ପାରଦ ଖସିଲେ ବଢ଼ିବ କରୋନା: ଆଇଆଇଟି-ଏମ୍ସ ଗବେଷକ

ଭୁବନେଶ୍ବର: ପାରଦ ଖସିଲେ ବଢ଼ିବ କରୋନା । ଆସନ୍ତା ଶୀତ ସମୟରେ ପାରଦ ଖସିବା ସହିତ କରୋନା ସଂକ୍ରମଣ ତୀବ୍ର ହୋଇପାରେ । ଏହି ଆଶଙ୍କା କରିଛନ୍ତି  ଭୁବନେଶ୍ବର ଆଇଆଇଟି  ଓ ଏମ୍ସର କିଛି ଗବେଷକ । ଆଇଆଇଟି ଭୁବନେଶ୍ବରର ମହାସାଗର ଓ ଜଳବାୟୁ ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ଭି. ଭିନୋଜ ଏପରି ଆକଳନ କରିଛନ୍ତି । ବର୍ଷା, ତାପମାତ୍ରା ହ୍ରାସ ଓ ବାୟୁମଣ୍ଡଳରେ ଶୀତଳତା ବଢ଼ିଲେ କୋଭିଡ଼-୧୯ ଭୁତାଣୁ ବିସ୍ତାର ପରିବେଶ ଅନୁକୂଳ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । “COVID-19 spread in India and its dependence on temperature and relative humidity” ଶୀର୍ଷକ ରିପୋର୍ଟରେ ଗବେଷକ ଶ୍ରୀ ଭିନୋଜ ଏହା ଉଲ୍ଲେଖ କରିଛନ୍ତି ।

ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ଭିନୋଜ ତାଙ୍କ ରିପୋର୍ଟରେ ଏପ୍ରିଲ-ଜୁନ୍ ମାସରେ କରୋନା ସଂକ୍ରମଣ ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ସଂକ୍ରମଣ ହ୍ରାସ ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପାଣିପାଗ, ତାପମାତ୍ରା ଓ ଆପେକ୍ଷିକ ଆର୍ଦ୍ରତା ସଂକ୍ରମଣ ହ୍ରାସ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ । ସେ କହିଛନ୍ତି ଯେ ତାପମାତ୍ରାରେ ୧ ଡ଼ିଗ୍ରୀ ସେଲସିୟସ ବୃଦ୍ଧି କରୋନା ସଂକ୍ରମଣ ହାରକୁ ୦.୯୯% ହ୍ରାସ କରିଥାଏ । ସଂକ୍ରମଣ ଦ୍ବିଗୁଣିତ ହେବା ଅବଧିକୁ ମଧ୍ୟ ଏହା ୧.୧୮ ଦିନ କମାଇଥାଏ । ତେବେ ମୌସୁମୀଠାରୁ ଆରମ୍ଭ କରି ଶୀତଦିନ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଆର୍ଦ୍ରତା ସମ୍ପର୍କରେ ଅଧିକ ଅନୁଧ୍ୟାନ କରାଯାଇ ନ ଥିବାରୁ ଏହାର ସଠିକ ଆକଳନ ଏବେ ସମ୍ଭବ ନୁହେଁ । ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଲୋଡ଼ା ବୋଲି ଭିନୋଜ କହିଛନ୍ତି ।

ଏହି ଗବେଷକ ଦଳର ଅନ୍ୟତମ ସଦସ୍ୟ ତଥା ଭୁବନେଶ୍ବର ଏମ୍ସ ମାଇକ୍ରୋବାୟୋଲୋଜି ବିଭାଗର ଡ଼. ବିଜୟିନୀ ବେହେରା ମଧ୍ୟ ଅନୁରୂପ ମତ ପ୍ରକାଶ କରିଛନ୍ତି ।    ଅତୀତରେ ତାପମାତ୍ରା ହ୍ରାସ ହେବା ସହ ଅପେକ୍ଷାକୃତ କମ୍ ଆର୍ଦ୍ରତା ଏହି ରୋଗ ସଂକ୍ରମଣ ଉପରେ ଅଙ୍କୁଶ ଲଗାଇଥିଲା ବୋଲି କହିଛନ୍ତି ।  ଗ୍ରୀଷ୍ମ ଋତୁ ଓ ଶୀତ ଋତୁ ମଧ୍ୟରେ ହାରାହାରି ୭ଡ଼ିଗ୍ରୀ ସେଲସିୟସର ହାରାହାରି ପାର୍ଥକ୍ୟ କରୋନା ସଂକ୍ରମଣ ଓ ନିୟନ୍ତ୍ରଣ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ । ଶୀତଦିନେ କରୋନାଭାଇରସ୍ ସଂକ୍ରମଣର ସମ୍ଭାବନା ଅଛି, ଯାହା ସଂକ୍ରମଣ ଗତିକୁ ତୀବ୍ର କରିବାର ଆଶଙ୍କା ରହିଛି । ଏହା ସ୍ବାସ୍ଥ୍ୟକର୍ମୀ ଓ ନୀତି ନିର୍ଣ୍ଣୟକମାନଙ୍କ ନିମନ୍ତେ ଆହ୍ବାନପୂର୍ଣ୍ଣ ହୋଇପାରେ ବୋଲି ଭିନୋଜ କହିଛନ୍ତି ।

Comments are closed.