ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ଠାରୁ ୩ ଗୁଣ ଅଧିକ

- ସୁସ୍ଥ ହେଲେଣି ୨୯ ଲକ୍ଷ ୧ ହଜାର ୯୦୮

ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨ ହଜାର ୨୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ଆରୋଗ୍ୟ ହାର ୭୭ ପ୍ରତିଶତ ଛୁଇଁବାକୁ ଯାଉଛି। ଏବେ ଏହି ହାର ୭୬.୯୮ ପ୍ରତିଶତ ରହିଛି। ଆରୋଗ୍ୟ ସଂଖ୍ୟା ୨୯ଲକ୍ଷ ଅତିକ୍ରମ
କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଫଳରେ ମୋଟ୍‍ ସଂକ୍ରମିତମାନଙ୍କର ଏହା ଶତକଡ଼ା ୨୧ ଦଶମିକ ୨/୬ ଭାଗ ରହିଛି। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା, ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟାର ୩ ଦଶମିକ ୬ ଗୁଣ ଅଧିକ ରହିଛି।

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଜୁଲାଇ ମାସ ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଚାରିଗୁଣ ବୃଦ୍ଧି ପାଇଛି। ନମୁନା ପରୀକ୍ଷା, ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ଅଭିଯାନକୁ ତ୍ୱରାନ୍ୱିତ କରାଯିବାରୁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁହାର ଶତକଡ଼ା ୧ ଦଶମିକ ୭/୬ ଭାଗ ରହିଛି।
ଗତ ୨୪ ଘଣ୍ଟା ଭିତରେ ୭୮ ହଜାର ୩୫୭ଟି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ୬୯ ହଜାର ୫୨୪ ରହିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗ ଲୋକ ରହିଛନ୍ତି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୮ ଲକ୍ଷ ୧ ହଜାର ୨୮୨ ରହିଛି। ଗତ ୨୪ ଘଣ୍ଟା ଭିତରେ ୧ ହଜାର ୪୫ ଜଣ ମୃତ୍ୟୁବରଣ କରିବାରୁ କୋବିଡ୍‍ ମୃତ୍ୟୁସଂଖ୍ୟା ୬୬ ହଜାର ୩୩୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ଭିତରେ ୧୦ଲକ୍ଷ ୧୨ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଛି। ବିଗତ ୫ ମାସ ଭିତରେ ଭାରତରେ ନମୁନା ପରୀକ୍ଷା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ମାର୍ଚ୍ଚ ୨୩ ତାରିଖରେ ଦେଶରେ ୧୬୦ଟି ନମୁନା ପରୀକ୍ଷାଗାର ଥିବାବେଳେ ବର୍ତ୍ତମାନ ତାହା ୧ ହଜାର ୬୧୪ରେ ପହଞ୍ଚିଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୧୯ଟି ସରକାରୀ ପରୀକ୍ଷାଗାର ଓ ୫୯୫ଟି ବେସରକାରୀ ପରୀକ୍ଷାଗାର ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୪୩ ଲକ୍ଷ ୩୭ ହଜାର ନମୁନା ପରୀକ୍ଷା କରାଯିବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇ ଏହାର ଶତକଡ଼ା ୮ ଦଶମିକ ୫ ଭାଗରେ ରହିଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ଶତକଡ଼ା ୫ ଭାଗରୁ କମ୍‍ ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ନମୁନା ପରୀକ୍ଷା ୧୪୦କୁ ଅତିକ୍ରମ କରିଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସାପ୍ତାହିକ ଭିତ୍ତିରେ ଦୈନିକ ନମୁନା ପରୀକ୍ଷାରେ ଦ୍ରୁତ ବୃଦ୍ଧି ଘଟି ଜୁଲାଇ ପ୍ରଥମ ସପ୍ତାହର ୨ ଲକ୍ଷ ୩୦ ହଜାରରୁ ଚଳିତ ସପ୍ତାହରେ ୯ ଲକ୍ଷରେ ପହଞ୍ଚିଛି।

Comments are closed.