ଦିନରେ ପୁଲିସ୍‍ ଚାକିରି, ରାତିରେ ମାସ୍କ ତିଆରି

ଭୋପାଳ : କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ମାସ୍କ ଏବଂ ସାନିଟାଇଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଥିଲା ବେଳେ ମାସ୍କ ଅଭାବ ଚିନ୍ତାର କାରଣ ହୋଇଛି। ଦେଶର ଏହି ସଙ୍କଟଜନକ ସ୍ଥିତିରେ ବିଭିନ୍ନ ଲୋକ ଘରେ ମାସ୍କ ତିଆରି କରି ବାଣ୍ଟୁଛନ୍ତି। ମଧ୍ୟପ୍ରଦେଶର ଜଣେ ଯୁବତୀଙ୍କର ଏପରି ପଦକ୍ଷେପ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ସେ ଜଣେ ପୁଲିସ୍‍ କର୍ମଚାରୀ। ଦିନରେ ଲକ୍‍ଡାଉନ୍‍ ସ୍ଥିତି ପରଖିବା ପାଇଁ କର୍ତ୍ତବ୍ୟ କରିବା ପରେ ରାତିରେ ଘରକୁ ଫେରିଲେ ମାସ୍କ ତିଆରି କରିଥାନ୍ତି। ମଧ୍ୟପ୍ରଦେଶର ସାଗର ଅନ୍ତର୍ଗତ ଖୁରଇ ଥାନାରେ କାର୍ଯ୍ୟରତ ଏହି କର୍ମଚାରୀଙ୍କ ନାଁ ସୃଷ୍ଟି ଶ୍ରୋତିୟା। ମାସ୍କ ତିଆରି କରି ସେ ଥାନା ସହକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ବି ବାଣ୍ଟୁଛନ୍ତି। ସନ୍ଦୀପ ସିଂହ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏପ୍ରିଲ ୪ତାରିଖରେ ସୃଷ୍ଟିଙ୍କ ମାସ୍କ ତିଆରି କରୁଥିବା ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହୋଇଛି। କରୋନା ଯୁଦ୍ଧରେ ତାଙ୍କର ଏହି ଭୂମିକାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପ୍ରଶଂସା କରିଛନ୍ତି। ସନ୍ଦୀପଙ୍କ ଟ୍ୱିଟ୍‍କୁ ରିଟ୍ୱିଟ୍‍ କରି ସେ ଲେଖିଛନ୍ତି- କନ୍ୟା ସୃଷ୍ଟିର ଆଧାର ଏବଂ ସୃଷ୍ଟି ଏମାନଙ୍କ ଦ୍ୱାରା ଧନ୍ୟ ହୋଇଥାଏ। ସୃଷ୍ଟିଙ୍କ ପରି କନ୍ୟାଙ୍କୁ ଧାରଣ କରି ବାରମ୍ବାର ଧରା ଧନ୍ୟ ହୋଇଛି। ଝିଅ, ସର୍ବଦା ଖୁସିରେ ରୁହ ଏବଂ ଜଗତର କଲ୍ୟାଣ କରୁଥାଅ। ଶିବରାଜଙ୍କ ଏହି ଟ୍ୱିଟ୍‍ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସାବାସ୍‍ ସୃଷ୍ଟି।

Comments are closed.