ବିଶେଷଜ୍ଞଙ୍କ ପରାମର୍ଶ – ଡରନ୍ତୁନି, ମନୋବଳ ଟାଣ କରନ୍ତୁ

ଡାକ୍ତର ସୁଦାମ ଚନ୍ଦ୍ର ସାହୁ, ଛାତି ଓ ଯକ୍ଷ୍ମାରୋଗ ବିଶେଷଜ୍ଞ, ରାଜଧାନୀ ଚିକିତ୍ସାଳୟ

ପ୍ର : ସଂକ୍ରମଣ ବଢୁଥିବାରୁ ଲୋକ ଭୟଭୀତ ହେଉଛନ୍ତି। ଏଥିରୁ ମୁକୁଳିବାର ବାଟ କ’ଣ?
ଉ: ଆଦୌ ଡରନ୍ତୁନି, ଡରିଲେ ମନୋବଳ ଭାଙ୍ଗିଯିବ। ଭୟରୁ ମନରେ ଯେଉଁ ଉତ୍ତେଜନା ଦେଖାଦେବ ତା’ଫଳରେ କ୍ଷତିକାରକ ରାସାୟନିକ ପଦାର୍ଥ କ୍ଷରଣ ହେବ; ଯାହା ଶରୀର ଉପରେ କୁପ୍ରଭାବ ପକାଇବ। ସଦାବେଳେ ମନୋବଳ ଟାଣ ରଖନ୍ତୁ।
ପ୍ର: କରୋନାରୁ ରକ୍ଷା ପାଇଁ ଉତ୍କୃଷ୍ଟ ପନ୍ଥା କ’ଣ ?
ଉ: ପ୍ରତିଷେଧକ ଏବଂ ପ୍ରତିରୋଧକ ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ। ପ୍ରତିଷେଧକ ପାଇଁ ଟିକା ନେବା, ପ୍ରତିରୋଧକ ପାଇଁ ତୁଣ୍ଡି (ମାସ୍କ) ପିନ୍ଧିବା, ସାମାଜିକ, ଶାରୀରିକ ଦୂରତା ରଖିବା। ଯେପର୍ଯ୍ୟନ୍ତ ଆମେ ସତର୍କ ଓ ସଚେତନ ନ ହେବା ସେ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିପାରିବାନି।
ପ୍ର: କେଉଁ ପ୍ରକାର ତୁଣ୍ଡି (ମାସ୍କ) ଆମ ପାଇଁ ନିରାପଦ?
ଉ: ସର୍ଜିକାଲ ତୁଣ୍ଡି ଏବଂ ଏନ୍‌-୯୫ ତୁଣ୍ଡି ସବୁଠୁ ଭଲ। ଦୁଇ ପରସ୍ତ ସର୍ଜିକାଲ ତୁଣ୍ଡି ନିରାପଦ। ଲୋକେ ଠିକ୍‌ ଭାବେ ତୁଣ୍ଡି ବ୍ୟବହାର କରୁନାହାନ୍ତି। ଅଧିକାଂଶ ନାକ ତଳେ ପିନ୍ଧୁଛନ୍ତି। ନାକ ହେଲା ସ୍ପର୍ଶକାତର। ସେପଟେ ଭୂତାଣୁ ଶରୀରକୁ ପ୍ରବେଶ କରିବ। ଏହାଛଡା ଅନେକ ତୁଣ୍ଡି ଯେପରି ଭାବରେ ଧରୁଛନ୍ତି ହାତ ଦେଇ ଭୂତାଣୁ ପାଟିବାଟେ ଶରୀର ଭିତରକୁ ଯାଇପାରେ। ତୁଣ୍ଡିର ଉପଯୁକ୍ତ ବ୍ୟବହାର ପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର। ଆମ ଭିତରୁ ଅଧିକାଂଶ ଏ ଦିଗ ପ୍ରତି ସଚେତନ ନୁହଁନ୍ତି। ସାମାଜିକ ଦୂରତା ବି ଲୋକେ ପାଳନ କରୁନାହାନ୍ତି। ଅନେକ ଭୋଜିଭାତ କରୁଛନ୍ତି। ହାଟ, ବଜାର ଏପରିକି ଡାକ୍ତରଖାନାରେ ଡାକ୍ତରଙ୍କ ପାଖରେ ବି ଲୋକ ଭିଡ଼ କରୁଛନ୍ତି। ଡାକ୍ତରଙ୍କ ପାଖକୁ ଅନେକ ପ୍ରକାର ରୋଗୀ ଆସୁଛନ୍ତି। ତେଣୁ ସେଠି ସତର୍କ ନ ରହିଲେ ସଂକ୍ରମଣ ସାଙ୍ଗରେ ଧରି ଯିବାର ଆଶଙ୍କା ରହିଛି।
ପ୍ର: ଟିକା ଆମକୁ ସୁରକ୍ଷିତ ରଖିପାରିବ ?
ଉ: ସମସ୍ତେ ଟିକା ନେବା ଦରକାର। ଗଙ୍ଗାରାମ ଡାକ୍ତରଖାନା ଅନୁଧ୍ୟାନ ରିପୋର୍ଟ କହୁଛି କୋଭାକ୍ସିନ ବା କୋଭିସିଲ୍ଡ ନିରାପଦ ଏବଂ ସୁରକ୍ଷିତ। ତେଣୁ ସମସ୍ତେ ଟିକା ନେଲେ ସୁରକ୍ଷିତ ରହିବେ।
ପ୍ର: ଦ୍ବିତୀୟ ଲହର କେତେ ଭୟଙ୍କର ବୋଲି ଭାବୁଛନ୍ତି। ଟିକା ଏହାକୁ ରୋକିପାରିବ ?
ଉ: ଏଥର ଯେଉଁ ଲହର ଆସିଛି ଏହା ଏକ ନୂଆ ପ୍ରକାର, ଏଥିରେ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ପ୍ରଥମ ଲହର ପାଇଁ ଯେଉଁ ଲକ୍ଷ୍ୟ ରହୁଥିଲା ସେଥିପାଇଁ ଟିକା ତିଆରି ହୋଇଥିଲା। ବର୍ତ୍ତମାନ ଇଂଲଣ୍ଡରୁ ଆସୁଥିବା ମ୍ୟୁଟେସନ, ଏପରିକି ଭାଇଜାଗରୁ ଆସୁଥିବା ମ୍ୟୁଟେସନ ଅଧିକ କ୍ଷତିକାରକ। ଏଥିପାଇଁ ବର୍ତ୍ତମାନର ଟିକା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରିବ।
ପ୍ର: କରୋନା ସଂକ୍ରମିତ ହେବା ଜଣାପଡିଲେ ପ୍ରଥମେ କ’ଣ କରିବା ଉଚିତ?
ଉ: ପ୍ରଥମେ କରୋନା ପରୀକ୍ଷା କରାଇନେବେ। ସଂକ୍ରମଣ ସାମାନ୍ୟ (ମାଇଲ୍ଡ) ଥିଲେ ଘରେ ସଙ୍ଗରୋଧରେ ରହି ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ସେବନ କରି ସୁସ୍ଥ ହୋଇପାରିବେ। ନଚେତ୍‌ ଗୁରୁତର ଥିଲେ କରୋନା ଚିକିତ୍ସାଳୟ ଯିବାକୁ ପଡିବ। ଏଥିପାଇଁ ୧୦୪ ନଚେତ୍‌ ୧୯୨୯ ନମ୍ବରକୁ ଫୋନ୍‌ରେ ଯୋଗାଯୋଗ କରିପାରିବେ। ପ୍ରଚୁର ପାଣି ପିଇବେ। ଡକ୍ସି ସାଇକ୍ଲିନିକ୍‌, ଆଇଭରମେଟ୍ରିନ୍‌, ଆଜିଥ୍ରୋମାଇସିନ୍‌, ପାରାସିଟାମଲ, ଜିଙ୍କ ଭିଟାମିନ୍‌ ଏବଂ ମଣ୍ଟେକାଲୁଷ୍ଟ ଖାଇପାରିବେ। ଏସବୁ ଔଷଧ ଅନୁମାନ କରି ଖାଇବେ ନାହିଁ। କେବଳ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବେ।
ପ୍ର: ଶରୀରରେ ହଠାତ୍‌ ଅମ୍ଳଜାନ ପ୍ରବାହରେ ବ୍ୟତିକ୍ରମ ଦେଖାଦେଲେ କ’ଣ କରିବେ ?
ଉ: ଅମ୍ଳଜାନ ଅଭାବ ହେଲେ ବା ୯୪%ରୁ ଖସିଲେ ପେଟେଇ ଶୋଇବେ। ପେଟ ଓ ବେକ ତଳେ ତକିଆରେ ଶୋଇଲେ ଶରୀରରେ ଅମ୍ଳଜାନ ପରିମାଣ ବଢିବା ସହିତ ଶ୍ବାସଜନିତ ସମସ୍ୟାରୁ ଉପଶମ ମିଳିବ।

Comments are closed.