ଶିଶୁଯତ୍ନ ଅନୁଷ୍ଠାନର ୨୪ ଶିଶୁ ଓ ୩ କର୍ମଚାରୀ କରୋନା ପଜିଟିଭ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ ଜବରଗୁଡା ଗ୍ରାମଠାରେ ଥିବା ସେବା ସମାଜ ଶିଶୁଯତ୍ନ ଅନୁଷ୍ଠାନର ୨୪ ଜଣ ବାଳିକା ଶିଶୁ ଓ ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ପଦ୍ମପୁର ବିଡିଓ ଦୟାମୟ ପାଢ଼ୀ ଅନୁଷ୍ଠାନକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ଶିଶୁ ମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ । ଏକ ଡ଼ାକ୍ତରୀ ଦଳ ଦିନରେ ଦୁଇ ଥର ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ପିଲାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ଲିପିବଦ୍ଧ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ପିଲାମାନେ ସୁସ୍ଥ ଥିବା ଉଭୟ ଅଧିକାରୀ ସୂଚନା ଦେଇଛନ୍ତି । ପଦ୍ମପୁର ଅଗ୍ନିଶମ ବାହିନୀ ଦ୍ୱାରା ଅନୁଷ୍ଠାନ ପରିସରକୁ ବିଶୋଧନ କରାଯାଇଛି । ଏଠାରେ ମୋଟ ୨୫ ଜଣ ବାଳିକା ଓ ୫ ଜଣ କର୍ମଚାରୀ ଥିବା ବେଳେ, ୨୪ ଜଣ ବାଳିକା ଓ ୩ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ପଦ୍ମପୁର ବିଡ଼ିଓ ପ୍ରକାଶ କରିଛନ୍ତି ।

Comments are closed.