରେ ଏଥିପାଇଁ ଏକ ଜାତୀୟ ଇମେଜ ରିପୋଜିଟରୀ ରହିଛି।

ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ନାଗରିକ ସେବା ବ୍ୟବସ୍ଥା ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି। ଏହି ସେବା ଅନଲାଇନ୍‌ରେ ଉପଲବ୍ଧ। ସେହିଭଳି କରୋନା ମହାମାରୀ ସମୟରେ ତୃତୀୟ ଲିଙ୍ଗର ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପାଇଁ ଯେଉଁ ମାନଙ୍କ କାର୍ଯ୍ୟନୁଷ୍ଠାନ ବିଧି ଜାରି କରାଯାଇଛି ଏହାର ଉପଯୁକ୍ତ ପରିପାଳକ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପରାମର୍ଶ ଦେଇଛି। କେନ୍ଦ୍ର ସରକାରଙ୍କ ଏସବୁ କେନ୍ଦ୍ରୀୟ ସୁବିଧା ସୁଯୋଗ ଓ ଟୁଲ୍ସକୁ ରାଜ୍ୟ ସରକାର ଏକ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ ଉପଯୋଗ କରାଯାଇଛି।

Comments are closed.