କରୋନା ଯୁଦ୍ଧରେ ଆର୍‌ବିଆଇ

ଭୁବନେଶ୍ବର, ମୈତ୍ରୀ ବିହାର, (ପ୍ରଭାସ ମିଶ୍ର )`: ଦିନକୁ ଦିନ କରୋନା ସଂକ୍ରମଣର ଆଶଙ୍କା ବଢୁଥିବା ସ୍ଥଳେ ଏହା ଦେଶର ଆର୍ଥିକ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ନେଇ ଯାଉଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଭାରତର ଅଭିବୃଦ୍ଧି ହାର ଦେଶ ଅର୍ଥନୀତି ଇତିହାସରେ ସର୍ବନିମ୍ନ ୧.୯ ପ୍ରତିଶତ ମଧ୍ୟରେ ସୀମିତ ହୋଇ ରହିବ ବୋଲି ଅନୁମାନ କରିଛି। ଭାରତ ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ଯୋଜନା ଘୋଷଣା କରିଥିଲେ ମଧ୍ୟ ଏହା ଗତ ବର୍ଷ ଯୋଜନାଗୁଡିକ ଉପରେ ପର୍ଯ୍ୟବସିତ ଥିବାରୁ, ଏଗୁଡିକ ଏତେଟା ଆଖିଦୃଶିଆ ହୋଇ ପାରିଲା ନାହିଁ।

ଇତିମଧ୍ୟରେ ଜାତୀୟ ଅର୍ଥନୀତିରେ ସୁଧାର ଆଣିବା ଲକ୍ଷ୍ୟରେ ଆରବିଆଇ କେତେଗୁଡ଼ିଏ ଘୋଷଣା କରିଛନ୍ତି। ଆରବିଆଇ ରେପୋ ଓ ରିଭର୍ସ ରେପୋ ଭଳି ଦୁଇଟି ହାରରେ ପରିବର୍ତ୍ତନ କରିଥାନ୍ତି। ଏହି ହାରରେ ହ୍ରାସ ଘଟିଲେ ବ୍ୟାବସାୟିକ ବ୍ୟାଙ୍କମାନେ ଆରବିଆଇରେ ରଖୁଥିବା ଅର୍ଥରୁ ଅଧିକ ଲାଭ ନ ପାଇ ବଜାରରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଋଣ ପ୍ରଦାନ କରିବେ। ଏହାଦ୍ବାରା ଦେଶରେ ଅଧିକ ଦେଣନେଣ ହେବ ଓ ତତ୍‌ଜନିତ ସୁଫଳଗୁଡିକ ଅର୍ଥନୀତିରେ ଉପଲବ୍ଧି ହେବ। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ସୁବିଧା ପାଇଁ ରିଭର୍ସ ରେପୋ ହାରକୁ ହ୍ରାସକରି ୩.୭୫% କରିଛନ୍ତି। କିଛିଦିନ ଆଗରୁ ଆରବିଆଇ ମଧ୍ୟ ଏହିଭଳି ଏକ ପଦକ୍ଷେପ ନେଇଥିଲେ। ଗତ ମାସରେ ମଧ୍ୟ ରେପୋ ହାର ଓ ରିଭର୍ସ ରେପୋ ହାରରେ ହ୍ରାସ କରି ୪.୪ ଓ ୪ ପ୍ରତିଶତରେ ରଖିଥିଲେ।

ଭାରତ ପାଇଁ କରୋନା ପରବର୍ତ୍ତୀ ସ୍ଥିତି ଅତ୍ୟନ୍ତ କଠିନପୂର୍ଣ୍ଣ ହୋଇପାରେ। ଦୀର୍ଘ ଦିନ ଧରି ତାଲା ବନ୍ଦ ହୋଇ ଖୋଲିଲା ପରେ ମଧ୍ୟ ଉତ୍ପାଦନକୁ ପୂର୍ବବତ ସ୍ଥିତିରେ ପହଞ୍ଚାଇବା ବହୁତ ସମୟ ଲାଗିବ। ଶିଳ୍ପ, କଳ କାରଖାନାଗୁଡ଼ିକ ପୂର୍ବଭଳି ଚାଲିବା ପାଇଁ ଅନେକ ସମୟ ଲାଗିବ। ଅନ୍ତର୍ଜାତୀୟ ଓ ସ୍ଥାନୀୟ ଗମନାଗମନ କ୍ଷେତ୍ରରେ କଟକଣା ଦ୍ବାରା ଶ୍ରମିକମାନେ ନିଜନିଜ କର୍ମକ୍ଷେତ୍ରକୁ ଫେରିଯିବା ଅନିଶ୍ଚିତତା ମଧ୍ୟରେ ରହିଯିବ। ଯେଉଁମାନେ ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିଲେ ସେମାନେ ସେହି ପୁରୁଣା କାର୍ଯ୍ୟକୁ ଫେରିଯିବେ ବୋଲି କିଛି ନିଶ୍ଚିତତା ନାହିଁ। ତେଣୁ, ଉତ୍ପାଦନ ଓ ସେବା କ୍ଷେତ୍ରଗୁଡିକ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ଭଳି ଅନିଶ୍ଚିତତାକୁ ଅନୁମାନ କରି ଆରବିଆଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କ୍ରମରେ ତିନୋଟି କ୍ଷେତ୍ରର ବିକାଶ ପାଇଁ ୫୦୦୦୦ କୋଟି ଟଙ୍କାର ଏକ ସ୍ବତନ୍ତ୍ର ରାଶି ବିଭିନ୍ନ ପୁନଃ ବିତ୍ତଯୋଗାଣକାରୀ ସଂସ୍ଥା ମାଧ୍ୟମରେ ଯୋଗାଇଛନ୍ତି। ପ୍ରଥମରେ, କୃଷି ବିକାଶ ପାଇଁ ନାବାର୍ଡକୁ ୨୫୦୦୦କୋଟି ଟଙ୍କାର ସୁବିଧା କରିଛନ୍ତି ଯାହା ଦ୍ବାରା ଏହି ଅର୍ଥକୁ ବିଭିନ୍ନ ବ୍ୟାଙ୍କ ମଧ୍ୟମରେ କୃଷି କ୍ଷେତ୍ରରେ ଉପଯୋଗ କରାଯାଇ ପାରିବ। ଦ୍ବିତୀୟରେ, ଲଘୁ ଉଦ୍ୟୋଗ ବିକାଶ ପାଇଁ ଥିବା ବ୍ୟାଙ୍କ ମାଧ୍ୟମରେ ୧୫୦୦୦କୋଟି ଟଙ୍କାର ରାଶି ପ୍ରଦାନ କରିଛନ୍ତି। ଏହାଦ୍ବାରା ବିଭିନ୍ନ ଲଘୁ ଉଦ୍ୟୋଗଗୁଡିକ ସେମାନଙ୍କର ପୁନରୁଦ୍ଧାର ପାଇଁ ଏହି ଅର୍ଥ ବ୍ୟବହାର କରିପାରିବେ। ତୃତୀୟରେ, ଗୃହ ନିର୍ମାଣ କ୍ଷେତ୍ରର ବିକାଶ ଉଦ୍ଦେଶ୍ୟରେ, ଜାତୀୟ ଗୃହ ନିର୍ମାଣ ବ୍ୟାଙ୍କ ପାଇଁ ୧୦୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

ଆରବିଆଇର ଏହି ତିନୋଟି କ୍ଷେତ୍ରର ବିକାଶ ପାଇଁ ନେଇଥିବା ପଦକ୍ଷେପଗୁଡିକ ଏକପକ୍ଷରେ ଉତ୍ସାହଜନକ ହୋଇଥିବା ସ୍ଥଳେ ଏହାଦ୍ବାରା ଉପକୃତ ହେବାକୁ ଥିବା ସମ୍ଭାବ୍ୟ ହିତାଧିକାରୀଙ୍କୁ ନେଇ ଏକ ବିତର୍କ କରାଯାଇପାରେ। ଆମ ଦେଶରେ ୮୬ ଭାଗ ଚାଷୀ ଛୋଟ ଓ ନାମ ମାତ୍ର ଚାଷୀ, ଯେଉଁମାନେ ୪୭ପ୍ରତିଶତ ଜମିରେ ଚାଷ କରିଥାନ୍ତି। ମାତ୍ର ୧୪ ଭାଗ ଚାଷୀମାନଙ୍କ ପାଖରେ ଅର୍ଦ୍ଧାଧିକ ଜମି ଅଛି, ଯେଉଁମାନେ ବଡ଼ଚାଷୀ ହିସାବରେ ଆସନ୍ତି । ଦେଶର ୮୬ ଭାଗ ଚାଷୀ ଯାହାଙ୍କର ଦୁଇ ଏକରରୁ କମ ଚାଷ ଜମି ଅଛି ସେମାନଙ୍କୁ ଋଣ ଦେବା ପାଇଁ ବ୍ୟାବସାୟିକ ବ୍ୟାଙ୍କମାନେ ରାଜି ହେବେ ତ ? ସରକାର ଯେ କୌଣସି ମାଧ୍ୟମରେ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦେଲେ ମଧ୍ୟ ସେମାନେ ଏହିଭଳି ଚାଷୀମାନଙ୍କୁ ଋଣ ଦେବା ସାଧାରଣତଃ ପସନ୍ଦ କରନ୍ତି ନାହିଁ। ଯଦି କେତେବେଳେ ଋଣ ଦେଇଥାନ୍ତି, ତାହା ପୁରୁଣା ଋଣକୁ ପରିଶୋଧ କରି ବାକି ସ୍ୱଳ୍ପ ଅର୍ଥ ଚାଷୀମାନଙ୍କୁ ମିଳିଥାଏ। ନାବାର୍ଡର ଏକ ତଥ୍ୟରୁ ଜଣାଯାଏ ଯେ ଦେଶରେ ଥିବା ମୋଟ ଚାଷୀମାନଙ୍କ ମଧ୍ୟରୁ ମାତ୍ର ୪୧ ଭାଗ ଚାଷୀ ବ୍ୟାଙ୍କ ଓ ସମବାୟସଂସ୍ଥା ଭଳି ଆନୁଷ୍ଠାନିକ ସୂତ୍ରରୁ ଋଣ ଆଣି ନଥାନ୍ତି। ସେମାନେ ଗାଁ ମହାଜନ ବା ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କଠାରୁ ଅଧିକ ସୁଧହାରରେ ଆଣିଥାନ୍ତି। ଏଥିସହିତ ସେମାନେ ମଧ୍ୟ ସେମାନଙ୍କର ବନ୍ଧୁବାନ୍ଧବଙ୍କଠାରୁ ଋଣ କରିଥାନ୍ତି। ବାସ୍ତବରେ ଏହି ସବୁ ଚାଷୀମାନେ ହିଁ ସବୁ ପ୍ରକାର ଛୋଟବଡ ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହି ସବୁ ଚାଷୀମାନେ ମଧ୍ୟ ଅନେକ ସମୟରେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ତେଣୁ, ନାବାର୍ଡ ଦ୍ବାରା ଦିଆ ଯାଉଥିବା ଆର୍ଥିକ ସାହାଯ୍ୟ ଏହିଭଳି ଚାଷୀମାନଙ୍କ ବିକାଶ ପାଇଁ କିଭଳି ସହାୟକ ହେବ ତାହା ଏକ ପ୍ରଶ୍ନ। ଅନେକ ଭାଗ ଚାଷୀ ଏହି ସୁବିଧାରୁ କିଭଳି ଉପକୃତ ହେବେ ତାହା ମଧ୍ୟ ଅସ୍ପଷ୍ଟ ହୋଇ ରହିଛି।

ଦ୍ବିତୀୟରେ, ଗୃହ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜାତୀୟ ଗୃହ ନିର୍ମାଣ ବ୍ୟାଙ୍କ ମାଧ୍ୟମରେ ୧୦୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅର୍ଥ ଗୃହ ନିର୍ମାଣ ଋଣ ପ୍ରଦାନ ମାଧ୍ୟମରେ ବିଭିନ୍ନ ଗୃହ ନିର୍ମାଣ ପ୍ରକଳ୍ପମାନଙ୍କୁ ସାହାଯ୍ୟ କରାଯିବ। ଏହାକୁ ଦେଖି ଜଣାଯାଉଛି ଯେ ଏହି ଅର୍ଥ ଦ୍ବାରା ବଡ଼ବଡ଼ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ହିଁ ଉପକୃତ ହେବେ। କରୋନା ବିପର୍ଯ୍ୟୟ ପରେ ସେମାନଙ୍କର ପୁଞ୍ଜି ଲଗାଣରେ କୌଣସି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ଆଶା କରାଯାଇଛି ଏହାଦ୍ବାରା ଗରିବ ଶ୍ରମିକମାନେ ପୁନର୍ବାର କାମ ପାଇ ପାରିବେ, କିନ୍ତୁ ଦେଖାଯାଉଛି ଯେ ସାଧାରଣତଃ ସହରାଞ୍ଚଳରେ ଗୃହ ନିର୍ମାଣ କରାଯାଇଥାଏ। ଏହି ସବୁ ପ୍ରକଳ୍ପରେ କାମ କରିବା ପାଇଁ ଆବଶ୍ୟକ ହେଉଥିବା ଶ୍ରମିକମାନେ ସାଧାରଣତଃ ଅନ୍ୟ ଜିଲା ବା ରାଜ୍ୟରୁ ଆସି କାମ କରିଥାନ୍ତି। କରୋନା ପରବର୍ତ୍ତୀ ସମୟରେ ଶ୍ରମିକମାନେ ଆଉ ଦେଶାନ୍ତର ହୋଇ କାମ କରିବାକୁ ନିରାପଦ ମଣିବେ ନାହିଁ। ଏପରିକି ସାମାଜିକ ଦୂରତ୍ବ ଭଳି ନିୟମକୁ ମାନି ନିର୍ମାଣ ଶ୍ରମିକମାନେ ମଜୁରି କାମ କରିବା କଷ୍ଟ ହୋଇପଡିବ। ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ମାଲିକମାନେ ଯେତେ କମସଂଖ୍ୟକ ଶ୍ରମିକମାନଙ୍କ ଦ୍ବାରା କାମ ସାରିବା ପାଇଁ ଚେଷ୍ଟା କରିବେ। ମେସିନ ଜରିଆରେ ଅନେକ ନିର୍ମାଣ କାର୍ଯ୍ୟ ଆଗକୁ ନେବେ। ତେଣୁ ଆରବିଆଇ ଦ୍ବାରା ବଜାରକୁ ଦିଆ ଯାଇଥିବା ଏହି ଅର୍ଥ ଦେଶରେ ଗୃହ ନିର୍ମାଣ କାର୍ଯ୍ୟରେ ଅଭିବୃଦ୍ଧି କରିବା ସହିତ ସାମଗ୍ରିକ ଅର୍ଥନୀତିରେ କିଛି ପରିମାଣରେ ସହାୟକ ହେବ, କିନ୍ତୁ ତୃଣମୂଳସ୍ତରରେ କାର୍ଯ୍ୟରତ ଓ କରୋନା ଦ୍ବାରା ପ୍ରଭାବିତ ଶ୍ରମିକମାନଙ୍କୁ ସହାୟକ ହେବ ନାହିଁ।

ତୃତୀୟରେ, ଆରବିଆଇ ଦ୍ବାରା ଘୋଷଣା କରାଯାଇଥିବା ୧୫୦୦୦କୋଟି ଟଙ୍କା ସିଡିବି(ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ) ମାଧ୍ୟମରେ ବିଭିନ୍ନ ଲଘୁ ଉଦ୍ୟୋଗ ବିକାଶ ପାଇଁ ଆର୍ଥିକ ରାଶି ଘୋଷଣା କରିଛନ୍ତି। ଏହାଦ୍ବାରା ବିଭିନ୍ନ ଲଘୁ ଉଦ୍ୟୋଗ ଯଦି କରୋନା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବେ ତେବେ ସେମାନଙ୍କର ପୁନରୁଦ୍ଧାର ପାଇଁ ସହାୟକ ହେବ। ଏହି ଋଣଗୁଡ଼ିକ ମଧ୍ୟ ସ୍ୱଳ୍ପ ସୁଧ ହାରରେ ମିଳିବ। ଲକ୍ଷ୍ୟ ଏହା ଯେ ଏହାଦ୍ବାରା ଲଘୁ ଉଦ୍ୟୋଗଗୁଡ଼ିକ ସେମାନେ ଏଥିପାଇଁ ହୋଇଥିବା କ୍ଷତି ଦର୍ଶାଇ ସେମାନଙ୍କର କର୍ମଚାରୀ ଓ ଶ୍ରମିକମାନଙ୍କୁ ଛଟେଇ ନକରନ୍ତୁ। ଏହା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଏହା କିଭଳି ନିଯୁକ୍ତି କ୍ଷେତ୍ରରେ ପ୍ରତିଫଳିତ ହେବ ତାହା ସରକାର ତର୍ଜମା କରିବା ସମ୍ଭବ ନୁହେଁ। ତେଣୁ କେବଳ ଆରବିଆଇର ଘୋଷଣା ମାଧ୍ୟମରେ ଦେଶର ତଳସ୍ତରର ଚାଷୀ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ବିକାଶ ହେବ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆରବିଆଇର ଏହି ଘୋଷଣାଗୁଡ଼ିକୁ ଆଗକୁ ନେଇ ବିଭିନ୍ନ ଯୋଜନା ମାଧ୍ୟମରେ କିଭଳି ଗରିବ ଚାଷୀ ଓ ଶ୍ରମିକମାନେ ସୁବିଧା ନେଇପାରିବେ ଏବଂ କରୋନା ଦ୍ବାରା ସେମାନେ ଆର୍ଥିକ ଦୁରବସ୍ଥାର ସମ୍ମୁଖୀନ ନ ହେବେ ସେ ନେଇ ତାହାର ଏକ ତ୍ବରିତ କାର୍ଯ୍ୟପନ୍ଥାର ଆବଶ୍ୟକତା ରହଛି।

Comments are closed.