୨ୟ ଲହରରେ ଓଡ଼ିଶାରେ ୨୮ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଦେଶରେ ୭୧୯ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଓଡ଼ିଶାର ୨୮ ଜଣ ଅଛନ୍ତି। ସର୍ବଭାରତୀୟ ଭେଷଜ ଚିକିତ୍ସକ ସଂଘ (ଆଇଏମ୍‍ଏ) ଏଭଳି ତଥ୍ୟ ପ୍ରକାଶ କରିଛି। ବିହାରରୁ ସର୍ବାଧିକ ୧୧୧ ଏବଂ ଦିଲ୍ଲୀରୁ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରୁ ୨୮ ଡାକ୍ତରଙ୍କ ଜୀବନ ନେଇଛି କରୋନା ଭୂତାଣୁ। ତେବେ ଓଡ଼ିଶାରୁ ଯେଉଁ ୨୮ ଡାକ୍ତରଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରେ ସରକାରୀ ଡାକ୍ତରଖାନାରୁ କେହି ନାହାନ୍ତି। ଘରୋଇ ଡାକ୍ତରଖାନା, ବେସରକାରୀ ନର୍ସିଂହୋମ୍‍ ଓ ଅବସରପ୍ରାପ୍ତ ଡାକ୍ତର ଅଛନ୍ତି। ଓଡ଼ିଶା ଶାଖା ଆଇଏମ୍‍ଏ କେନ୍ଦ୍ରୀୟ ଆଇଏମ୍‍ଏକୁ ଏହି ତଥ୍ୟ ପ୍ରଦାନ କରିଥିବା ନେଇ ଓମ୍‍ସା ରାଜ୍ୟ ସଭାପତି ଡା. ନାରାୟଣ ରାଉତ ଏବଂ ଆଇଏମ୍‍ଏ ସଦସ୍ୟ ତଥା ଓମ୍‍ସା ରାଜ୍ୟ ସାଧାରଣ ସମ୍ପାଦକ ଡା. ବିଶ୍ୱଜିତ୍‍ ସାମଲ କହିଛନ୍ତି।

ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଉଗ୍ରରୂପ ଧାରଣ କରି ଲୋକଙ୍କୁ ସଂକ୍ରମିତ କରୁଛି। ରୋଗୀଙ୍କୁ ସେବା ପ୍ରଦାନ କରି ଡାକ୍ତରମାନେ ସଂକ୍ରମିତ ହୋଇଥିଲେ। ଟିକା ଆସିବା ପରେ ଡାକ୍ତରଙ୍କୁ ଟିକାକରଣରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ଦେଶରେ ୭୧୯ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଅବଶ୍ୟ ମୃତ୍ୟୁବରଣ କରିଥିବା ଡାକ୍ତର ଟିକା ନେଇଛନ୍ତି କି ନାହିଁ ସେ ସମ୍ବନ୍ଧୀୟ କୌଣସି ତଥ୍ୟ ଆଇଏମ୍‌ଏ ପ୍ରକାଶ କରିନାହିଁ। ଆଇଏମ୍‌ଏ ସଦସ୍ୟ ଡା. ସାମଲ କହିଛନ୍ତି, ଦ୍ୱିତୀୟ ଲହରରେ ଓଡ଼ିଶାରୁ ଯେଉଁ ୨୮ ଡାକ୍ତରଙ୍କ ମୃତ୍ୟୁ ହୋଇଛି ସେମାନେ ଘରୋଇ ଡାକ୍ତରଖାନା, ବେସରକାରୀ ନର୍ସିଙ୍ଗ ହୋମ୍‍, ଘରୋଇ ଅଭ୍ୟାସ ଏବଂ ଅବସର ପରେ କ୍ଲିନିକ୍‍ କରି ରୋଗୀ ଚିକିତ୍ସା କରୁଥିଲେ।

Comments are closed.