ଖଟିଖିଆଙ୍କ କଥା ବୁଝ : ସେମାନେ ଏବେ ରୋଜଗାର ସଙ୍କଟର ସମ୍ମୁଖୀନ

କରୋନା ବିଶ୍ୱ ସ୍ୱାସ୍ଥ୍ୟ ଓ ଅର୍ଥନୀତିର ମେରୁଦଣ୍ଡ ଦୋହଲାଇ ଦେଇଛି। କରୋନା ସଂକ୍ରମଣଜନିତ ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ବିଭିନ୍ନ ଦେଶ ଘୋଷଣା କରିଥିବା ପଦକ୍ଷେପ ଅର୍ଥନୀତିକୁ ପ୍ରଭାବିତ କରିଛି। ଲକ୍ ଡାଉନ୍ ଯୋଗୁଁ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାରେ ଲାଗିଛି। ଏଥିରେ କାମ କରୁଥିବା କର୍ମଚାରୀ/ଶ୍ରମିକମାନେ କାମ ଧନ୍ଦା ହରାଇଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଓ ଉତ୍କଟ ବେରୋଜଗାରୀ ସମସ୍ୟା ସହିତ ସଂଗ୍ରାମ କରୁଥିବା ଭାରତର ଆର୍ଥିକ ସ୍ଥିତି  କରୋନା ଆକ୍ରମଣ ପରେ ଆହୁରି ସଙ୍କଟମୟ ହେବ ବୋଲି ଏବେଠାରୁ ସ୍ପଷ୍ଟ ହୋଇସାରିଛି। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଆଗରେ ଦୁଇଟି ପ୍ରମୁଖ ଆହ୍ୱାନ -କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ବା ସାମୂହିକ ସଙ୍ଗରୋଧକୁ ଯଥାବିଧି ପାଳନ କରିବାରେ କଠୋର ନିଷ୍ଠା ଏବଂ ଦ୍ୱିତୀୟରେ ଲକ୍ ଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ସମାଜର ନିମ୍ନବର୍ଗର ଜୀବିକା ଚିନ୍ତା। ସାମ୍ପ୍ରତିକ ସ୍ଥିତିରେ ଗୋଟିଏ ଅନ୍ୟଟିର ପରିପୂରକ ଭାବେ ଉଭା ହୋଇଛି। ଏକ ଜନମଙ୍ଗଳ ରାଷ୍ଟ୍ରରେ ଶାସନ ମୁଖ୍ୟ ଭାବରେ ମହାମାରୀ ସଂକ୍ରମଣ ରୋକିବା ପାଇଁ ସର୍ବଶ୍ରେଷ୍ଠ ଓ ସର୍ବାଧିକ ବିକଳ୍ପ ଉପଯୋଗ କରିବା ଯେତିକି ଆବଶ୍ୟକ, ତା’ଦ୍ୱାରା ରୋଜଗାର ହରାଉଥିବା ବର୍ଗର ଜୀବିକା ସୁନିଶ୍ଚିତ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

ଏହି ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ଓ କେତେକ ରାଜ୍ୟରେ ସମୟୋଚିତ ପଦକ୍ଷେପ ନିଆଯାଇଛି। ଲକ୍ ଡାଉନ୍ ସମୟରେ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ଯେପରି ଛଟେଇ କରାନଯିବ ଓ ଦରମା ବନ୍ଦ କରାନଯିବ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଚିଠି ଲେଖିଛି। ଏଥିସହିତ ଏହି ସମୟରେ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଦରମା କାଟ ନ କରିବାକୁ ମଧ୍ୟ ମନ୍ତ୍ରାଳୟ ନିର୍ଦେଶ ଦେଇଛି। ଇତିମଧ୍ୟରେ ଲକ୍ ଡାଉନ୍ ଯୋଗୁଁ ଜୀବିକା ହରାଇଥିବା ନିର୍ମାଣ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ୫୨, ୦୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯିବ ଏହି ଅର୍ଥ ସିଧାସଳଖ ଶ୍ରମିକମାନଙ୍କ ଆକାଉଣ୍ଟରେ ଜମା କରାଯିବ, କିନ୍ତୁ ଏହାର ସୁବିଧା କେବଳ ପଞ୍ଜିକୃତ ଶ୍ରମିକମାନେ ପାଇପାରିବେ। ଶ୍ରମ ମନ୍ତ୍ରାଳୟର ପରିସଂଖ୍ୟାନ ଅନୁଯାୟୀ, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍ ଆଇନ୍ – ୧୯୯୬ରେ, ପଞ୍ଜିକୃତ ଶ୍ରମିକଙ୍କ ସଂଖ୍ୟା ମାତ୍ର ୩.୫ କୋଟି। ମୋଟ ଶ୍ରମିକ(ପଞ୍ଜିକୃତ ଓ ଅଣ-ପଞ୍ଜିକୃତ)ଙ୍କ ସଂଖ୍ୟା ୫ କୋଟି। ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। ତେଣୁ ଅଣ-ପଞ୍ଜିକୃତ ଶ୍ରମିକମାନେ କେମିତି ବଞ୍ଚିବେ ତାହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନ। ସେହିପରି ପଞ୍ଜିକୃତ ଶ୍ରମିକଙ୍କୁ ଆର୍ଥିକ ସହାୟତା ବଣ୍ଟନ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। କୌଣସି ଆର୍ଥିକ ସହାୟତା ବା କଲ୍ୟାଣ ଯୋଜନାରେ ବଣ୍ଟନ ଅର୍ଥରାଶି କିମ୍ବା ସାମଗ୍ରୀର କେତେ ପ୍ରତିଶତ ହିତାଧିକାରୀଙ୍କ ନିକଟରେ ପହଞ୍ଚିଛି ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ। ଓଡ଼ିଶାରେ କାଳିଆ ଯୋଜନା ତାହାର ପ୍ରକୃଷ୍ଟ ଉଦାହରଣ। ତେଣୁ ଏହି ବିପୁଳ ରାଶିରୁ ବାଟମାରଣା ନ ହୋଇ କେତେ ହିତାଧିକାରୀଙ୍କ ଖାତାରେ ପହଞ୍ଚିବ ପୁଣି ଏକ ପ୍ରଶ୍ନ ସୃଷ୍ଟି କରୁଛି। ଉପରୋକ୍ତ ଆଇନ ଅଧୀନରେ ରାଜ୍ୟ ସରକାରମାନେ ଚାହିଁଲେ ଅଣ-ପଞ୍ଜିକୃତ ଶ୍ରମିକମାନଙ୍କୁ ପଞ୍ଜିକୃତ କରାଇ ଆର୍ଥିକ ସହାୟତା ଦେଇପାରିବେ। ଏହି ପ୍ରକ୍ରିୟା କିନ୍ତୁ ସମୟସାପେକ୍ଷ। ତେଣୁ ନିର୍ଦିଷ୍ଟ ସମୟ ମଧ୍ୟରେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଆର୍ଥିକ ସହାୟତା ପ୍ରଦାନ ନିଶ୍ଚିତ ରୂପେ ରାଜ୍ୟ ସରକାରମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ।

ଏହିସବୁ ସମସ୍ୟା ଓ ସଙ୍କଟ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଦାୟିତ୍ୱ ଆହୁରି ଅଧିକ ବୋଲି ମନେ ହୁଏ। ପ୍ରଥମତଃ ଦୁର୍ବଳ ସ୍ୱାସ୍ଥ୍ୟ ସେବା ଭିତ୍ତିିଭୂମି ଓ ସୀମିତ ସମ୍ବଳ ମଧ୍ୟରେ କରୋନା ସଂକ୍ରମଣର ମୁକାବିଲା ଏବଂ ଲକ୍ ଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ପରିବାରବର୍ଗକୁ ଜୀବିକା ନିଶ୍ଚିତ କରିବା ସହଜ ନୁହେଁ। ଶ୍ରମିକ ଓ ଦିନମଜୁରିଆଙ୍କ ବ୍ୟତୀତ ଜୀବନଜୀବିକା ବା ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ରାଜ୍ୟର ଗରିବ ବର୍ଗର ଲୋକେ ଚା’, ଜଳଖିଆ, ପରିବା ଦୋକାନ, ଅଟୋ, ରିକ୍ସା, ଟ୍ୟାକ୍ସି ପରି ଅନେକ ପନ୍ଥା ଉପରେ ନିର୍ଭର କରି ଆସୁଛନ୍ତି। ଲକ୍ ଡାଉନ୍ ଯୋଗୁଁ ସେମାନଙ୍କ ଜୀବିକା ବିପନ୍ନ ହୋଇଯାଇଛି। ସରକାରୀ ସହାୟତାରୁ ସେମାନେ କିପରି ଉପକୃତ ହେବେ ସେ ଦିଗରେ ସରକାର ଦୃଷ୍ଟି ଦେବାକୁ ପଡ଼ିବ। ଇତିମଧ୍ୟରେ ପଞ୍ଜାବ ସରକାର ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟରେ ୩,୦୦୦ ଟଙ୍କା ଲେଖାଏଁ ଏବଂ ହରିୟାଣା ସରକାର ୧,୦୦୦ ଟଙ୍କା ଲେଖାଏଁ ଜମା କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉତ୍ତର ପ୍ରଦେଶରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସମେତ ରିକ୍ସାବାଲା, କିଓସ୍କୋ, ଦିନ ମଜୁରିଆଙ୍କୁ ୧,୦୦୦ ଟଙ୍କା ଏବଂ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ ଦୁଇ ମାସର ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ଘୋଷଣା ହୋଇଛି। କେରଳ ସରକାର ବିନା ସୁଧରେ ୨,୦୦୦ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବାବେଳେ ଦିଲ୍ଲୀ ସରକାର ବିଧବା ଓ ଭିନ୍ନକ୍ଷମଙ୍କ ଭତ୍ତା ଦ୍ୱିଗୁଣିତ କରିଛନ୍ତି ଓ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ବିନା ଜିଏସ୍‌ଟିରେ ସାମଗ୍ରୀ କିଣିବାର ସୁବିଧା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶରେ ନିର୍ମାଣ ଶ୍ରମିକଙ୍କୁ ଏକକାଳୀନ ୨,୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି।

ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ସେହି ସବୁ ରାଜ୍ୟ ତୁଳନାରେ ସଶକ୍ତ ନୁହେଁ। ତେଣୁ କରୋନା ସମୟରେ ଏବଂ ପରବର୍ତ୍ତୀ ଆର୍ଥିକ ସ୍ଥିତିର ପରିଚାଳନା ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିବ ନିଶ୍ଚୟ। ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ଥିବା ରାଜ୍ୟ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣରୁ ସୂଚନା ମିଳିଛି, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିର ସମ୍ବେଦନଶୀଳତା ଦୃଷ୍ଟିରୁ ବିଚାର କଲେ ତାହା ଯଥେଷ୍ଟ ନୁହେଁ। କରୋନାରୁ କିପରି ବଞ୍ଚିବେ ସେ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସରକାର ଓ ବିଶେଷଜ୍ଞମାନେ ପରାମର୍ଶ ଦେଇ ଆସୁଛନ୍ତି, କିନ୍ତୁ ଏହି ସଂଗ୍ରାମରେ ଜୀବିକା ହରାଇଥିବା ପରିବାର କେମିତି ବଞ୍ଚିବେ ସେ ପ୍ରଶ୍ନ ପ୍ରତି ସେତେଟା ଗୁରୁତ୍ୱ ପ୍ରଦାନ କରାଯାଇ ନଥିବା ମନେହୁଏ। କରୋନା କୋଳାହଳ ଭିତରେ ହଜି ଯାଉଥିବା ସେହି ସ୍ୱରକୁ ରାଜ୍ୟ ସରକାର ସତର୍କତାର ସହ ଶୁଣି ବିଜ୍ଞତାର ପରିଚୟ ଦେବା ଆବଶ୍ୟକ।

Comments are closed.