ଉପରମୁହାଁ କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦୁଇ ଦିନ ହେଲା ଉପରମୁହାଁ ହୋଇ ରହିଛି। ଗତ ରବିବାର ଓ ସୋମବାର ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିବାକୁ ନେଇ ରାଜ୍ୟବାସୀଙ୍କ ମନରେ ଆଶ୍ୱସ୍ତି ଆସୁଥିବାବେଳେ ବୁଧବାର ରାଜ୍ୟରେ ସଂକ୍ରମଣ ହାର ୫.୨୫ ପ୍ରତିଶତ ଥିବାବେଳେ ଆଜି ମଧ୍ୟ ଏହି ସ୍ଥିତି ବଜାୟ ରହିଛି।
ମଙ୍ଗଳବାର ରାଜ୍ୟରେ ୬୫ହଜାର ୮୪୫ ନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୩୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ବୁଧବାର ୬୯ହଜାର ୪୮୦ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଆଜି ୩ହଜାର ୬୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷା ହାର ବଢ଼ି

୭୦ହଜାରରେ ପହଞ୍ଚିଲାଣି। ସେହି ତୁଳନାରେ ଆକ୍ରାନ୍ତ ସଂଖ୍ୟା ବଢ଼ିଛନ୍ତି। ଏହାବାଦ୍ ପାଣିପାଗ ପରିବର୍ତନ ଯୋଗୁଁ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏଥିପାଇଁ ବ୍ୟତିବ୍ୟସ୍ତ ନ ହୋଇ ଆମକୁ ସଚେତନ ରହିବାକୁ ପଡ଼ିବ। ଏବେ ଡେଲଟା-ପ୍ଲସ୍ ଭୂତାଣୁ ନେଇ ଚର୍ଚ୍ଚା ହେଉଛି, ଆମକୁ ଅଧିକ ସାବଧାନ ରହିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଟିକାକରଣ ଶେଷ ନ ହୋଇଛି ସେପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ଚଳିବାକୁ ପଡ଼ିବ। ତେବେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଏହାକୁ ନେଇ ସେ କହିଛନ୍ତି ଯେ ଚଳିତ ମାସରେ ମୃତ୍ୟୁ ହାର କମ୍ ରହିଛି। ତେବେ ଗତମାସର ମୃତ୍ୟୁର ତଥ୍ୟ ଯାଞ୍ଚ ଚାଲିଥିବାରୁ ଏହା ଅଧିକ ରହୁଛି।
ରାଜ୍ୟରେ ଆଜି ୪୪ ମୃତ୍ୟୁକୁ ନେଇ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୭୬୧ରେ ପହଞ୍ଚିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ପୁରୀ ଓ ଅନୁଗୋଳରୁ ୪ ଜଣ ଲେଖାଏଁ, ଗଞ୍ଜାମ,କେନ୍ଦ୍ରାପଡା ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ ସମ୍ବଲପୁରରୁ ୨ ଲେଖାଏଁ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଆଜି ଚିହ୍ନଟ ୩ ହଜାର ୬୫୦ ଆକ୍ରାନ୍ତଙ୍କୁ ନେଇ ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା ୮ଲକ୍ଷ ୯୦ହଜାର ୫୯୬ରେ ପହଞ୍ଚିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ୨୦୯୮ ଏବଂ ସ୍ଥାନୀୟ ସମ୍ପର୍କରୁ ୧୫୫୨ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୪୮୫, ଯାଜପୁରରୁ ୩୩୨, ବାଲେଶ୍ୱରରୁ ୨୭୮, ପୁରୀରୁ ୧୮୭,ଭଦ୍ରକରୁ ୧୭୦, ଜଗତସିଂହପୁରରୁ ୧୩୮, ମୟୂରଭଞ୍ଜରୁ ୧୪୫, ନୟାଗଡ଼ରୁ ୧୨୨, ଅନୁଗୋଳରୁ ୧୧୨, ଢେଙ୍କାନାଳରୁ ୧୧୦, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୧୦୬ ଲେଖାଏଁ, କୋରାପୁଟରୁ ୧୦୪ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ ଜିଲାରୁ ଆକ୍ରାନ୍ତ ସଂଖ୍ୟା ସବୁ ଦୁଇ ଅଙ୍କ ଭିତରେ ରହିଛି। ଆଜି ରାଜ୍ୟରେ ଆଉ ୩୪୮୬ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୨୮୪ରେ ପହଞ୍ଚିଛି।

Comments are closed.