କରୋନା କଟକଣା ଅମାନିଆଙ୍କ ପାଇଁ ସତର୍କବାଣୀ: ‘ଟାଇମ୍‌ ପାସ୍‌ ଇକ୍ବାଲ୍‌ ଟୁ ଲାଇଫ୍‌ ଫେଲ୍‌’

ଭୁବନେଶ୍ବର: କରୋନା କଟକଣା ଅମାନିଆଙ୍କ ପାଇଁ ରାଜ୍ୟ ସରକାର ସତର୍କବାଣୀ ଶୁଣାଇଛନ୍ତି। ବିନାକାରଣରେ ବାହାରେ ବୁଲାବୁଲି କରିବାକୁ ଯାଉଥିବା ଅମାନିଆ ଟାଇମ୍‌ପାସ୍‌ ପାଇଁ ରାସ୍ତାରେ ବୁଲାବୁଲି କରିଥାନ୍ତି। ସେମାନଙ୍କ ‘ଟାଇମ୍‌ପାସ୍‌ ଇକ୍ବାଲ୍‌ ଟୁ ଲାଇଫ୍‌ ଫେଲ୍‌’ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥା ହୋଇନାହିଁ। କିନ୍ତୁ ଭୟ ସାଙ୍ଗରେ ସାବଧାନତାକୁ କମାଇଦେବା ତାହେଲେ ୨୪ଘଣ୍ଟା ଭିତରେ ଓଡ଼ିଶାର ଚିତ୍ର ମଧ୍ୟ ବଦଳି ଯାଇପାରେ। ଜନ୍ମ ଦେଇଥିବା ବାପାମା’ଙ୍କ ମୁହଁକୁ ଅନାଇ ବିବେକର ସହ କାମ କରିବା ଦରକାର। ହୋମ୍‌ କ୍ବାରେଣ୍ଟାଇନ୍‌କୁ ସମ୍ପୂର୍ଣ୍ଣ ଭାବେ ଆମକୁ ଗୁରୁତ୍ବର ସହ ମାନିବାକୁ ପଡ଼ିବ। ଘରେ ବସିଲେ ସମସ୍ତଙ୍କୁ ବିରକ୍ତ ଲାଗିବା ସ୍ବାଭାବିକ। ମଟରସାଇକେଲ୍‌ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଟାଇମ୍‌ ପାସ ପାଇଁ ବାହାରକୁ ବୁଲିଯିବା ଠିକ୍‌ ନୁହେଁ। କାରଣ ଟାଇମ୍‌ ପାସ୍‌ ଇକ୍ବାଲ୍‌ ଟୁ ଲାଇଫ୍‌ ଫେଲ୍‌। ଟାଇମ୍‌ ପାସ୍‌ କରୁ କରୁ ଲାଇଫ୍‌ ଫେଲ୍‌ ହୋଇଗଲେ ତାହାର ଦାୟିତ୍ବ କି’ଏ ନେବ। ଏହି କଥାଟି ମନରେ ରଖିବାକୁ ପଡ଼ିବ। ତେଣୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ନିଜେ ସଚେତନ ରୁହନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରନ୍ତୁ। ବର୍ଷାଦିନ ଆସିଗଲା, ଏମିତିରେ ବି ଥଣ୍ଡା, କାଶ, ଜ୍ବର, ଛିଙ୍କ ଇତ୍ୟାଦି ବଢ଼ିବ। ଏହି ସାଧାରଣ ଥଣ୍ଡା, କାଶ, ଜ୍ବର, ଛିଙ୍କ ସାଙ୍ଗେ ଯଦି କରୋନା ମିଶିଗଲା, ତାହେଲେ ଭାବନ୍ତୁ କିପରି ଭୟଙ୍କର ପରିସ୍ଥିତି ଭିତରେ ଆମକୁ ଯିବାକୁ ପଡ଼ିବ। ତେଣୁ ମାସ୍କ ପିନ୍ଧନ୍ତୁ ଓ ମାସ୍କ ପିନ୍ଧାନ୍ତୁ। ସାବୁନ୍‌ରେ ହାତକୁ ବାରମ୍ବାର ଧୁଅନ୍ତୁ ଓ ଅନ୍ୟମାନଙ୍କୁ ଧୁଆନ୍ତୁ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍ ବାଗ୍‌ଚୀ ପ୍ରକାଶ କରିଛନ୍ତି।

Comments are closed.